ଭି.କେ ପାଣ୍ଡିଆନଙ୍କ ମିଛ!

ବିଜେଡିର ଷ୍ଟାର କାମ୍ପେନର ଭି.କେ. ପାଣ୍ଡିଆନ ଅଫିସର ଥିବାବେଳେ ସର୍ବସାଧାରଣରେ ଯେତିକି ମିଛ ତଥ୍ୟ ଦେଉଥିଲେ, ଏବେ ନେତା ହେଲା ପରେ ତାହାର ମାତ୍ରା ଢ଼େର ବଢ଼ିଯାଇଛି...

ବାମରୁ ଭି.କେ ପାଣ୍ଡିଆନ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Tuesday, 07 May 2024
  • , Updated: 08 May 2024, 12:04 PM IST

‘ରାଜନୀତିରେ ମିଛ ଓ ଗୁଜବ ଅତି ଖରାପ’- ମାର୍ଚ୍ଚ ୧୦ ତାରିଖରେ ଭି.କେ. ପାଣ୍ଡିଆନଙ୍କୁ ଏକଥା କହିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମାତ୍ର ଏବେ ଦେଖାଯାଉଛି, ବିଜେଡିର ଷ୍ଟାର କାମ୍ପେନର ଭି.କେ. ପାଣ୍ଡିଆନ ଅଫିସର ଥିବାବେଳେ ସର୍ବସାଧାରଣରେ ଯେତିକି ମିଛ ତଥ୍ୟ ଦେଉଥିଲେ, ଏବେ ନେତା ହେଲା ପରେ ତାହାର ମାତ୍ରା ଢ଼େର ବଢ଼ିଯାଇଛି।

ନଜର ପକାନ୍ତୁ କିଛି ମାସ ଭିତରେ ତାଙ୍କର କିଛି ମିଛ ତଥ୍ୟପୂର୍ଣ୍ଣ ଭାଷଣ ଉପରେ…

ମିଛ ନମ୍ବର-1:

୨୦୨୪ ମସିହା ମେ ୬ ତାରିଖ। ନୂଆପଡ଼ା। 5-T ଅଧ୍ୟକ୍ଷ ତଥା ବିଜେଡିର ଷ୍ଟାର କାମ୍ପେନର ଭି.କେ. ପାଣ୍ଡିଆନ୍ ସଭା ମଞ୍ଚରେ କହିଲେ, ବିଜେପି ତା’ର ଇସ୍ତାହାରରେ କହିଛି କ୍ଷମତାକୁ ଆସିଲେ, ବିଏସକେୱାଇ ଭଳି ଅନେକ ଯୋଜନା ବନ୍ଦ କରିଦେବ। ନବୀନଙ୍କ ହାତ ମୁଠାକୁ ଟାଣ କରନ୍ତୁ, କେହି ସାହସ କରିବେନି ଏହି ଯୋଜନା ସବୁକୁ ବନ୍ଦ କରିବାକୁ।

ପ୍ରକୃତ ତଥ୍ୟ: ବିଜେପି ଇସ୍ତାହାରରେ ଏଭଳି ଯୋଜନା ବନ୍ଦ ହେବା ନେଇ କିଛି ତଥ୍ୟ ନାହିଁ। ବରଂ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ମେ ୧ ତାରିଖରେ କହିଥିଲେ, ବିଏସକେୱାଇ ବନ୍ଦ ହେବନି। ଏଥିରେ କେନ୍ଦ୍ରର ଆୟୁଷ୍କାନ ଭାରତ ଯୋଜନା ଯୋଡ଼ି ଦିଆଯିବ। ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା ପରିଧି ୧୦ ଲକ୍ଷ ଓ ମହିଳାଙ୍କ ପାଇଁ ଏହି ପରିଧି ୧୦ ଲକ୍ଷରୁ ୧୫ ଲକ୍ଷ କରାଯିବ। ମାତ୍ର ଭି.କେ. ପାଣ୍ଡିଆନ୍ ଏହି ଗୋଟିଏ କଥାକୁ ଅନେକ ସଭାରେ ବାରମ୍ବାର କହି ଚାଲିଛନ୍ତି।

ମିଛ ନମ୍ବର-2

ଭି.କେ. ପାଣ୍ଡିଆନ୍ ମେ ୬ ତାରିଖରେ ବିଜେପି ଇସ୍ତାହାରକୁ କଟାକ୍ଷ କରି କହିଲେ, ବିଜେପି କ୍ଷମତାକୁ ଆସିଲେ ବିଭିନ୍ନ ସାମାଜିକ ଭତ୍ତାକୁ ମାସିକ ୩ ହଜାର ଟଙ୍କା କରିବ କହୁଛି। ମାତ୍ର ବିଡ଼ମ୍ବନା ହେଉଛି ‘ଡବଲ ଇଞ୍ଜିନ ସରକାର ମାତ୍ର ୩୦୦ ଟଙ୍କା ଭତ୍ତା ଦେଉଛନ୍ତି। ଅନ୍ୟ ପକ୍ଷରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ୧,୦୦୦ ଟଙ୍କା ପ୍ରଦାନ କରୁଛନ୍ତି।’

ପ୍ରକୃତ ତଥ୍ୟ: ରାଜ୍ୟସଭାରେ ଅଗଷ୍ଟ ୧୦ ତାରିଖରେ ମିଳିଥିବା ଉତ୍ତର ଅନୁଯାୟୀ, ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡରେ ମାସିକ ସାମାଜିକ ଭତ୍ତା ପରିମାଣ ୧୫୦୦ ରହିଥିବା ବେଳେ ଉତ୍ତରପ୍ରଦେଶରେ ହଜାରେ ଟଙ୍କା ରହିଛି। ବିଜେପି ଶାସିତ ହରିୟାଣାରେ ମାସିକ ଭତ୍ତା ୨୮୦୦ ଟଙ୍କା ରହିଛି। ଆନ୍ଧ୍ର ଓ ତେଲେଙ୍ଗାନାରେ ବିଜେପି ନଥିଲେ ମଧ୍ୟ ସେଠାରେ ମାସିକ ୩ ହଜାର ଟଙ୍କା ଭତ୍ତା ମିଳୁଛି। ବିଜେପି ଶାସିତ ଆସାମରେ ୩୦୦ ଟଙ୍କା ଭତ୍ତା ମିଳୁଛି। ମାତ୍ର ଡବଲ ଇଂଜିନ୍ ସରକାରରେ ୩୦୦ ଟଙ୍କା ଭତ୍ତା ମିଳେ ବୋଲି ଅର୍ଦ୍ଧ ସତ୍ୟ କହିବା କେତେ ଠିକ୍‌?

ମିଛ ନମ୍ବର-3

୨୦୨୪ ମସିହା ମେ ୬ ତାରିଖ। ନୟାଗଡ଼। ଭି. କେ. ପାଣ୍ଡିଆନ୍ କହିଲେ, ୨୦୧୪ ମସିହାରେ ବିଜେପି ସଂକଳ୍ପପତ୍ର ଆଣିଥିଲା। ବର୍ଷକୁ ୨ କୋଟି ଚାକିରି ଦେବ ବୋଲି ଲେଖିଥିଲା। ୧୦ ବର୍ଷରେ ଦେଶରେ ୨୦ କୋଟି ଓ ଓଡ଼ିଶାକୁ ୮୦ ଲକ୍ଷ ଚାକିରି ମିଳିବା କଥା। କିନ୍ତୁ ଚାକିରି ଗଲା କୁଆଡ଼େ?

ପ୍ରକୃତ ତଥ୍ୟ:

ବିଜେପି ତା’ର ୨୦୧୪ ଇସ୍ତାହାରରେ ବର୍ଷକୁ ୨ କୋଟି ଚାକିରି ଦେବା ନେଇ କୌଣସି ଲିଖିତ ପ୍ରତିଶ୍ରୁତି ଦେଇନଥିଲା। ଏଭଳି ଏକ ତ୍ରୁଟିକୁ ଅନେକ ଫ୍ୟାକ୍ଟ-ଚେକ୍ ସାଇଟ୍ ଓ ନ୍ୟୁଜ ଚାନେଲ ମିଛ ବୋଲି ବାରମ୍ବାର ପ୍ରମାଣିତ କରିଥିଲେ ମଧ୍ୟ ପାଣ୍ଡିଆନ ସେହି ମିଛ ଦୋହରାଇଛନ୍ତି।

ମିଛ ନମ୍ବର-4:

୨୦୨୪ ଫେବ୍ରୁଆରୀ ୪ ତାରିଖ। ପୁରୀ: ନୂଆ-ଓ କାର୍ଯ୍ୟକ୍ରମରେ ପିଲାଙ୍କୁ ସମ୍ବୋଧନ କରୁଥିଲେ ଭି.କେ. ପାଣ୍ଡିଆନ। ପିଲାଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ଯାଇ କହିଲେ- ‘କେବେ ବିଶ୍ୱାସ ନଥିଲା ମୁଁ ଆଇଏଏସରେ ପାସ୍‌ କରିବି ବୋଲି। ମୋର ବିଶ୍ୱାସ ନଥିଲା ମୁଁ ଅଲ ଇଣ୍ଡିଆ ଏଣ୍ଟ୍ରାନସରେ ନମ୍ବର-୧ରେ ଆସିବି ବୋଲି। କେବଳ କଠିନ ପରିଶ୍ରମ ଦ୍ୱାରା ହୋଇପାରିଲି…’

ପ୍ରକୃତ ତଥ୍ୟ: ତାମିଲନାଡୁରେ ଜନ୍ମିତ ଭି. କେ. ପାଣ୍ଡିଆନ୍ ୨୦୦୦-ବ୍ୟାଚର ଆଇଏଏସ୍ ହୋଇଥିବା ବେଳେ, ସେହି ବ୍ୟାଚରେ ନମ୍ବର-୧ ହୋଇଥିଲେ ଉତ୍ତରପ୍ରଦେଶର ସୋରାଭ ବାବୁ। ୧୯୯୯ -ବ୍ୟାଚର ଟପ୍ପର ପଞ୍ଜାବର ଭାବନା ଗର୍ଗ ହୋଇଥିବା ବେଳେ, ୨୦୦୪-ବ୍ୟାଚର ଟପ୍ପର ଥିଲେ ଓଡ଼ିଶାର ରୁପା ମିଶ୍ର।

ମିଛ ନମ୍ବର-5:

୨୦୨୨ ମସିହା ମେ ୯ ତାରିଖ। ଚାକିରି ଛାଡ଼ିବା ପୂର୍ବରୁ 5-T ସଚିବ ଥାଇ ଓଡ଼ିଶାର ଏକ ଟିଭି ଚ୍ୟାନେଲକୁ ‘ଓଡ଼ିଶାରେ କେମିତି କାମ କରୁଛି 5-T? ଉପଲବ୍ଧି ବଖାଣିଲେ 5-T ସଚିବ’ ଶୀର୍ଷକ ଏକ ୨୪ ମିନିଟର ଭିଡ଼ିଓ ଉପସ୍ଥାପନ ଦେଇଥିଲେ। ଏଥିରେ ସେ କହିଥିଲେ, “ଯେଉଁ ରାଜ୍ୟ ପୂର୍ବରୁ ସରକାରୀ କର୍ମଚାରୀଙ୍କ ଦରମା ଦେଇପାରୁନଥିଲା, ସେ ଏବେ ଦେଶର ଏକମାତ୍ର ରାଜସ୍ୱ ବଳକା ରାଜ୍ୟ ହୋଇପାରିଛି।”

ପ୍ରକୃତ ତଥ୍ୟ: ରିଜର୍ଭ ବ୍ୟାଙ୍କର ୱେବସାଇଟରେ ରାଜସ୍ୱ ବଳକା ବା ଖର୍ଚ୍ଚରେ ଶୃଙ୍ଖଳା ଆଣିଥିବା ରାଜ୍ୟମାନଙ୍କର ନାଁ ଦେଖିଲେ, ସ୍ପଷ୍ଟ ହୋଇଯାଏ, କେବଳ ଓଡ଼ିଶା ନୁହେଁ ଦେଶର ପ୍ରାୟ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଏବେ ରାଜସ୍ୱ ବଳକା ବଜେଟ ପ୍ରସ୍ତୁତ କରୁଛନ୍ତି। ୨୦୦୫ ମସିହାରେ ସଂସଦରେ ଗୃହୀତ ବିତ୍ତୀୟ ଶୃଙ୍ଖଳା ଆଇନ (FRBM Act, 2005) ଗୃହୀତ ହେବା ପରେ ଅଧିକାଂଶ ରାଜ୍ୟ ଏବେ ଏଭଳି ଆର୍ଥିକ ଶୃଙ୍ଖଳା ଆଣିବାକୁ ବାଧ୍ୟ ହୋଇଛନ୍ତି।

ଏମିତି ଭି.କେ ପାଣ୍ଡିଆନଙ୍କ ମିଛର ତାଲିକା ଖୁବ୍ ଲମ୍ବା ହେବ। ଏ ନେଇ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କୁହନ୍ତି- “ସେ ସରକାରୀ ଅଫିସର ବେଳୁ ଭୁଲ ତଥ୍ୟ ଦେଇଆସିଛନ୍ତି। ଏବେ ନେତା ହେଲା ପରେ ସେ ମିଛ କହିବା ପାଇଁ ଲାଇସେନ୍ସ ମିଳିଯାଇଥିବା ଭାବୁଛନ୍ତି। ସେ ଏବେ ସର୍ବଧାରଣରେ ଅନେକ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି।”

ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର କହୁନ୍ତି- “ସାଧାରଣ ଜୀବନରେ ବିଶ୍ୱସନୀୟତା ଜଣେ ନେତାର ଆଭୂଷଣ। ଲୋକଙ୍କ ବିଶ୍ୱାସ ରଖିନପାରିଲେ ତା’ର କୁପରିଣାମ ଭୋଗିବାକୁ ପଡ଼ିବ। ଲୋକେ କ୍ରମଶଃ ତାଙ୍କ କଥାକୁ ଗୁରୁତର ସହ ନେବେ ନାହିଁ। ତାଙ୍କର ଲୋକପ୍ରିୟତା ହ୍ରାସ ପାଇବ। ଅସୁବିଧା ହେଉଛି, ଆମେ ପ୍ରଜା ହେବା ପାଇଁ ବ୍ୟାକୁଳ। ନାଗରିକ ହେବା ପାଇଁ ନୁହେଁ। ଯେ କୌଣସି କଥାକୁ ଶୁଣି ତା’ର ବିଶ୍ଲେଷଣ ନ କରି ବିଶ୍ୱାସ କରିବା ଅନୁଚିତ।”

ରିପୋର୍ଟ- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନ୍‌ଗୋ

Related story