Advertisment

୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ବାଲେଶ୍ୱରରୁ ଲଢ଼ିବେ ଶ୍ରୀକାନ୍ତ

ଭୁବନେଶ୍ୱରରୁ ଯୁବ ନେତା ୟାସିର ନୱାଜଙ୍କୁ ଦଳ କରିଛି ପ୍ରାର୍ଥୀ

author-image
Jitendra Garnayak
ଅଦ୍ୟତନ ହୋଇଛି
Srikanta

Srikanta

ରାଜ୍ୟର ଆଉ ୯ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ଲଢ଼ିବେ ଅନନ୍ତ ପ୍ରସାଦ ସେଠୀ। 

Advertisment

ସେହିପରି ଯାଜପୁରରୁ ଅଞ୍ଚଳ ଦାସଙ୍କୁ ଟିକେଟ ଦିଆଯାଇଥିବା ବେଳେ ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ଦଳ କରିଛି ପ୍ରାର୍ଥୀ।  

ଏହା ସହିତ ଏଯାବତ ମୋଟ ୧୭ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଆଉ ୪ଟି ଆସନ- ସମ୍ବଲପୁର, ଆସିକା, କଟକ ଓ ମୟୂରଭଞ୍ଜରେ ଦଳ ପ୍ରାର୍ଥୀ ଘୋଷଣା କରିବ। ଗତ ୨ ତାରିଖରେ ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଦଳ ବରଗଡ଼ରୁ ସଂଜୟ ଭୋଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମିର ଚାନ୍ଦ ନାୟକ, ବ୍ରହ୍ମପୁରରୁ ରଶ୍ମିରଂଜନ ପଟ୍ଟନାୟକ ଓ କୋରାପୁଟରୁ ସପ୍ତଗିରି ଉଲାକାଙ୍କ ନାଁ ଘୋଷଣା କରିଥିଲା। 

Advertisment

ବିଜେପି ଓ ବିଜେଡି ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବାଲେଶ୍ୱରରେ ଶ୍ରୀକାନ୍ତ ଜେନାଙ୍କ ଲଢ଼େଇ ବିଜେପି ନେତା ତଥା ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ହେବ। ୨୦୧୯ରେ କଂଗ୍ରେସ ଏହି ଆସନରୁ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ଶ୍ରୀକାନ୍ତ ଜେନା ବାଲେଶ୍ୱର ଲୋକସଭା ଆସନରୁ ୨୦୦୯ରେ ବିଜୟୀ ହୋଇଥିଲେ। ୨୦୧୪ରେ ସେ କଂଗ୍ରେସ ଟିକେଟରେ ଏଠାରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ୧୯୯୬ରେ ଶ୍ରୀକାନ୍ତ କେନ୍ଦ୍ରାପଡ଼ା ଆସନରୁ ଜନତା ପାର୍ଟି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। 

ଭୁବନେଶ୍ୱର ଲୋକସଭା ଆସନରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର ମନ୍ମଥ ରାଉରାୟଙ୍କ ସହିତ ଲଢ଼େଇ କରିବେ ୟାସିର ନୱାଜ। 

Congress 2024 General Election