Advertisment

ରାହୁଲ ଗାନ୍ଧିଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ: ଘୋଷଣା କଲେ ସିନ୍ଦେ ସେନା ବିଧାୟକ

ସଂରକ୍ଷଣକୁ ନେଇ ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ବୟାନ ବିରୋଧରେ ବିଧାୟକ ଗାଏକ୍ୱାଡ ଏପରି ଘୋଷଣା କରିଛନ୍ତି।

author-image
Hemant Lenka
 Rahul Gandhi

Rahul Gandhi

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ବିଧାୟକ ସଞ୍ଜୟ ଗାଏକ୍ୱାଡ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଜିଭ ଯିଏ କାଟିବ, ତାଙ୍କୁ ସେ ୧୧ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦେବେ ବୋଲି ଘୋଷଣା କରିଛନ୍ତି। ସଂରକ୍ଷଣକୁ ନେଇ ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ବୟାନ ବିରୋଧରେ ବିଧାୟକ ଗାଏକ୍ୱାଡ ଏପରି ଘୋଷଣା କରିଛନ୍ତି।

Advertisment

ସଞ୍ଜୟ ଗାଏକ୍ୱାଡ କହିଛନ୍ତି, “ଭାରତରେ ସଂରକ୍ଷଣ ଶେଷ କରିବାକୁ ରାହୁଲ ଗାନ୍ଧି ଦେଇଥିବା ବୟାନ ଲୋକଙ୍କ ପ୍ରତି ସବୁଠାରୁ ବଡ଼ ମିଛ। ଗୋଟିଏ ପଟେ ମହାରାଷ୍ଟ୍ରରେ ସଂରକ୍ଷଣ ଦାବି ବଢ଼ୁଥିବା ବେଳେ ଅନ୍ୟପଟେ ରାହୁଲ ଗାନ୍ଧି ଦେଶରେ ସଂରକ୍ଷଣ ବ୍ୟବସ୍ଥା ଶେଷ ହେବ ବୋଲି ବୟାନ ଦେଉଛନ୍ତି।

ଏବେ ସେ ଦେଶରୁ ସଂରକ୍ଷଣ ଶେଷ କରିବା କଥା କହି କଂଗ୍ରେସର ଅସଲ ଚରିତ୍ର ସାମ୍ନାକୁ ଆଣିଛନ୍ତି। ଯେକୌଣସି ଲୋକ ରାହୁଲ ଗାନ୍ଧିଙ୍କ ଜିଭ କାଟିବ, ମୁଁ ତାଙ୍କୁ ପୁରସ୍କାର ଆକାରରେ ୧୧ ଲକ୍ଷ ଟଙ୍କା ଦେବି।”

Advertisment

ନିକଟରେ ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧି ସର୍ବ ଭାରତୀୟ ସ୍ତରରେ ଜାତିଗତ ଗଣନାର ଆବଶ୍ୟକତା ଉପରେ ମତ ରଖିଥିଲେ। ସେ କହିଥିଲେ, “ଭାରତ ଭଲ ସ୍ଥାନରେ ଯେତେବେଳେ ପହଞ୍ଚିଯିବ ସେତେବେଳେ ଆମେ ସଂରକ୍ଷଣ ଉଚ୍ଛେଦ ସମ୍ପର୍କରେ ଚିନ୍ତା କରିବୁ। ଭାରତ ଏବେ ଭଲ ସ୍ଥିତି ନାହିଁ।” ଏହି ବୟାନକୁ ଆଧାର କରି ବିଧାୟକ ଗାଏକ୍ୱାଡ ଆପତ୍ତିଜନକ ବୟାନ ଦେଇଛନ୍ତି।

ମହାରାଷ୍ଟ୍ରରେ ସିନ୍ଦେ ସେନାର ସହଯୋଗୀ ବିଜେପି କିନ୍ତୁ ଏହି ବୟାନ ଠାରୁ ନିଜକୁ ଦୂରେଇ ରଖିଛି। ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି, “ମୁଁ ଗାଏକ୍ୱାଡଙ୍କ ବୟାନକୁ ସମର୍ଥନ କରୁ ନାହିଁ। ତଥାପି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ସଂରକ୍ଷଣର ବିରୋଧରେ ମତ ରଖିଥିଲେ ବୋଲି ଆମେ ଭୁଲି ନାହୁଁ।”

Rahul Gandhi Maharashtra