ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ: ୪ ଲୋକସଭା ରଣାଙ୍ଗନରେ ୩୭ ପ୍ରାର୍ଥୀ

ପ୍ରାର୍ଥୀପତ୍ର ଯାଂଚ ପରେ ୩୮ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ରହିଥିଲା

representation image

  • Published: Monday, 29 April 2024
  • , Updated: 29 April 2024, 10:55 PM IST

ରାଜ୍ୟରେ ଆସନ୍ତା ମେ’ ୧୩ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍ ନିମନ୍ତେ ୩୭ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନରେ ମୋଟ ୩୭ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ରହିଛି । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିବାବେଳେ ଏହି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ପ୍ରାର୍ଥୀପତ୍ର ଯାଂଚ ପରେ ୩୮ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ରହିଥିଲା । ତେବେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ଜଣେ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବାରୁ ମୋଟ ୩୭ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଥିରେ ମୋଟ ୭ଜଣ ମହିଳା ପ୍ରାର୍ଥୀ ଅଛନ୍ତି । କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ୧୧ଜଣ, ନବରଙ୍ଗପୁରରୁ ୪ଜଣ, ବ୍ରହ୍ମପୁରରୁ ୧୧ଜଣ ଓ କୋରାପୁଟରୁ ୧୧ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କୋରାପୁଟରେ ସର୍ବାଧିକ ୪ଜଣ ମହିଳା, ବ୍ରହ୍ମପୁରରେ ଜଣେ ଓ କଳାହାଣ୍ଡିରେ ୨ଜଣ ମହିଳା ପ୍ରାର୍ଥୀ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ୨୮ଟି ବିଧାନସଭା ମଣ୍ଡଳୀ ପାଇଁ ମୋଟ ୨୬୬ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ପ୍ରାଥୀପତ୍ର ଖାରଜ ହେବାପରେ ୨୫୬ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବୈଧ ରହିଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୮ଜଣ ପ୍ରାର୍ଥୀ ବ୍ରହ୍ମପୁର ବିଧାନସଭା ଆସନରେ ରହିଛନ୍ତି । ସେହିଭଳି ଝରିଗାଁ, ନବରଙ୍ଗପୁର ଓ ଡାବୁଗାଁରେ ସର୍ବନିମ୍ନ ୩ଜଣ ଲେଖାଏଁ ପ୍ରାର୍ଥୀ ଅଛନ୍ତି।

Related story