Advertisment

ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟ ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କା, ୨୦୨୫-୨୬ରେ ୮.୫% ହାରରେ ଅଭିବୃଦ୍ଧି ଲକ୍ଷ୍ୟ

ପ୍ରଥମଥର ପାଇଁ ରାଜ୍ୟର ଅର୍ଥନୀତିକ ସର୍ଭେ ରିପୋର୍ଟର କଭରପୃଷ୍ଠାରେ ‘ବିକଶିତ ଭାରତ’ର ସ୍ଲୋଗାନ ସ୍ଥାନ ପାଇଛି ।

undefined

Lokasabha Bhaban

Advertisment

ଆର୍ଥିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଓଡ଼ିଶା ଏକ ସଫଳ ରାଜ୍ୟ । ଆର୍ଥିକ ଶୃଙ୍ଖଳା ପାଳନ ଓ ବିଚକ୍ଷଣ ଆର୍ଥିକ ନୀତି ମାଧ୍ୟମରେ ସ୍ଥାୟୀ ଅଭିବୃଦ୍ଧି ଓ ବିକାଶ ବଜାୟ ରଖିବାର କ୍ଷମତା ଓଡ଼ିଶାର ରହିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତିର ଆକଳନ ୯.୫ଲକ୍ଷ କୋଟି ଟଙ୍କା(୧୧୩ବିଲିୟନ ଆମେରିକୀୟ ଡଲାର)ର ଥିବାବେଳେ ୭.୨% ହାରରେ ବାସ୍ତବ ଅଭିବୃଦ୍ଧି ହେବ ବୋଲି ଆକଳନ କରିଥିବା ରାଜ୍ୟ ସରକାର ଏହି ବର୍ଷରେ ଓଡ଼ିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଢ଼ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ଦାବି କରିଛନ୍ତି । କେବଳ ସେତିକି ନୁହେଁ ବିଭିନ୍ନ ସୁଯୋଗର ଫାଇଦା ଉଠାଇ ମଧ୍ୟମ ଅବଧିରେ ଓଡ଼ିଶା ଉଚ୍ଚ ଅଭିବୃଦ୍ଧି ହାସଲ କରିବାର ସାମର୍ଥ୍ୟ ରଖିଛି ଓ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ବାସ୍ତବ ଅଭିବୃଦ୍ଧି ହାର ୮ରୁ ୮.୫% ରହିବ ବୋଲି ଆକଳନ କରିଛନ୍ତି ।

Advertisment

ଶନିବାର ବିଧାନସଭାରେ ଉପସ୍ଥାପିତ ‘ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫’ରେ ରାଜ୍ୟ ସରକାର ଓଡ଼ିଶାର ଗୋଲାପୀ ଅର୍ଥନୀତିର ଚିତ୍ରକୁ ଉପସ୍ଥାପନ କରିବା ସହ ଏକ ଦୃଢ଼ ଆର୍ଥିକ ଭିତ୍ତିଭୂମି ଆଶାରେ ଓଡ଼ିଶା ସରକାର ଏହାର  ପରିଚାଳନାରେ ଉନ୍ନତି ଆଣିବା ପାଇଁ ଅନେକ ସଂସ୍କାର ଆଣିଥିବା ଦାବି କରିଛନ୍ତି । ୨୦୨୪-୨୫ ଆର୍ôଥକ ବର୍ଷରେ ଓଡ଼ିଶାର ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କାର ହେବ ବୋଲି ଆକଳନ କରିଛନ୍ତି । ଖଣିଜ ପଦାର୍ଥକୁ ନେଇ ଭବିଷ୍ୟତର ଶିଳ୍ପ, ସୁଦୀର୍ଘ ଉପକୂଳ,ଅଭିବୃଦ୍ଧି ପାଇ ଅନୁକୂଳ ଓ ଲାଭଦାୟକ ଜନସଂଖ୍ୟାକୁ ଉପଯୋଗ କରି ଓଡ଼ିଶା ଏକ ନୂଆ ଅଭିବୃଦ୍ଧିର ପଥ ପ୍ରଶସ୍ତ କରିପାରିବ ବୋଲି ଆଶା ବାନ୍ଧିଛନ୍ତି । ଆବଶ୍ୟକ ଭିତ୍ତିଭୂମି ବିକାଶରେ ବହୁମୁଖୀ ସୁବିଧା ଆଧାରିତ ପୁଞ୍ଜିନିବେଶରୁ ଭବିଷ୍ୟତରେ ଉଲ୍ଲେଖନୀୟ ଲାଭ ହାସଲର ଆଶା ସହ ଅଗ୍ରଣୀ କ୍ଷେତ୍ରରେ ମହିଳାଙ୍କ ସମେତ ଶିଳ୍ପ ସମ୍ବନ୍ଧୀୟ କର୍ମଚାରୀ ପ୍ରଶିକ୍ଷଣ ଓଡ଼ିଶାର ଅର୍ଥନୀତିରେ ପରିବର୍ତ୍ତନ ଆଣିବା ଏବଂ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦର୍ଶାଇଛନ୍ତି ।

ପ୍ରଥମଥର ପାଇଁ ରାଜ୍ୟର ଅର୍ଥନୀତିକ ସର୍ଭେ ରିପୋର୍ଟର କଭରପୃଷ୍ଠାରେ ‘ବିକଶିତ ଭାରତ’ର ସ୍ଲୋଗାନ ସ୍ଥାନ ପାଇଛି । ଅତ୍ୟାବଶ୍ୟକ ଦରଦାମ ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକ ହୋ-ହାଲ୍ଲା କରୁଥିଲେ ମଧ୍ୟ ଓଡ଼ିଶାର ମୁଦ୍ରାସ୍ପୀତି ଦୃଷ୍ଟିକୋଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସକରାତ୍ମକ ମତ ରଖିଥିବା ଏହି ରିପୋର୍ଟରେ ଦାବି କରାଯାଇଛି । ୨୦୨୫ ଜାନୁୟାରୀ ମୁଦ୍ରାନୀତିର ବିବୃତ୍ତି ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଦ୍ରାସ୍ପିତୀ ହାର ୪.୮ ପ୍ରତିଶତ ରହିବ, ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ୫.୪% ଥିଲା । ସ୍ୱାଭାବିକ ମୌସୁମୀ ରହିଲେ ୨୦୨୫-୨୬ରେ ମୁଦ୍ରାସ୍ପୀତି ହାର ୪.୨ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିବା ଏହି ସର୍ଭେ ରିପୋର୍ଟରେ ସରକାର ଦର୍ଶାଇଛନ୍ତି ।

Advertisment

ସେହିପରି ୨୦୨୪-୨୫ରେ ରାଜ୍ୟର ମୁଣ୍ଡପିଛା ଆୟ ୧୦.୬% ବୃଦ୍ଧି ପାଇ ୧.୮୩ଲକ୍ଷ ଟଙ୍କାରେ ପହଂଚିଛି । ଏହି ଆର୍ଥିକ ବର୍ଷରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଓ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦ ପ୍ରତିଶତ ଆକଳନ ହୋଇଛି । ତା’ଛଡ଼ା ୨୦୨୪-୨୫ ବଜେଟରେ ଆକଳନ ଋଣ-ଜିଏସଡିପି ଅନୁପାତ ୧୩.୨ ପ୍ରତିଶତ ରହିଛି ଯାହାକି ସମଗ୍ର ଦେଶରେ ସର୍ବନିମ୍ନ । ୨୦୨୪-୨୫ ବଜେଟ ଆକଳନରେ ରାଜ୍ୟର ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ୧.୨୮ଲକ୍ଷ କୋଟି ଟଙ୍କା ଯାହାକି ୨୦୨୩-୨୪ ସଂଶୋଧିତ ଆକଳନ ତୁଳନାରେ ପ୍ରାୟ ୨୩.୬ ପ୍ରତିଶତ ଅଧିକ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe