ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୧୦୧୯ କୋଟି ଟଙ୍କାର ପିସି କାରବାର ହୋଇଛି: କଂଗ୍ରେସ

‘ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୩୯୭କୋଟି ଟଙ୍କା ଖର୍ଚ୍ଚ ହେଉଛି । ହାରାହାରି ୩୦ ପ୍ରତିଶତ ପିସି କାରବାକୁ ହିସାବକୁ ନେଲେ ପ୍ରାୟ ୧୦୧୯କୋଟି ଟଙ୍କା ଆତ୍ମସାତ ହେଉଛି।’

Reprasantive Image

  • Published: Saturday, 02 March 2024
  • , Updated: 02 March 2024, 10:07 PM IST

ବିଜେଡି ସରକାର ହେଉଛି ୩୦%ର ପିସି ସରକାର। ନବୀନ-ପାଣ୍ଡିଆନଙ୍କ ‘ମୋ ସରକାର’ ବାସ୍ତବରେ ପିସି ସରକାର । ପଂଚାୟତଠୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର । କେବଳ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୧୦୧୯କୋଟି ଟଙ୍କାର ପିସି କାରବାର ହୋଇଛି । ଆଉ ଏହି ପିସିରୁ ଆଦାୟ ହୋଇଥିବା ଟଙ୍କା ବିଜେଡିର ନିର୍ବାଚନୀ ଖର୍ଚ୍ଚରେ ବ୍ୟବହୃତ ହେଉଛି । ଆଜି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ,  ପଂଚାୟତଠୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର । ଏଥିରେ ବିଜେଡିର ମନ୍ତ୍ରୀ,ନେତା,ଯନ୍ତ୍ରୀ, ଅଫିସରମାନେ ସମ୍ପୃକ୍ତ । କେବଳ ପଂଚାୟତ ଓ ବ୍ଲକଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ୨୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ପିସି କାରବାର ହେଉଛି । ୨୦୧୭ ଜୁନ୍ ମାସରେ ପଂଚାୟତରେ ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହି ଜୁନ୍ ମାସରେ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗରେ ୨୫୮ଜଣ ସରକାରୀ କର୍ମଚାରୀ ଓ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଥିଲା । ମାତ୍ର ତା’ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ କଥା ଭୁଲିଗଲେ । ଏବେ ପଂଚାୟତ ଓ ବ୍ଲକଗୁଡ଼ିକରେ ପିସି କାରବାର ଖୋଲାଖୋଲି ଚାଳିଛି । ସ୍ୱଚ୍ଛ ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଓ ତଥାକଥିତ ଫାଇଭ-ଟି ଅଧ୍ୟକ୍ଷଙ୍କ ଗୋଚରରେ ଏହା ଚାଲିଛି । ପିସି ଅର୍ଥ କେବଳ ବିଜେଡିର ନିର୍ବାଚନୀ ଖର୍ଚ୍ଚ କାର୍ଯ୍ୟରେ ଲାଗୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୩୯୭କୋଟି ଟଙ୍କା ଖର୍ଚ୍ଚ ହେଉଛି । ହାରାହାରି ୩୦ ପ୍ରତିଶତ ପିସି କାରବାକୁ ହିସାବକୁ ନେଲେ ପ୍ରାୟ ୧୦୧୯କୋଟି ଟଙ୍କା ଆତ୍ମସାତ ହେଉଛି। ସେହିପରି ଫାଇଭ-ଟି ସ୍କୁଲ କାର୍ଯ୍ୟକ୍ରମ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୨୬୮କୋଟି ଟଙ୍କା ଖର୍ଚ୍ଚ ହେଉଛି । ୩୦% ପିସିକୁ ହିସାବକୁ ନେଲେ ୩୮୦କୋଟି ଟଙ୍କା ଚଳୁ କରାଯାଇଛି । ସ୍ୱଚ୍ଛ ଶାସନର ବାହାବା ନେଉଥିବା ପାଣ୍ଡିଆନ ଏହାକୁ ଅସ୍ୱୀକାର କରିପାରିବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେଡିର ନେତା କିମ୍ବା ମୁଖପାତ୍ରମାନଙ୍କର ଯଦି ସତସାହାସ ଅଛି ତେବେ ଗଣମାଧ୍ୟମରେ ଏହାକୁ ଖଣ୍ଡନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ପିସି କାରବାରର ଚେର ଲୋକସେବା ଭବନ ଓ ତୃତୀୟ ମହଲାକୁ ଲମ୍ବିଛି । ପାଣ୍ଡିଆନ ଏସବୁ ବଡ଼ବଡ଼ ପ୍ରକଳ୍ପରୁ ପିସି ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ପାଣ୍ଡିଆନ ନିଜେ ଏହି ଅଭିଯୋଗକୁ ଗଣମାଧ୍ୟମ ସମ୍ମୁଖରେ ଖଣ୍ଡନ କରନ୍ତୁ ବୋଲି ଶ୍ରୀ ଦାସ ଆହ୍ୱାନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।

Related story