ଓଡ଼ିଶା ପିସିସି ସଭାପତି ଭକ୍ତ ଦାସ ଶନିବାର ନିଜର ମାତ୍ର ୩୦ ଜଣିଆ ପଦାଧିକାରୀ ଟିମ୍ ଗଠନ କରିଛନ୍ତି। ପ୍ରାୟ ତିନି ମାସ ପରେ ନିଜର ଟିମ୍ ଗଢିଥିବା ଭକ୍ତଙ୍କ ଏଭଳି ରାଜନୀତିକ ଗୋଟିଚାଳନା ଏବେ କଂଗ୍ରେସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ଭକ୍ତଙ୍କ ଏହି ରଣନୀତି ଦୀର୍ଘ ଦଶନ୍ଧି ଧରି ରାଜ୍ୟରେ କଂଗ୍ରେସରେ ନିଜର ହାକିମାତି ଓ ପତିଆରା ଜାହିର କରି ଆସୁଥିବା ହେଭିଓ୍ବେଟମାନଙ୍କୁ ଶକ୍ତ ଝଟକା ଦେଇଛି। ଭକ୍ତଙ୍କ ଟିମରେ କୈାଣସି ଜଣେ ବି ତଥାକଥିତ ହେଭିଓ୍ବେଟ କିମ୍ବା ସେମାନଙ୍କ ସମର୍ଥକଙ୍କୁ ସ୍ଥାନ ମିଳିନଥିବାବେଳେ ରାଜ୍ୟ କଂଗ୍ରେସ ଇତିହାସରେ ପ୍ରଥମଥର ପାଇଁ ପଦାଧିକାରୀଙ୍କ ସଂଖ୍ୟାକୁ ମାତ୍ର ୩୦ ଭିତରେ ସୀମିତ ରହିଛି। ଭକ୍ତଙ୍କ ପଦାଧିକାରୀ ଟିମରେ ଅଧିକାଂଶ ନୂଆମୁହଁଙ୍କୁ ସ୍ଥାନ ମିଳିଥିବାବେଳେ ରାଜ୍ୟରେ କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳରୁ ନଜର ହଟାଇ ଦଳକୁ ଏକ ନୂଆରୂପ ଦେବାପାଇଁ ଏଭଳି ପ୍ରୟାସ ହୋଇଥିବା ରାଜନୀତିକ ମହଲରେ ଚର୍ଚ୍ଚା।
ଭକ୍ତଙ୍କ ନୂଆ ପଦାଧିକାରୀ ଟିମ୍
ଫେବୃୟାରୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ଭକ୍ତ ଦାସଙ୍କ ଛୋଟ ଧରଣର ପଦାଧିକାରୀ ଟିମ୍ ତାଲିକାକୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅନୁମୋଦନ କରିଛନ୍ତି। ଏହି ଟିମ୍ରେ, ୭ ଜଣ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକଙ୍କ ସମେତ ଜଣେ କୋଷାଧ୍ୟକ୍ଷ ରହିଛନ୍ତି। ୨ଜଣ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଓ ସହ-ଅଧ୍ୟକ୍ଷଙ୍କୁ ମିଶାଇଲେ ଏହି ସଂଖ୍ୟା ୩୨ ଛୁଇଁବ।
ଉପସଭାପତି -
ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ସି.ଏସ. ରାଜେନ ଏକ୍କା, ଡାକ୍ତର ଲଲାଟେନ୍ଦୁ ମହାପାତ୍ର ଓ ସସ୍ମିତା ବେହେରା
ସାଧାରଣ ସମ୍ପାଦକ -
ଅଶୋକ ଦାସ, ଅପ୍ପଲ ସ୍ୱାମୀ କାଡ୍ରାକା, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ୍ଲା, ପବିତ୍ର ସାଉନ୍ତା, ନୀଳମାଧବ ହିକାକା, ସୁବର୍ଣ୍ଣ ନାୟକ, ସୟେଦ ୟାସିର ନୱାଜ, ବିଜୟାନନ୍ଦ ଚୌଲିଆ ଓ ମଧୁସ୍ମିତା ସେଠୀ
ସମ୍ପାଦକ -
ତୁଲେଶ୍ୱର ନାୟକ, ସସ୍ମିତା ପଣ୍ଡା, ଶିଳ୍ପୀଶ୍ରୀ ହରିଚନ୍ଦନ, ଦେବସ୍ମିତା ଶର୍ମା, ଲକ୍ଷ୍ମୀଧର ସିଂହ, ଦିଲୀପ ଦୁରିଆ, ରୂପକ ତୁରୁକ, ସୀମାଞ୍ଚଳ ଗିରି ଉଲାକା, ମନୀଷା ତ୍ରିପାଠୀ, ସାକ୍କା ସୁଜିତ, ମୋହନ ହେମ୍ବ୍ରମ ଓ ଅନିମା ମିଞ୍ଜ। ସେହିପରି କୋଷାଧ୍ୟକ୍ଷ ଭାବେ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଏବଂ
ସୋସିଆଲ ମିଡିଆ ବିଭାଗ ଅଧ୍ୟକ୍ଷ ଭାବେ ସତ୍ୟଜିତ ଗମାଙ୍ଗୋ ଓ ସହ-ଅଧ୍ୟକ୍ଷ ସନ୍ତୋଷ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।
ହେଭିଓ୍ବେଟ୍ ଓ ବରିଷ୍ଠ ନେତାଙ୍କୁ ସାଇଡଲାଇନ୍ କଲେ ଭକ୍ତ
ପ୍ରଥମଥର ପାଇଁ ଓଡି଼ଶା ପିସିସି ସଭାପତି ଦାୟିତ୍ବ ସମ୍ଭାଳି ଥିବା ଭକ୍ତ ସୁଚିନ୍ତିତ ଢଙ୍ଗରେ ନିଜର ପଦାଧିକାରୀ ଟିମ୍ ଗଠନ କରିଛନ୍ତି। କଂଗ୍ରେସର ତଥାକଥିତ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଏଡ଼ାଇବା ପାଇଁ କୈାଣସି ହେଭିଓ୍ବଟ କିମ୍ବା ତାଙ୍କ ସମର୍ଥକଙ୍କୁ ପଦାଧିକାରୀ ତାଲିକାରେ ସାମିଲ କରି ନଥିବା ଭକ୍ତ
କିଭଳି ଦଳର ବରିଷ୍ଠ ଓ ପୁରୁଖା ନେତାମାନଙ୍କୁ କୋଣଠେସା କଲେ ତାକୁ ନେଇ ପ୍ରଶ୍ନ ଉଠିଛି। ପଟ୍ଟନାୟକ ପରିବାର ଓ ସେମାନଙ୍କ ସମର୍ଥକମାନଙ୍କୁ ଦଳୀୟ ପଦାଧିକାରୀ ତାଲିକାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବାରେ ଭକ୍ତ ସଫଳ ହୋଇଥିବା ଚର୍ଚ୍ଚା ହେଉଛି। ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ମହମ୍ମଦ ମୋକିମଙ୍କ ଭଳି ନେତା ଓ ସେମାନଙ୍କ ସମର୍ଥକମାନଙ୍କୁ ସାମିଲ ନକରି ଏକ ନୂଆ ରଣନୀତି ଆପଣାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
ଦଳରେ ଏକତା ଓ ଘର ବାହୁଡ଼ା ପାଇଁ ଭକ୍ତଙ୍କ ଆହ୍ବାନ
ପିସିସି ଦାୟିତ୍ବ ଗ୍ରହଣ କରୁକରୁ ଭକ୍ତ କଂଗ୍ରେସ ଛାଡ଼ି ପଳାଇ ଥିବା ଦଳୀୟ ନେତାମାନଙ୍କୁ ଘର ବାହୁଡ଼ା ପାଇଁ ଆହ୍ବାନ ଦେଇଥିଲେ। ସମସ୍ତ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ଏକତା ଆଣିବେ ବୋଲି ଭକ୍ତ କହିଥିଲେ। ତେବେ ବରିଷ୍ଠ ନେତାଙ୍କୁ ବାଦ୍ ଦେବା ଦ୍ୱାରା ଦଳ ଭିତରେ ଅସନ୍ତୋଷ ବଢ଼ିବାର ଆଶଙ୍କା ରହିଛି।
କାହିଁକି ବରିଷ୍ଠ ନେତାଙ୍କୁ ବାଦ୍ ଦେଲେ ଭକ୍ତ?
ରାଜନୈତିକ ବିଶ୍ଲେଷକମାନଙ୍କ ମତରେ, ଭକ୍ତ ଦଳରେ ଯୁବ ଓ ନୂଆ ଚେହେରାଙ୍କୁ ଆଗକୁ ଆଣିବା ପାଇଁ ଏହି ରଣନୀତି ଗ୍ରହଣ କରିଛନ୍ତି। ମହିଳା ଓ ଆଦିବାସୀ ସମୁଦାୟରୁ ଅଧିକ ପ୍ରତିନିଧିତ୍ୱ ଦେବାକୁ ଚେଷ୍ଟା କରାଯାଇଛି, ଯେଉଁଥିରେ ସସ୍ମିତା ବେହେରା, ମଧୁସ୍ମିତା ସେଠୀ, ଅନିମା ମିଞ୍ଜ ଏବଂ ଆଦିବାସୀ ନେତା ଅପ୍ପଲ ସ୍ୱାମୀ କାଡ୍ରାକା, ମଙ୍ଗୁ ଖିଲ୍ଲ ଆଦିଙ୍କୁ ସ୍ଥାନ ଦିଆଯାଇଛି। କଂଗ୍ରେସର କିଛି ହେଭିଓ୍ବେଟ ଓ ତାଙ୍କ ସମର୍ଥକମାନେ ଏହାକୁ ଦଳର ପୁନର୍ଗଠନ ପ୍ରକ୍ରିୟାରେ ଏକ ବଡ଼ ଭୁଲ୍ ପଦକ୍ଷେପ ଭାବେ ଦେଖୁଛନ୍ତି। ଅନ୍ୟପକ୍ଷରେ, ଭକ୍ତଙ୍କ ସମର୍ଥକମାନେ ଏହି ନୂଆ ଟିମ୍କୁ ଓଡ଼ିଶାରେ ଦଳକୁ କ୍ରିୟାଶୀଳ କରିବା ପାଇଁ ଏକ ସାହସୀ ପଦକ୍ଷେପ ଭାବେ ଦେଖୁଛନ୍ତି। ନୂଆ ଓ ପରିଶ୍ରମୀ ନେତାମାନଙ୍କୁ ସୁଯୋଗ ଦେବା ଦ୍ୱାରା କଂଗ୍ରେସ ରାଜ୍ୟରେ ନିଜର ସ୍ଥିତିରେ ସୁଧାର ଆଣିପାରିବ ବୋଲି ଚର୍ଚ୍ଚା ହେଉଛି।
ରାଜନୈତିକ ପ୍ରଭାବ
୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ମାତ୍ର ୧୪ଟି ବିଧାନସଭା ଆସନ ଜିତିଥିଲା। ଏବେ ଭକ୍ତ ଦାସଙ୍କ ନେତୃତ୍ୱରେ ଦଳ ଏକ ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରି ମହିଳା ସୁରକ୍ଷା ଓ ଅନ୍ୟାନ୍ୟ ସାମାଜିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି। ତେବେ ବରିଷ୍ଠ ନେତାଙ୍କୁ ବାଦ୍ ଦେବା ଦ୍ୱାରା ଦଳର ଅଭିଜ୍ଞତା ଓ ସାଂଗଠନିକ ଶକ୍ତି ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯଦିଓ ବିଜେଡିର ନିଷ୍କ୍ରିୟତା ମଧ୍ୟରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟରେ ଉଭା ହେବାକୁ ସକ୍ଷମ ହୋଇପାରନ୍ତା କିନ୍ତୁ ଆଭ୍ୟନ୍ତରୀଣ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ଏଥିରେ ବାଧକ ସାଜିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।