/odisha-reporter/media/post_attachments/uploadimage/library/16_9/16_9_0/BJD_1689774701.jpg)
BJD
“ରାଜ୍ୟର ସବୁ ଦାବିଗୁଡ଼ିକ ପୂରଣ କରିବା କେନ୍ଦ୍ର ସରକାରଙ୍କ ପକ୍ଷେ ସମ୍ଭବପର ନୁହେଁ । ଏପର୍ଯ୍ୟନ୍ତ କୌଣସି ରାଜ୍ୟ ସରକାରଙ୍କ ସବୁ ଦାବି କୌଣସି କେନ୍ଦ୍ର ସରକାର ମଧ୍ୟ ପୂରଣ କରିନାହାନ୍ତି । କେନ୍ଦ୍ର ସରକାରଙ୍କ ପାଖରେ ଅର୍ଥନୈତିକ ପ୍ରତିବନ୍ଧକ ଓ ସମ୍ବଳର ଅଭାବ ରହିଥାଏ । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ସହଯୋଗ ଦେଇଥିବାରୁ କୃତଜ୍ଞତା ଜଣାଉଛି । ଆଉ ସେଇଥିପାଇଁ କଂଗ୍ରେସ ଦ୍ୱାରା କେନ୍ଦ୍ର ସରକାର ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଆମ ଦଳ ବିଜେଡି ଓ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ତରଫରୁ ବିରୋଧ କରୁଛି ।”
ମୋଦି ସରକାରଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ଏଭଳି ଯୁକ୍ତି ବିଜେଡିର ଦୀର୍ଘବର୍ଷର ‘କେନ୍ଦ୍ରୀୟ ଅବହେଳା’ ସ୍ଲୋଗାନ ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି । ଏହାସହିତ ଏତେଦିନ ଧରି ବିଜେଡି ଯେଉଁ କେନ୍ଦ୍ରୀୟ ଅବହେଳାର କୁମ୍ଭୀରକାନ୍ଦଣା କାନ୍ଦୁଥିଲା ତା’ର ବାସ୍ତବତା ମଧ୍ୟ ପଦାରେ ପଡ଼ିଛି । ରାଜନୀତିକ ଉଦ୍ଦେଶ୍ୟ ରଖି ନିଜର ଅପାରଗତା ଲୁଚାଇବା ପାଇଁ କେନ୍ଦ୍ର ଅବହେଳା କଥା କହି ରାଜ୍ୟବାସୀଙ୍କୁ ବିଜେଡି ବିଭ୍ରାନ୍ତ କରୁଥିବା ମଧ୍ୟ ଆଜି ପ୍ରମାଣିତ ହୋଇଯାଇଛି । ଆଉ ବିଜେଡିର ବିଶ୍ୱସନୀୟତା ଉପରେ ସଙ୍କଟ ଦେଖାଦେଇଛି ।
ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନାରେ ବିଜେଡି ସଂସଦୀୟ ଦଳ ନେତା ଶ୍ରୀ ମିଶ୍ର ପ୍ରାୟ ୧୪ମିନିଟ ଧରି ନିଜ ଦଳର ମତ ରଖିଥିଲେ । ସେ କହିଥିଲେ ଯେ, କୋଇଲା ଉତ୍ପାଦନ ବୃଦ୍ଧି, ଖଣିଜ ସାମଗ୍ରୀର ରୟାଲିଟି ବୃଦ୍ଧି, ଲୁହାପଥର ଓ ମାଙ୍ଗାନିଜ ଉପରୁ ରପ୍ତାନୀ କର ହ୍ରାସ କରିବାରୁ ଓଡ଼ିଶାର ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇଛି ।
ସେହିପରି ଓଡ଼ିଶାର ଦୀର୍ଘଦିନର ଦାବି ଅନୁରୂପ ଅଫସୋର ମିନେରାଲ ଉତ୍ତୋଳନ ବିଲକୁ ସରକାର କାର୍ଯ୍ୟକାରୀ କରିଛନ୍ତି । ପୁରୀରେ ଆର୍ନ୍ତଜାତିକ ବିମାନ ବନ୍ଦର ନିର୍ମାଣ ପାଇଁ ପୁରୀବାସୀଙ୍କ ଦାବି ଉପରେ କେନ୍ଦ୍ର ସରକାର ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନିମନ୍ତେ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି । ସେହିପରି ପୁରୀ ଐତିହ୍ୟ କରିଡରକୁ ଜଣେ ସାଂସଦ(ଅପରାଜିତାଙ୍କ ନାଁ ନେଲେନି)ଙ୍କ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ସହଯୋଗରେ ଏଏସଆଇ ଅନୁମତି ମିଳିଥିଲା । ତେଣୁ ଏସବୁ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କୃତଜ୍ଞ । ତେଣୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଆମ ଦଳ ଓ ଦଳର ମୁଖ୍ୟ ବିରୋଧ କରୁଛନ୍ତି ବୋଲି ପିନାକୀ କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, କଂଗ୍ରେସ ବିରୁଦ୍ଧରେ ଲଢ଼େଇରୁ ବିଜେଡିର ସୃଷ୍ଟି ହୋଇଛି ବୋଲି କହିବା ସହ ତାଙ୍କ ଦଳର ନେତା ନବୀନ ପଟ୍ଟନାୟକ ସର୍ବଦା କେନ୍ଦ୍ର ସରକାର ସହ ସଂଘୀୟ ସହଯୋଗିତା ଓ ଗଠନମୂଳକ ସହଯୋଗ ରଖି କାର୍ଯ୍ୟ କରିବାରେ ବିଶ୍ୱାସ କରନ୍ତି । କେନ୍ଦ୍ର ସରକାରଙ୍କୁ ମିଳିଥିବା ସାମ୍ବିଧାନିକ କ୍ଷମତା ଯୋଗୁ କେନ୍ଦ୍ର ସହ ଲଢ଼େଇ କରି ଅବା ଧମକାଇ କୌଣସି ଦାବିକୁ ହାସଲ କରାଯାଇପାରିବ ନାହିଁ ଓ ଏହା ରାଜ୍ୟ ପାଇଁ ଠିକ୍ ନୁହେଁ ବୋଲି ବିଜେଡି ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ।
ନିର୍ବାଚନ ସରିଲେ ଦଳୀୟ ରାଜନୀତି ସରେ ଆଉ ପ୍ରଶାସନିକ କାର୍ଯ୍ୟ ଆରମ୍ଭ ହୁଏ । ଆଉ ପ୍ରଶାସନିକ ବ୍ୟବସ୍ଥା ନିମନ୍ତେ ଭାଗିଦାର ହୋଇ ସହଯୋଗମୂଳକ କାର୍ଯ୍ୟ କରିବାରେ ଆମ ଦଳର ମୁଖ୍ୟ ବିଶ୍ୱାସ କରନ୍ତି । ମଣିପୁର ସମସ୍ୟାରେ କେନ୍ଦ୍ର ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା କେବଳ ସଂସଦର ସମୟକୁ ଅପଚୟ କରିବା ପାଇଁ ଉଦ୍ଦିଷ୍ଟ । ମଣିପୁର ଭଳି ଘଟଣା ବିଶ୍ୱର ବିଭିନ୍ନ ଭାଗରେ ହେଉଛି । ମଣିପୁର ବିବାଦ ୫୦-୬୦ବର୍ଷ ପୁରୁଣା ଓ ମଣିପୁର ହାଇକୋର୍ଟଙ୍କ ଭୁଲ୍ ପରାମର୍ଶ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା।
ଶ୍ରୀ ମିଶ୍ର ସଂସଦରେ ତୁରନ୍ତ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରାଇବାକୁ ଦାବି କରିଥିଲେ । ସେ କଂଗ୍ରେସକୁ କଟାକ୍ଷ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସୁବକ୍ତା । ତାଙ୍କ ଭଳି ବକ୍ତା ଏବେ ପ୍ରାୟତଃ ନାହାନ୍ତି । ପ୍ରଧାନମନ୍ତ୍ରୀ ଯେତେବେଳେ ଗୃହରେ କିଛି କୁହନ୍ତି କଂଗ୍ରେସ ବ୍ୟାକଫୁଟକୁ ଯାଇଥାଏ। କଂଗ୍ରେସ କାହିଁକି ଜାଣିଶୁଣି ନିଜ ନାକ କାଟି ମୁହଁକୁ ବିକୃତ କରୁଛି ସେ ଜାଣିପାରୁନାହାନ୍ତି ବୋଲି ପିନାକୀ କଟାକ୍ଷ କରିଥିଲେ ।
ତେବେ ଆଜିର ଅନାସ୍ଥା ପ୍ରସ୍ତାବ ଆଲୋଚନାବେଳେ ବିଜେଡିର କେନ୍ଦ୍ର ସରକାରଙ୍କ ପ୍ରତି ଆଭିମୁଖ୍ୟ ନିର୍ବାଚନୀ ବର୍ଷରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟିର ସମ୍ଭାବନା ଦେଖାଦେଇଛି । ଦୀର୍ଘ ଦୁଇ ଦଶନ୍ଧି ଧରି କେନ୍ଦ୍ରୀୟ ଅବହେଳା କଥା ଉଠାଇ ଆସୁଥିବା ବିଜେଡି ଚଳିତ ସଂସଦ ଅଧିବେଶନ ପୂର୍ବରୁ ନିଜର ସଂସଦୀୟ ଦଳ ବୈଠକରେ ବି କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରିବ ବୋଲି କହିଥିଲା।
ମାତ୍ର ଏବେ ସେହି ଅବହେଳାକୁ କେବଳ ପଛରେ ପକାଇ ନାହିଁ, ବରଂ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ବିଜେଡି ଯେଉଁ ରାଜନୀତିକ ଲଢ଼େଇ ଲଢ଼ୁଥିଲା ତାହା କେବଳ ମିଛ ଥିଲା ବୋଲି ଆଜି ଖୋଦ୍ ଦଳ ପ୍ରମାଣିତ କରିଛି । ଏପରିକି ନିର୍ବାଚନୀ ଇସ୍ତାହାରରେ ଓ ନିର୍ବାଚନ ସମୟରେ ‘ହକ୍ ମାଗୁଛି ଓଡ଼ିଶା’ ନାଁରେ କେନ୍ଦ୍ର ସରକାର ବିରୁଦ୍ଧରେ ଲଢ଼େଇ କରିବାକୁ ବିଜେଡି ପଛାଇ ନଥିଲା।
ତେବେ କେନ୍ଦ୍ର ସରକାରଙ୍କ ସହଯୋଗରେ ଯଦି ଓଡ଼ିଶା ଲାଭବାନ ହୋଇଛି ଓ ରାଜ୍ୟର ସବୁ ଇଚ୍ଛା ତାଲିକାକୁ ପୂରଣ କରିବା କୌଣସି କେନ୍ଦ୍ର ସରକାର ପକ୍ଷେ ସମ୍ଭବପର ନୁହେଁ ବୋଲି ବିଜେଡି ଜାଣିଥିଲା ତା’ହେଲେ ଏତେବର୍ଷ ଧରି ରାଜ୍ୟବାସୀଙ୍କ ଆଗରେ କାହିଁକି ଏଭଳି ଡ୍ରାମା କରୁଥିଲା ବୋଲି ପ୍ରଶ୍ନ ଉଠିଛି? ବିଜେଡିର ଏଭଳି ମତ ପରିବର୍ତ୍ତନ ହିଁ ଦଳର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଚର୍ଚ୍ଚା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
