‘ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର’

‘ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କିନ୍ତୁ ବର୍ଷ ବର୍ଷ ଧରି କ୍ଷମତାରେ ରହିଥିବା କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି। ମାତ୍ର ମୋଦି କିଛି ବର୍ଷରେ ସେ ଏହା କରି ଦେଖାଇଲେ।’

ରାଜନାଥ ସିଂହ ।

  • Published: Wednesday, 08 May 2024
  • , Updated: 08 May 2024, 02:48 PM IST

ନିର୍ବାଚନ ପ୍ରଚାର ନିମନ୍ତେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣାରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ସେ ସ୍ଥାନୀୟ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି ।

ନିଜ ନିର୍ବାଚନୀ ଭାଷଣରେ ରାଜନାଥ ସିଂହ କହିଛନ୍ତି, କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ । ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ । ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କିନ୍ତୁ ବର୍ଷ ବର୍ଷ ଧରି କ୍ଷମତାରେ ରହିଥିବା କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି। ମାତ୍ର ମୋଦି କିଛି ବର୍ଷରେ ସେ ଏହା କରି ଦେଖାଇଲେ।

ସେ କହିଛନ୍ତି, ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ। ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ। ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର । ଧାରା ୩୭୦ ହଟାଇବୁ କହିଥିଲୁ, ହଟାଇଦେଲୁ।ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, ତାହାକୁ ବି ସତରେ ପରିଣତ କରି ଦେଖାଇଲୁ। ତିନ୍‌ ତଲାକ୍ ସମାପ୍ତ କରିବାକୁ କହିଥଲୁ, ସମାପ୍ତ କଲୁ ।

୫୦ ବର୍ଷ କଂଗ୍ରେସ ସରକାର, ୨୫ ବର୍ଷ ବିଜେଡି ସରକାର ଦେଖିଲ । କଂଗ୍ରେସ ସବୁ ବେଳେ ନକରାତ୍ମକ ରାଜନୀତି କରିଥାଏ । ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି । ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି ତେଣୁ ବିଜେପିକୁ କ୍ଷମତାକୁ ଆଣନ୍ତୁ ବୋଲି ଲୋକଙ୍କୁ ଅପିଲ କରିଛନ୍ତି ରାଜନାଥ ସିଂହ ।

ଭବାନୀପାଟଣାର କାର୍ଯକ୍ରମ ସାରି ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି ରାଜନାଥ । ଅପରାହ୍ନ ୩ଟା ୧୦ରେ ରାୟଗଡ଼ା ସହର ବାରିଝୋଲା ରୋଡ୍ IACR ଗ୍ରାଉଣ୍ଡରେ ଜନସଭାକୁ ସମ୍ବୋଧିତ କରିବେ ରାଜନାଥ । ସେଠାରେ ସେ ପ୍ରାୟ ୧ ଘଣ୍ଟା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ରାଜନାଥଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ବିଜେପି ଶିବିରରେ ଉତ୍ସାହ ଖେଳିଯାଇଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Related story