ପ୍ରାର୍ଥୀ ଓ କର୍ମକର୍ତ୍ତାଙ୍କୁ ଶାହଙ୍କ ମନ୍ତ୍ର: କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି ସରକାର

ଓଡ଼ିଶାରେ ବିଜେପି ସରକାର ଗଠନ କରିବା ନେଇ କେନ୍ଦ୍ରୀୟ ନେତୃତ୍ୱ ସବୁପ୍ରକାରର ସହଯୋଗ କରିବ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ(ଫାଇଲ ଫଟୋ)

  • Published: Thursday, 25 April 2024
  • , Updated: 25 April 2024, 10:45 PM IST

କେନ୍ଦ୍ରରେ ମୋଦି ସରକାର, ଓଡ଼ିଶାରେ ବିଜେପି ସରକାର। ଏଭଳି ସ୍ଲୋଗାନ ଦେବାକୁ ଦଳୀୟ ପ୍ରାର୍ଥୀ ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି ବିଜେପିର ଚାଣକ୍ୟ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ । ଆଜି ଓଡ଼ିଶାରେ ନିର୍ବାଚନୀ ବିଗୁଲ ଫୁଙ୍କିଥିବା ଶ୍ରୀ ଶାହ ସୋନପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ଭୁବନେଶ୍ୱରରେ ଦଳୀୟ ପ୍ରଭାରୀ,ସଂଯୋଜକ,ପ୍ରାର୍ଥୀ ଓ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇ ଦିଲ୍ଲୀ ଫେରି ଯାଇଥିବା ଜଣାପଡ଼ିଛି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ପୁରୀ ବାଇପାସସ୍ଥିତ ଏକ ଘରୋଇ ମଣ୍ଡପରେ ଆଜି ସନ୍ଧ୍ୟାରେ ଶ୍ରୀ ଶାହ ଦଳୀୟ କର୍ମକର୍ତ୍ତା ଓ ପ୍ରାର୍ଥୀଙ୍କ ସହ ବୈଠକ କରି ଦେଶରେ ମୋଦି ସରକାର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବା ନେଇ ସ୍ଲୋଗାନ ଦେବାକୁ ପରାମର୍ଶ ଦେଇଛନ୍ତି । ପ୍ରାର୍ଥୀମାନେ ଯେଭଳି ଅଧିକ ଘରକୁ ଘର ଯିବେ ଓ ସାଧାରଣ ଭୋଟରଙ୍କୁ ଭେଟିବେ ତା’ଉପରେ ଗୁରୁତ୍ୱ ଦେବାକୁ  କହିଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଠନ କରିବା ନେଇ କେନ୍ଦ୍ରୀୟ ନେତୃତ୍ୱ ସବୁପ୍ରକାରର ସହଯୋଗ କରିବ । ଆବଶ୍ୟକ ପଡ଼ିଲେ ନୂଆ ରଣନୀତି ନେଇ କାର୍ଯ୍ୟ କରାଯିବ ବୋଲି ଶାହା ସଙ୍କେତ ଦେଇଥିବା ଜଣାପଡ଼ିଛି । ଓଡ଼ିଶାରେ ୨୦୧୯ ମସିହା ନିର୍ବାଚନରେ ବିଜେପିକୁ ୩୪% ଭୋଟ୍ ମିଳିଥିଲା । ଏଥର ଅଧିକ ପରିମାଣର ଭୋଟ୍ ମିଳିବା ସହ ବିଜେପି ସରକାର ଗଢ଼ିବା ନେଇ ଶାହା ଆଶାବାଦୀ ଅଛନ୍ତି।

କର୍ମକର୍ତ୍ତାଙ୍କୁ ଶାହଙ୍କ ଗୁରୁମନ୍ତ୍ର ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କରିବ । ଓଡ଼ିଶାରେ ଜଣେ ଯୁବକ,ସୁସ୍ଥ ଓ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଛନ୍ତି । ସାଂସଦ ଓ ବିଧାୟକ ପ୍ରାର୍ଥୀ ମିଳିତ ଭାବେ ଏକାଠି ପ୍ରଚାର କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ୧୩ଟି ସଂସଦୀୟ କ୍ଷେତ୍ରର ପ୍ରଭାରୀ, ସଂଯୋଜକ, ପ୍ରାର୍ଥୀଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶ୍ରୀ ଶାହ ବୈଠକ ଶେଷ କରି ସିଧାସଳଖ ଦିଲ୍ଲୀ ଫେରି ଯାଇଥିବା ଜଣାପଡ଼ିଛି।

ଶ୍ରୀ ଶାହ ଫେରିଯିବା ପରେ ସେଠାରେ ଉପସ୍ଥିତ ଥିବା ପ୍ରାର୍ଥୀ ଓ କର୍ମକର୍ତ୍ତାଙ୍କ ସହ ଦଳର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଓ ବରିଷ୍ଠ ନେତା ଭୂପିନ୍ଦର ଯାଦବ ଅନ୍ୟ ଏକ ବୈଠକ କରିଥିଲେ । ଏଥିରେ ବିଜେପିକୁ କିଭଳି ଅଧିକ ସଫଳତା ମିଳିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ଶ୍ରୀ ଶାହ ଆଜି ସୋନପୁରରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିବା ସହ ନବୀନ ପଟ୍ଟନାୟକ ସରକାରକୁ ଶାଣିତ ସମାଲୋଚନା କରିଥିବାରୁ ବିଜେପି ମହଲରେ ଉତ୍ସାହ ଦେଖିବାକୁ ମିଳିଛି।

Related story