Advertisment

ଦେବୀ ମିଶ୍ର କମିଟିକୁ ନେଇ ବିଜେଡିରେ ବଢ଼ିଲା ଅସନ୍ତୋଷ: ବିରୋଧ ପାଇଁ ସଜବାଜ ହେଉଛନ୍ତି ବିଧାୟକ-ସାଂସଦ

ପାଣ୍ଡିଆନ ଦଳୀୟ ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପରାଜିତ ତଥା ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଦେବୀ ମିଶ୍ରଙ୍କୁ ମୋହରା କରିଥିବା କଥା ପଦାରେ ପଡ଼ିବା ପରେ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି।

Naveen Patnaik

Naveen Patnaik

Advertisment

୨୭ବର୍ଷର ଆଂଚଳିକ ଦଳ ବିଜେଡି ଚଳିତ ନିର୍ବାଚନରେ ଶକ୍ତ ପରାଜୟ ପରେ ନେତୃତ୍ୱ ସଙ୍କଟ ଦେଇ ଗତି କରୁଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନେତା ଅଛନ୍ତି ସତ କିନ୍ତୁ ନେତୃତ୍ୱ ଓ ରିମୋଟ୍ ଭିକେ ପାଣ୍ଡିଆନଙ୍କ ହାତରେ ପୂର୍ବବତ୍ ରହିଥିବା ପୁଣିଥରେ ପ୍ରମାଣିତ ହୋଇଛି । ପାଣ୍ଡିଆନ ଦଳୀୟ ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପରାଜିତ ତଥା ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଦେବୀ ମିଶ୍ରଙ୍କୁ ମୋହରା କରିଥିବା କଥା ପଦାରେ ପଡ଼ିବା ପରେ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଦଳର ବିଧାୟକ ଓ ସାଂସଦମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ସେମାନେ ଖୋଲାଖୋଲି ଭାବେ ଦେବୀ ମିଶ୍ରଙ୍କୁ ବିରୋଧ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ଦଳର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ୧୫ଜଣିଆ କମିଟି ଗତ ଦୁଇଦିନ ତଳେ ଗଢ଼ା ଯାଇଛି । ଏହି କମିଟିରେ ଦଳ ନିଜର ୮ଜଣ ବିଧାୟକଙ୍କୁ ସାମିଲ କରିଛି । କିନ୍ତୁ ବରିଷ୍ଠ ଓ ଆଗଧାଡ଼ିର ନେତାମାନଙ୍କୁ ସାମିଲ ନକରି ତୋଷାମଦକାରୀ ନେତାଙ୍କୁ କମିଟିରେ ଗୁରୁତ୍ୱ ଦେଇଥିବାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦଳରେ ବହୁ ବରିଷ୍ଠ ନେତା ଓ ବିଧାୟକ  ଥିବା ସତ୍ତ୍ୱେ ପ୍ରାୟ ୨୩ହଜାରରୁ ଅଧିକ ଭୋଟରେ ପରାଜିତ ତଥା ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଦେବୀ ମିଶ୍ରଙ୍କୁ କାହିଁକି କମିଟିର ନେତୃତ୍ୱ ଦିଆଗଲା ତାକୁ ନେଇ ଅସନ୍ତୋଷ    ଦେଖାଦେଇଛି । ବିଜେଡି ୨ମାସ ପରେ ମଧ୍ୟ ନିଜର ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା କରିବାରେ ସକ୍ଷମ ହୋଇନାହିିଁ କି ଦଳର ସମସ୍ତ ଛାମୁଆ ସଂଗଠନକୁ ଭାଙ୍ଗିବାର ମାସେ ପରେ ମଧ୍ୟ ତାକୁ ପୁର୍ନଗଠନ କରି ନାହିଁ । ଯାହାକୁ ନେଇ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଆଗରୁ ଅସନ୍ତୋଷ ଚାପି ହୋଇ ରହିଥିଲା । ଏବେ ଦେବୀ ମିଶ୍ରଙ୍କ ନେତୃତ୍ୱରେ କମିଟି ଗଢ଼ାଯିବା ପରେ ଏହି ଅସନ୍ତୋଷ ଉଗ୍ର ରୂପ ଧାରଣ କରିବାରେ ଲାଗିଥିବା ଚର୍ଚ୍ଚା ହେଉଛି । ଦେବୀଙ୍କୁ ସିଧାସଳଖ ବିରୋଧ ପାଇଁ ବିଜେଡିର ବିଧାୟକମାନଙ୍କ ଏକ ବୃହତ୍ ଗୋଷ୍ଠୀ ସଜବାଜ ହେଉଛନ୍ତି ଓ କମିଟିର କାର୍ଯ୍ୟକୁ ଖୋଲା ବିରୋଧ ପାଇଁ ସେମାନେ ଖୁବଶୀଘ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି ବୋଲି ଜଣାପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ‘ପାଣ୍ଡିଆନ ପ୍ରେମ’ ଯୋଗୁ ବିଜେଡି ତଳିତଳାନ୍ତ ହେବାରେ ଲାଗିଛି । ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁ ଦଳକୁ ଚଳିତ ନିର୍ବାଚନରେ   ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା । ନବୀନଙ୍କ ନିରବତାର ଫାଇଦା ନେଇ ପାଣ୍ଡିଆନ ସବୁ ଲୋକସଭା ଆସନକୁ ପରୋକ୍ଷରେ ଟେକି ଦେଇଛନ୍ତି । ଯେଉଁଥିପାଇଁ ୨୭ବର୍ଷ ପରେ ଲୋକସଭାରେ ବିଜେଡିର ପ୍ରତିନିଧିତ୍ୱ ଶୂନ ରହିଛି । ଆଉ ପାଣ୍ଡିଆନ ମନମୁଖୀ କାରବାର ଯୋଗୁ ରାଜ୍ୟସଭାରେ ବି ବିଜେଡି ଛିଡ଼ିବାରେ ଲାଗିଛି । ଦଳର ଜଣେ ସାଂସଦ ଇସ୍ତଫା ଦେଇସାରିଛନ୍ତି ଓ ଆଉ ୩-୪ଜଣ ସାଂସଦ ଚଳିତ ମାସକ ମଧ୍ୟରେ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ଆଉ ଏପଟେ ବିଧାନସଭାରେ ଦଳର ମୋଟ ୫୧ଜଣ ବିଧାୟକ ଥିଲେ ମଧ୍ୟ ପାଣ୍ଡିଆନ ଓ ତାଙ୍କ ଟିମକୁ ତୋଷାମଦ କରୁନଥିବାରୁ ବହୁ ବରିଷ୍ଠ ଅଭିଜ୍ଞ ବିଧାୟକଙ୍କୁ ସଂଗଠନରେ ଅଲୋଡ଼ା ଓ କୋଣଠେସା କରି ରଖାଯାଇଛି । ଯେଉଁଥିପାଇଁ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Advertisment

ଚର୍ଚ୍ଚା ହେଉଛି,  ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିରେ ବିଜେଡି ନିଜର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଏକଜୁଟ କରି ରଖିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ହାତଗଣତି ତୋଷାମଦକାରୀଙ୍କୁ ଧରି ଯେଭଳି କାର୍ଯ୍ୟକ୍ରମ କରୁଛି ତାହା ଦଳକୁ ପତନ ଆଡ଼କୁ ନେଇଯାଉଛି । ବିଧାୟକ ଓ ସାଂସଦଙ୍କୁ ଏକଜୁଟ୍ କରି ରଖିବାକୁ ପ୍ରାଥମିକତା ଦେବା ବଦଳରେ ବିଜେଡି ଏବେ ପାଣ୍ଡିଆନଙ୍କ ତୁଷ୍ଟୀକରଣରେ ଲିପ୍ତ ଥିବା ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇ ପୁରସ୍କୃତ କରିବାରେ ଲାଗିଛି । ଦେବୀଙ୍କ ନେତୃତ୍ୱରେ ଯେଉଁ ୧୫ଜଣିଆ କମିଟି ଗଠନ ହୋଇଛି, ସେହି କମିଟିକୁ କିଏ କାହିଁକି ଗ୍ରହଣ କରିବ ତାହା ମଧ୍ୟ ଏବେ ଦଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡିର ନିର୍ବାଚନ ବିପର୍ଯ୍ୟୟ ପାଇଁ ପାଣ୍ଡିଆନ ଓ ତାଙ୍କ ଟିମକୁ ‘ଖଳନାୟକ’ ବିବେଚନା କରୁଥିବା ଦଳର ଲକ୍ଷ ଲକ୍ଷ କର୍ମୀ ଓ ନେତାମାନେ ଦଳୀୟ ଶୃଙ୍ଖଳା ପାଇଁ ନିରବ ରହିଛନ୍ତି । କିନ୍ତୁ ବିଜେଡି ନିଜର ଏହି ନିର୍ବାଚନୀ ବିପର୍ଯ୍ୟୟରୁ କିଛି ଶିଖିବା ପରିବର୍ତ୍ତେ ପୁଣିଥରେ ପାଣ୍ଡିଆନଙ୍କୁ କୋଳେଇ ଧରିବା ଓ ପ୍ରତ୍ୟାଖ୍ୟାତ ଦେବୀ ମିଶ୍ରଙ୍କୁ କମିଟିର ନେତୃତ୍ୱ ଦେଇ ପରୋକ୍ଷରେ ପାଣ୍ଡିଆନଙ୍କ ‘ବୋଲକରା କମିଟି’ କରାଯାଇଥିବା ସ୍ପଷ୍ଟ ହୋଇଛି । ଯାହାକି ଦଳରେ ଅଧିକ ଅସନ୍ତୋଷର କାରଣ ହୋଇଛି ।

ଦଳରେ ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରିନାରାୟଣ ପାତ୍ରଙ୍କ ଭଳି ବରିଷ୍ଠ ବିଧାୟକମାନଙ୍କ ସମେତ ନିର୍ବାଚନ ଲଢ଼ି ନଥିବା ବରିଷ୍ଠ ନେତା ଅମର ଶତପଥୀ, ପ୍ରଫୁଲ୍ଲ ଘଡ଼େଇ, ପିନାକୀ ମିଶ୍ର ଓ ରବି ନନ୍ଦଙ୍କ ଭଳି ନେତା ବି ଅଛନ୍ତି । ଯେଉଁମାନଙ୍କୁ ଦଳ ଏବେ ସଂଗଠନ କାର୍ଯ୍ୟରେ ଉପଯୋଗ କରି ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇ ପାରନ୍ତା । କିନ୍ତୁ ତା’ ନକରି ପ୍ରତ୍ୟାଖ୍ୟାତ ଦେବୀ ମିଶ୍ରଙ୍କ ନେତୃତ୍ୱରେ ଏକ ଦନ୍ତହୀନ କମିଟି ଗଢ଼ି କେବଳ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ପ୍ରୟାସ ହେଇଛି । ଯାହାକୁ ନେଇ ଦଳରେ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ବେଳଥାଉ ଥାଉ ବିଜେଡି ଯଦି ନିଜର ଛାମୁଆ ସଂଗଠନଗୁଡ଼ିକର ପୁର୍ନଗଠନ ନକରେ ଓ ଦେବୀଙ୍କ ମାଧ୍ୟମରେ ସଂଗଠନକୁ ନିୟନ୍ତ୍ରଣ କରିବା ଜିଦରୁ ପାଣ୍ଡିଆନ ନଓହରିନ୍ତି ତା’ହେଲେ ବିଜେଡି ଭୁଶୁଡ଼ିବା ନିଶ୍ଚିତ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe