ଅପରାହ୍ନରେ ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ରାତିରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ନରେ ଓ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା(ଫାଇଲ ଫଟୋ)

  • Published: Saturday, 04 May 2024
  • , Updated: 04 May 2024, 08:52 PM IST

ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ରହିଥିବାବେଳେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ନିର୍ବାଚନୀ ଉଷ୍ମତାକୁ ବଢ଼ାଇ ଦେଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ନରେ ଓ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଅପରାହ୍ନରେ ୩ଟାରେ ଭୁବନେଶ୍ୱରରେ ପହଂଚି ଦଳୀୟ ଇସ୍ତାହାରକୁ ଲୋକାର୍ପଣ କରିବେ । ଶ୍ରୀ ନଡ୍ଡା ଅପରାହ୍ନ ସାଢ଼େ ୩ଟାରେ ଓଡ଼ିଶା ପାଇଁ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି(ଇସ୍ତାହାର)କୁ ଶ୍ରୀ ନଡ୍ଡା ଲୋକାର୍ପଣ କରି ଫେରିଯିବାର କାର୍ଯ୍ୟକ୍ରମ ରହିଛି ।  ଦଳୀୟ ନିର୍ବାଚନୀ ଇସ୍ତାହାରକୁ ‘ବିଜେପି ସଂକଳ୍ପ ପତ୍ର’ ଆକାରରେ ଲୋକଙ୍କ ପାଖରେ ଉପସ୍ଥାପନ କରିବ ବୋଲି ସେ କହିଛନ୍ତି । ଶ୍ରୀ ନଡ୍ଡା ମାତ୍ର ଦେଢ଼ରୁ ଦୁଇ ଘଣ୍ଟା ପାଇଁ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ । ଆସନ୍ତାକାଲି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି ରାତ୍ରିଯାପନ କରିବାପରେ ୬ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଓ ମଧ୍ୟାହ୍ନ ସାଢ଼େ ୧୨ଟାରେ ନବରଙ୍ଗପୁରର ଚିକିଲି ଛକଠାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ସୋମବାର ବ୍ରହ୍ମପୁର ଗସ୍ତରେ ଯିବା ପୂର୍ବରୁ ସକାଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କିମ୍ବା ଲିଙ୍ଗରାଜ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାର ସମ୍ଭାବନା ରହିଛି । ଯଦିଓ ଏନେଇ ଦଳ ପକ୍ଷରୁ କିଛି ସୂଚନା ମିଳିନି ତଥାପି ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି ।

Related story