/odisha-reporter/media/post_attachments/uploadimage/library/16_9/16_9_0/Pm_Modi_1714040561.jpg)
Pm Modi
ଲୋକସଭା ନିର୍ବାଚନରେ ବିଜେପି ପାଇଁ ଭୋଟ ମାଗୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘କଂଗ୍ରେସ ମୁସଲମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲା’ ଅଭିଯୋଗ ମିଛ ବୋଲି କହିଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା। ଏହି ବ୍ୟବସ୍ଥା ଏଚଡି ଦେବଗୌଡ଼ାଙ୍କ ଜନତା ଦଳ ସରକାର ଲାଗୁ କରିଥିଲେ ବୋଲି ସେ କହିଛନ୍ତି। ଦେବଗୌଡ଼ାଙ୍କ ଦଳ ଏବେ ବିଜେପି ସହିତ ମେଣ୍ଟରେ ଅଛି।
ଗୋଟିଏ ନିର୍ବାଚନ ରାଲିରେ ମୋଦି କହିଥିଲେ ଯେ କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକା ସରକାର ରାଜ୍ୟର ଓବିସି ବର୍ଗରେ ମୁସଲିମ ସଂପ୍ରଦାୟର ଲୋକଙ୍କୁ ସାମିଲ କରିଥିଲେ। କିନ୍ତୁ ସାମ୍ନାକୁ ଆସିଥିବା ଦସ୍ତାବିଜ କିଛି ଭିନ୍ନ କଥା କହୁଛି।
କଂଗ୍ରେସ ନୁହେଁ, ବରଂ ୧୯୯୫ରେ ରାଜ୍ୟରେ କ୍ଷମତାରେ ଥିବା ଏଚଡି ଦେବଗୌଡ଼ାଙ୍କ ଜନତା ଦଳ ମୁସଲିମ ସଂପ୍ରଦାୟର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲା।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ଦେବଗୌଡ଼ାଙ୍କ ଜେଡିଏସ୍ ଏବେ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟ। ବିଜେପି ଓ ଜେଡିଏସ୍ ମିଳିତ ଭାବେ କର୍ଣ୍ଣାଟକାରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି।
କଂଗ୍ରେସ ଓବିସି ସଂପ୍ରଦାୟର ସବୁଠାରୁ ବଡ଼ ଶତ୍ରୁ ବୋଲି ମୋଦି ମଧ୍ୟପ୍ରଦେଶରର ଗୋଟିଏ ନିର୍ବାଚନ ରାଲିରେ ଅଭିଯୋଗ କରିଥିଲେ। ସେ କହିଥିଲେ, “ପୁଣିଥରେ କଂଗ୍ରେସ ପୁଣିଥରେ ଧର୍ମ ଆଧାରରେ କର୍ଣ୍ଣାଟକାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛି। ପଛ ଦ୍ୱାରରେ ଓବିସି ତାଲିକାରେ ମୁସଲିମ ସଂପ୍ରଦାୟର ଲୋକଙ୍କୁ ସାମିଲ କରିଛି। ଏପରି ପଦକ୍ଷେପ ସଂରକ୍ଷଣ ଓ ସୁବିଧା ସୁଯୋଗରୁ ଓବିସି ବର୍ଗଙ୍କୁ କିଛି ମାତ୍ରାରେ ବଞ୍ଚିତ କରିବ।”
ତେବେ ଏହାକୁ ମିଛ ବୋଲି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି। କଂଗ୍ରେସ ପଛୁଆ ବର୍ଗ ଲୋକଙ୍କ ସଂରକ୍ଷଣକୁ ମୁସଲିମଙ୍କୁ ଦେଇଥିବା ଦାବି ସଂପୂର୍ଣ୍ଣ ମିଛ ବୋଲି ସେ କହିଥିଲେ। ଏଥିସହ ସେ ଦେବଗୌଡ଼ାଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ।
ସିଦ୍ଦରମୈୟା କହିଛନ୍ତି, “କ’ଣ ଏବେ ବି ମୁସଲିମମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପ୍ରଥମେ ଆରମ୍ଭ କରିଥିବା ଦେବଗୌଡ଼ା ନିଜ ନିଷ୍ପତ୍ତିରେ କାଏମ ରହିବେ? ନା ନରେନ୍ଦ୍ର ମୋଦିଙ୍କ ପାଖରେ ଆତ୍ମସମର୍ପଣ କରିବେ ଓ ନିଜର ପୂର୍ବ ଆଭିମୁଖ୍ୟକୁ ବଦଳାଇବେ? ସେ ରାଜ୍ୟବାସୀଙ୍କ ପାଖରେ ଏହା ସ୍ପଷ୍ଟ କରନ୍ତୁ।”
୧୯୯୫ରେ ଦେବଗୌଡ଼ା ସରକାର କର୍ଣ୍ଣାଟକାରେ ମୁସଲିମମାନଙ୍କ ପାଇଁ ୪% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଓବିସିଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ଅଧୀନରେ ସେମାନଙ୍କ ପାଇଁ ଏପରି ପଦକ୍ଷେପ ନିଆଯାଇଥିଲା।
୧୯୯୫ ମସିହା ଫେବୃଆରୀ ୧୪ରେ କର୍ଣ୍ଣାଟକା ସରକାର ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଚିନ୍ନାପ୍ପା ରେଡ୍ଡୀ କମିଶନ ରିପୋର୍ଟ ଓ ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ଗାଇଡ ଲାଇନ ଅନୁସାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା। ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହେବନି ବୋଲି ସୁପ୍ରିମକୋର୍ଟ କହିଥିଲେ।
ରେଡ୍ଡୀ କମିଶନ ଓବିସି ତାଲିକାରେ ମୁସଲିମମାନଙ୍କୁ କ୍ୟାଟାଗୋରୀ ୨ରେ ରଖିବାକୁ ସୁପାରିସ କରିଥିଲେ। ଏହାକୁ ବିଚାରକୁ ନେଇ ବୀରାପ୍ପା ମୋଇଲୀ ନେତୃତ୍ୱାଧୀନ କଂଗ୍ରେସ ସରକାର ୧୯୯୪ ମସିହା ଏପ୍ରିଲ ୨୦ ଓ ଏପ୍ରିଲ ୨୫ରେ ନିର୍ଦ୍ଦେଶନାମା ଜାରି କରିଥିଲେ। କ୍ୟାଟାଗୋରୀ ୨(ବି)ରେ ମୋଇଲୀ ସରରକାର ସର୍ବାଧିକ ପଛୁଆ ବର୍ଗଙ୍କ ପାଇଁ ୬% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଏଥିରେ ମୁସଲିମ, ବୌଦ୍ଧ ଓ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। କେବଳ ମୁସଲିମମାନଙ୍କୁ ୪% ସଂରକ୍ଷଣ ବ୍ୟବସ୍ଥାରେ ସାମିଲ କରାଯାଇଥିଲା।
କଂଗ୍ରେସ ସରକାରଙ୍କ ଏହି ପଦକ୍ଷେପ ୧୯୯୪ ମସିହା ଅକ୍ଟୋବାର ୨୪ରୁ କାର୍ଯ୍ୟକାରୀ ହେବାର ଥିଲା। କିନ୍ତୁ ସଂରକ୍ଷଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ୧୯୯୪ ମସିହା ସେପ୍ଟେମ୍ବର ୯ ତାରିଖରେ ସର୍ବୋଚ୍ଚ ଅଦାଲତ ଗୋଟିଏ ଅନ୍ତରୀଣ ନିର୍ଦ୍ଦେଶରେ ମୋଟ ସଂରକ୍ଷଣ ୫୦% ମଧ୍ୟରେ ରହିବ ବୋଲି କହିଥିଲେ। ଏଥିସହ ସଂରକ୍ଷଣ ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ ଅନୁସୂଚିତ ଜାତି, ଜନଜାତି ଓ ଓବିସି ବର୍ଗର ଲୋକଙ୍କ ପାଇଁ କରିବାକୁ କହିଥିଲେ।
ତେଣୁ ମୋଇଲୀ ସରକାର ଏହାକୁ ଲାଗୁ କରି ପାରି ନଥିଲେ। ସରକାର ରାଜନୀତିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ଓ ୧୯୯୪ ମସିହା ଡିସେମ୍ବର ୧୧ରେ ସରକାର ଭାଙ୍ଗି ଯାଇଥିଲା।
୧୯୯୪ ମସିହା ଡିସେମ୍ବର ୧୧ରେ ଏଚଡି ଦେବଗୌଡ଼ା କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୧୯୯୫ ମସିହା ଫେବୃଆରୀ ୧୪ରେ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରିଥିଲେ।
ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଏସ୍ସି ଓ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଯଥାକ୍ରମେ କ୍ୟାଟାଗୋରୀ ୧ ଓ ୨ଏକୁ ଆଣିଥିଲା। ୨(ବି) ସଂରକ୍ଷଣ ବ୍ୟବସ୍ଥାରେ ମୁସଲିମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ୪% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା।
୨୦୦୬ରେ ଜେଡିଏସ ଓ ବିଜେପି ସରକାର ଗଠନ କରାଯାଇଥିଲା। ସେହିପରି ୨୦୦୮ରେ ବିଏସ୍ ୟେଦ୍ୟୁରପ୍ପା କ୍ଷମତାକୁ ଆସିଥିଲେ। ହେଲେ କେହି ବି ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ କରି ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
