ନବୀନ ୨ରେ କଣ୍ଟାବାଞ୍ଜିରୁ ଭରିବେ ନାମାଙ୍କନ ପତ୍ର: ଅଡ଼ୁଆ ବଢ଼ାଇଛି ବିଜେଡି କନ୍ଦଳ

ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନବୀନ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

  • Published: Monday, 29 April 2024
  • , Updated: 29 April 2024, 08:57 PM IST

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଆସନ୍ତାକାଲି ଏପ୍ରିଲ ୩୦ରେ ନବୀନ ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିବେ। ତେବେ ନବୀନଙ୍କ ଗସ୍ତ ପୂର୍ବରୁ କଣ୍ଟାବାଞ୍ଜି ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଏବେ ଦଳକୁ ଅଡ଼ୁଆରେ ପକାଇ ଦେଇଛି। ବିଜେଡି ସେଠାରେ ଯେତେ ତାଳି ପକା କାର୍ଯ୍ୟ କରିବାକୁ ଚାହିଁଲେ ବି ସ୍ଥାନୀୟ ନେତୃତ୍ୱଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ସାଧାରଣ କର୍ମୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଛି। ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ଖୋଲାଖୋଲି ଭାବେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା କଣ୍ଟାବାଞ୍ଜି ରାଜନୀତିକୁ ସରଗରମ କରିଛି।

ସୂଚନା ଅନୁସାରେ, ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନବୀନ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ନବୀନଙ୍କ ଗସ୍ତ ଓ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ନର୍ଲାରୁ ଟିକେଟ୍ ନପାଇ ନିରାଶ ହୋଇଥିବା ବରିଷ୍ଠ ନେତା ତଥା ବିଧାୟକ ଭୂପିନ୍ଦର ସିଂଙ୍କୁ କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀର ମୁଖ୍ୟ ନିର୍ବାଚନ ସଂଯୋଜକ ଭାବେ ବିଜେଡି ନିଯୁକ୍ତି ଦେଇଛି । ତାଙ୍କୁ ନର୍ଲାରୁ ଦୂରେଇ ରଖିବା ପାଇଁ ବିଜେଡି ତାଙ୍କୁ କଣ୍ଟାବାଞ୍ଜି ପଠାଉଥିବା ଚର୍ଚ୍ଚା ହେଉଛି । ସେପଟେ କଣ୍ଟାବାଞ୍ଜିରେ ଟିକେଟ୍ ରେସରେ ରହି ନିରାଶ ହୋଇଥିବା ବିଜେଡି ନେତା ଆୟୁବ୍ ଖାନ, ଅଜୟ ଦାସ ଓ ହଂସରାଜ ଜୈନଙ୍କ ସମେତ ଗିରିରାଜ ସିଂ ମାଝୀଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଏବେ ଦଳକୁ ଅଡ଼ୁଆରେ ପକାଇଛି । ସମସ୍ତେ ନବୀନ ପଟ୍ଟନାୟକଙ୍କୁ ନିଜର ନେତା ମାନି ତାଙ୍କ ସପକ୍ଷରେ କାର୍ଯ୍ୟ କରିବାର ସଙ୍କେତ ଦେଉଥିଲେ ମଧ୍ୟ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ କନ୍ଦଳ ଯୋଗୁ ଏହାର ଫାଇଦା ସିଧାସଳଖ ବିରୋଧୀ ଦଳକୁ ମିଳିବାର ସମ୍ଭାବନା ରହିଛି।

କଣ୍ଟାବାଞ୍ଜିରେ ଡେରା ପକାଇଥିବା ଜଣେ ବରିଷ୍ଠ ବିଜେଡି ନେତାଙ୍କ କହିବା ଅନୁସାରେ, ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଓ ଦଳର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ସପକ୍ଷରେ ଜନମତ ପାଇଁ ଏପର୍ଯ୍ୟନ୍ତ ହୋଇଥିବା ପ୍ରୟାସ ବିଶେଷ ଫଳପ୍ରଦ ହୋଇପାରିନାହିଁ । ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳକୁ ଦେଖି କର୍ମୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ନବୀନଙ୍କ କଣ୍ଟାବାଞ୍ଜି ଗସ୍ତ ପୂର୍ବରୁ ଏହି କନ୍ଦଳକୁ ପ୍ରଶମିତ କରିବାକୁ ଉଦ୍ୟମ ଜାରି ରହିଛି।

ନବୀନ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ଗସ୍ତରେ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ନବୀନ ନବରଙ୍ଗପୁର, କୋରାପୁଟ କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିବେ । ନବୀନ ମାତ୍ର ୨ଘଣ୍ଟା ପାଇଁ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଗସ୍ତରେ ଯାଇ ୨ଟି ସାଧାରଣ ସଭାକୁ ସମ୍ବୋଧିତ କରି ଫେରିଥିଲେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମେ’ ୧୧ତାରିଖରେ ଶେଷ ହେବ । ତେଣୁ ନବୀନଙ୍କୁ ୪ତାରିଖରୁ ଏସବୁ ଆସନରେ ପ୍ରଚାର ମଇଦାନକୁ ଓହ୍ଲାଇବା ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।

Related story