Advertisment

ସାଂଘାତିକ ଅଭିଯୋଗ ଆଣି ଜୀବନ ହାରିଲେ ଯୁବ କଣ୍ଟ୍ରାକ୍ଟର: ବିଜେପି ଟାର୍ଗେଟରେ କଂଗ୍ରେସ

ଗୁରୁବାର ୨୬ ବର୍ଷୀୟ ସଚିନ ପଞ୍ଚଲ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ୭ ପୃଷ୍ଠାର ସୁଇସାଇଡ ନୋଟ ଛାଡ଼ି ଯାଇଛନ୍ତି।

author-image
Hemant Lenka
Congress

Congress

କର୍ଣ୍ଣାଟକାର ବିଦାର ଜିଲ୍ଲାରେ ଜଣେ ୨୬ ବର୍ଷୀୟ କଣ୍ଟ୍ରାକ୍ଟର ଆତ୍ମହତ୍ୟା କରିବା ପରେ ରାଜନୀତିକ ବିବାଦ ତୀବ୍ର ହୋଇଛି। ରାଜ୍ୟରେ କ୍ଷମତାସୀନ କଂଗ୍ରେସକୁ ବିରୋଧୀ ବିଜେପି ଏହି ଘଟଣା ପାଇଁ ଦାୟୀ କରିଛି। ରାଜ୍ୟର ମନ୍ତ୍ରୀ ପ୍ରିୟଙ୍କ ଖଡଗେଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ଦାୟୀ କରି ଯୁବ କଣ୍ଟ୍ରାକ୍ଟର ଜଣଙ୍କ ଜୀବନ ହାରିଛନ୍ତି। ତେଣୁ ବିଜେପି ଏବେ ଖଡଗେଙ୍କୁ ଟାର୍ଗେଟ କରି ତାଙ୍କ ଇସ୍ତଫା ଦାବି କରିଛି।

Advertisment

ଗୁରୁବାର ୨୬ ବର୍ଷୀୟ ସଚିନ ପଞ୍ଚଲ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ୭ ପୃଷ୍ଠାର ସୁଇସାଇଡ ନୋଟ ଛାଡ଼ି ଯାଇଛନ୍ତି। ଏଥିରେ ସେ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ପ୍ରିୟଙ୍କ ଖଡଗେଙ୍କ ଘନିଷ୍ଠ ସହଯୋଗୀ ରାଜୁ କାପାନୁରଙ୍କୁ ଦାୟୀ କରିଛନ୍ତି।

ରାଜୁ ତାଙ୍କୁ ବଟି ମାଗିବା ସହ ଗୋଟିଏ ଟେଣ୍ଡର ପ୍ରସଙ୍ଗରେ ହତ୍ୟା ଧମକ ଦେଇଥିଲେ ବୋଲି ସଚିନ ଅଭିଯୋଗ କରିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି ଯେ ରାଜୁ ତାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ବେଳେ ଆଉ ୧ କୋଟି ଟଙ୍କା ମାଗୁଛନ୍ତି।

Advertisment

ସଚିନଙ୍କ ଏପରି ଅଭିଯୋଗକୁ ନେଇ ବିଜେପି ନେତାମାନେ କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ ପ୍ରିୟଙ୍କ ଖଡଗେଙ୍କୁ ଟାର୍ଗେଟ କରିଛନ୍ତି।

କର୍ଣ୍ଣାଟକା ବିଧାନସଭାର ବିରୋଧୀ ଦଳ ନେତା ଆର ଅଶୋକ କହିଛନ୍ତି ଯେ “ଖଡଗେ ପରିବାର ପାଇଁ କ’ଣ ଆମ୍ବେଦକରଙ୍କ ସମ୍ବିଧାନ ଲାଗୁ ହେଉ ନାହିଁ? ପ୍ରିୟଙ୍କ ଖଡଗେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ।” ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ପ୍ରିୟଙ୍କ ଖଡଗେ ଓ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ମଧ୍ୟ ଜୁନିୟର ଖଡଗେଙ୍କ ଇସ୍ତଫା ଦାବି କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ନେତାମାନେ ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ରାଜନୀତିକ ଅଭିସନ୍ଧି ବୋଲି କହିଛନ୍ତି। କର୍ଣ୍ଣାଟକାର ଆଇଟି-ବିଟି ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବ ପ୍ରିୟଙ୍କ ଖଡଗେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଦୁଃଖପ୍ରକାଶ କରିବା ସହ ଅଧିକାରୀମାନଙ୍କୁ ଭଲ ଭାବେ ତଦନ୍ତ କରିବାକୁ କହିଛନ୍ତି।

Bjp Congress Karnataka