Advertisment

ହରିୟାଣା ନିର୍ବାଚନର ସାଇଡ ଇଫେକ୍ଟ: କଂଗ୍ରେସକୁ ଝଟକା ଦେଲେ ଅଖିଲେଶ ଯାଦବ

ଲୋକସଭାରେ ସପା ଉତ୍ତର ପ୍ରଦେଶର ୬୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୭ଟିରେ ଜିତିଥିଲା। କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେଇ ୬ଟିରେ ବାଜିମାତ କରିଥିଲା।

author-image
Hemant Lenka
SP

SP

ହରିୟାଣାରେ ନିଶ୍ଚିତ ବିଜୟକୁ ହାତ ଛଡ଼ା କରିଥିବା କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଇଣ୍ଡିଆ ମେଣ୍ଟ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ ୩୭ ଆସନ ଜିତିଥିବା ବେଳେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ କରିଛି।

Advertisment

ଏପରି ପରାଜୟ ପରେ ପ୍ରଥମେ ଆପ ପରେ ଉଦ୍ଧବ ଠାକରେଙ୍କ ଶିବସେନା ସହଯୋଗୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏବେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସକୁ ଉତ୍ତର ପ୍ରଦେଶ ଉପ ନିର୍ବାଚନ ପୂର୍ବରୁ ଝଟକା ଦେଇଛି।

କଂଗ୍ରେସ ଓ ସପା ଇଣ୍ଡିଆ ମେଣ୍ଟର ସଦସ୍ୟ। ତଥାପି କଂଗ୍ରେସ ସହ ବିନା ଆଲୋଚନାରେ ସପା ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ୧୦ ବିଧାନସଭା ଆସନର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଦେଇଛି।

Advertisment

ସପା ପକ୍ଷରୁ ୧୦ଟି ଆସନ ମଧ୍ୟରୁ ୬ଟି ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। କଂଗ୍ରେସ ଏହି ୧୦ ଆସନରୁ ୫ଟିରେ ଲଢ଼ିବାକୁ ଚାହୁଁଥିଲା। ହେଲେ ସପା ଲୋକସଭାରେ ଭଲ ପ୍ରଦର୍ଶନ କରିଥିବାରୁ ଦଳ ପକ୍ଷରୁ ୬ଟି ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି।

ଲୋକସଭାରେ ସପା ଉତ୍ତର ପ୍ରଦେଶର ୬୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୩୭ଟିରେ ଜିତିଥିଲା। କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେଇ ୬ଟିରେ ବାଜିମାତ କରିଥିଲା। ଏହି ସଂଖ୍ୟା ଆଧାରରେ ସପା ମାତ୍ର ୩ଟି ଆସନ କଂଗ୍ରେସକୁ ଅଫର କରିଥିଲା। ଏହାକୁ ନେଇ ଟଣାଓଟରା ଚାଲିଥିବା ବେଳେ ଆଜି ସପା ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏହାକୁ ନେଇ କଂଗ୍ରେସ ଚକିତ ହୋଇଛି।

ଦଳର ରାଜ୍ୟ ଇନଚାର୍ଜ ଅବିନାଶ ପାଣ୍ଡେ କହିଛନ୍ତି, “ଏହା ସତ ଯେ ଆମକୁ କୌଣସି ସୂଚନା ଦିଅଯାଇ ନାହିଁ। ଇଣ୍ଡିଆ ମେଣ୍ଟ ସଂଯୋଜକ କମିଟି ମଧ୍ୟ ଆଲୋଚନା କରିନି। କିନ୍ତୁ ସିଟ ଘୋଷଣା ଓ ନିର୍ବାଚନ ଲଢ଼ିବା ନେଇ କମିଟି ଯାହା ବି ନିଷ୍ପତ୍ତି ନେବ ଆମେ ତା’କୁ ମାନିବୁ। ଉତ୍ତର ପ୍ରଦେଶରେ ଆମେ ଆଦୌ ଅତ୍ୟଧିକ ଆତ୍ମବିଶ୍ୱାସ ଦେଖାଇ ନାହୁଁ। ସଂଗଠନକୁ ସଶକ୍ତ କରିବାକୁ ଆମେ କାମ କରୁଛୁ। ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି।”

୬ ପ୍ରାର୍ଥୀଙ୍କ ନାଁ ଘୋଷଣା ସମ୍ପର୍କରେ ସପା ନେତା ରବିଦାସ ମହରୋତ୍ରା କହିଛନ୍ତି, “ଆସନ୍ତା ଉତ୍ତର ପ୍ରଦେଶ ଉପ ନିର୍ବାଚନରେ ବିଜେପିକୁ ହରାଇବାର କ୍ଷମତା ରଖିଥିବା ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। କଂଗ୍ରେସ ସହ ବାକି ୪ ଆସନ ପାଇଁ କଥାବାର୍ତ୍ତା ଚାଲିଛି। ଆମର ଆଶା କଂଗ୍ରେସ ମେଣ୍ଟ କରିବ।”

ହରିୟାଣା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି, “ଯଦି କଂଗ୍ରେସ ହରିୟାଣାରେ ଆପ ଓ ସପା ସହ ମେଣ୍ଟ କରିଥାଆନ୍ତା, ତା’ହେଲେ ଇଣ୍ଡିଆ ମେଣ୍ଟ ଆଜି ସେଠାରେ କ୍ଷମତା ଦଖଲ କରିଥାଆନ୍ତା। କଂଗ୍ରେସ ହରିୟାଣରେ ଗୋଟିଏ ବି ସିଟ ସପାକୁ ଛାଡ଼ିଲା ନାହିଁ। କିନ୍ତୁ ପୂରା ରାଜ୍ୟ ବିଜେପିକୁ ଦେଇଦେଲା। ଆମେ ବିଜେପିକୁ ଉତ୍ତର ପ୍ରଦେଶ ଉପ ନିର୍ବାଚନରେ ହରାଇବାକୁ ଚାହୁଁଛୁ। ତେଣୁ ଆମେ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛୁ।”

ଦଳ ପକ୍ଷରୁ ତେଜ ପ୍ରତାପ ଯାଦବଙ୍କୁ କର୍ହାଲ ଆସନରେ ପ୍ରାର୍ଥୀ କରାଯାଇଛି। ଏହି ଆସନରୁ ୨୦୨୨ରେ ଅଖିଲେଶ ଯାଦବ ଜିତିଥିଲେ। ଏହାବାଦ କାତେହରି, ମିଲକିପୁର, ମୀରାପୁର, ଗାଜିଆବାଦ, ମଜହାୱନ, ସିସାମୁ, ଖୈର, ଫୁଲପୁର ଓ କୁନ୍ଦାରକି ଆସନରେ ମଧ୍ୟ ଉପ ନିର୍ବାଚନ।

Akhilesh Yadav Uttar Pradesh Rahul Gandhi