୨୫ବର୍ଷରେ ପିଇବା ପାଣିରୁ ବଞ୍ଚିତ ଲୋକେ, ଇଏ କେଉଁ ରୂପାନ୍ତିକରଣ?

ବିଜେପି ଗୋଲକ ମହାପାତ୍ର କହିଛନ୍ତି ଯେ ପାଖାପାଖି ୧୦ହଜାର ଦିନ ସରକାରରେ ରହିବି ନବୀନ ବାବୁ ଲୋକଙ୍କୁ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି।

ବିଜେପି ନେତା (ଫାଇଲ ଫଟୋ)

  • Published: Monday, 29 April 2024
  • , Updated: 29 April 2024, 07:40 PM IST

ମୁଖ୍ୟମନ୍ତ୍ରୀ ନବୀନ ବାବୁ ପାଖାପାଖି ଦୀର୍ଘ ୧୦ହଜାର ଦିନ ଶାସନ ଗାଦିରେ ରହି ଯାହା କରିପାରିଲେ ନାହିଁ ତାହାକୁ କରିଦେଖାଇଛି ଗଞ୍ଜାମ ଜିଲ୍ଲା ପାତ୍ରପଡ଼ା ବ୍ଲକର ଜଣେ ଆଦିବାସୀ ଯୁବକ ଭୀମ ବେହେରା। ବିଜେଡି ସରକାର ପାଖରେ ଅର୍ଥର ଅଭାବ ନାହିଁ, କ୍ଷମତା ପାଖରେ ରହିଛି କିନ୍ତୁ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ମୁନ୍ଦାଏ ଦେବାରେ ବିଫଳ। ଲୋକଙ୍କ ଦାୟିତ୍ୱ ନେବା ମୁଖ୍ୟମନ୍ତ୍ରୀଙ୍କ କର୍ତବ୍ୟ କିନ୍ତୁ ତାହା ସେ କଲେନି। ଗାଁ ଲୋକଙ୍କ ପାଣି ସମସ୍ୟା ଏତେ ଉତ୍କଟ ଥିଲା ଯେ, ଗଞ୍ଜାମ ଜିଲ୍ଲା ପାତ୍ରପଡ଼ା ବ୍ଲକର ଭୀମ ବେହେରା ପାଣି ସମସ୍ୟା ପାଇଁ କେରଳରେ ୮ମାସ ଦାଦନ ଖଟିଲେ। ଦାଦନ ଶ୍ରମିକଭାବେ ଯେତିକି ଟଙ୍କା ସେ ରୋଜଗାର କରିଥିଲେ ସେହି ଟଙ୍କାରେ ୨କିମି ଦୂରରେ ଥିବା ଝରଣାରୁ ପାଇପ ଯୋଗେ ପାଣି ଆଣି ନିଜ ଗାଁର ଲୋକଙ୍କୁ ଯୋଗାଇଛନ୍ତି। ଏପୁଣି ଅନ୍ୟ ନିର୍ବାଚନ ମଣ୍ଡଳୀର ଘଟଣା ନୁହେଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାର ଚିତ୍ର। ଯଦି ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାକୁ ପାନୀୟ ଜଳ ଦେବାରେ ବିଫଳ ହେଉଛନ୍ତି ତାହାଲେ ରାଜ୍ୟକୁ ଶୁଦ୍ଧ ପାନୀୟ ଜଳ କିଭଳି ଯୋଗାଉଛନ୍ତି ତାହା ସ୍ପଷ୍ଟ ଅନୁମେୟ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ପାଖାପାଖି ୧୦ହଜାର ଦିନ ସରକାରରେ ରହିବି ନବୀନ ବାବୁ ଲୋକଙ୍କୁ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ନବୀନ ବାବୁଙ୍କ ଅପେକ୍ଷା ବିଜେଡିର କାର୍ଯ୍ୟକର୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ହୋଇପାରିବେ। ସେହିପରି ମହାନଦୀ ବେସିନର ଉଭୟ ପଟେ ପାଣି ନାହିଁ। ବିଜେଡି ମହାନଦୀ ମହାଆନ୍ଦୋଳନ କରିଥିଲେ ତାହା କୁଆଡ଼େ ଗଲା? ମହାନଦୀ ଉପରେ ଛୋଟ ଛୋଟ ଆନିକଟ କରିବେ ବୋଲି କହିଥିଲେ ତାହା କୁଆଡ଼େଗଲା? ବିଜେଡି ସରକାର ଓଡ଼ିଶାବାସୀଙ୍କୁ ଜଳ ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।

କେନ୍ଦ୍ରର ଟଙ୍କାକୁ ହଡ଼ପ କରିବା ବିଜେଡି ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ଓଡ଼ିଶାବାସୀଙ୍କୁ କାହିଁକି ପାଣି ଦେଇପାରିଲେ ନାହିଁ ତାହାର ଉତ୍ତର ନବୀନ ବାବୁ ରଖନ୍ତୁ। ଆଜି ସ୍ମାର୍ଟସିଟି ଭୁବନେଶ୍ୱରରେ ମ୍ୟାଲେରିଆ, ରାଉରକେଲାରେ ଡାଇରିଆ, ସମ୍ବଲପୁରରେ ଜଣ୍ଡିସ, ବ୍ରହ୍ମପୁରରେ ହଇଜା, କଟକରେ କଲେରା ଇତ୍ୟାଦିରେ ବିଜେଡି ନିଜର ପରିଚୟ ସୃଷ୍ଟି କରିଛି। ଏହା ହେଉଛି ୨୫ବର୍ଷ ସରକାରରେ ରହିଥିବା ନବୀନଙ୍କର କଠିନ ପରିଶ୍ରମର ଫଳ। ଓଡ଼ିଶାବାସୀ ଏଥର ନିଶ୍ଚିତ ନବୀନଙ୍କୁ ଶାସନ ଗାଦିରୁ ହଟାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨୫ବର୍ଷ ଶାସନ କରିସାରିଲେଣି କିନ୍ତୁ ଏବେ ବି ୪୦ପ୍ରତିଶତ ଲୋକ ପାଣି ପାଇବାରୁ ବଞ୍ଚିତ ଅଛନ୍ତି। ୮୮ଲକ୍ଷ ଘରରୁ ୨୪ଲକ୍ଷ ଘରକୁ ପାଣି ପହଁଚି ପାରିଲା ନାହିଁ। ୪୬ହଜାର ଗାଁରୁ ୧୧ହଜାର ଗାଁ ଆଜିବି ଟ୍ୟାପ ପାଣି ପାଇବାରୁ ବଞ୍ଚିତ ଅଛନ୍ତି। ଆଜିବି ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ସମେତ ଅନେକ ପଛୁଆ ଜିଲ୍ଲାରେ ୫୦ପ୍ରତିଶତରୁ ଅଧିକ ପରିବାର ପିଇବା ପାଣି ପାଇବାରୁ ବଞ୍ଚିତ ଅଛନ୍ତି। ଭିକେ ପାଣ୍ଡିଆନ କହୁଛନ୍ତି ଯେ, ବିରୋଧୀଙ୍କୁ ବିକାଶ ଦେଖାଯାଉନି। ତାହାଲେ ଓଡ଼ିଶାର ୪୦ପ୍ରତିଶତ ଲୋକ ଶୁଦ୍ଧ ପିଇବା ପାଣି ପାଇବାରୁ ବଞ୍ଚିତ ହେବା କ’ଣ ୨୫ବର୍ଷର ବିକାଶର ଚିତ୍ରକି? ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।

୨୫ବର୍ଷ ଶାସନରେ ଲୋକଙ୍କୁ ପାଣି ଯୋଗାଇ ନପାରିବା ଏହା କ’ଣ ବିକାଶ କି? ଆଜି ଶାସକ ବିଜେଡି ଦଳ ରୂପାନ୍ତରୀକରଣ କଥା କହୁଛି। ସାଧାରଣ ଲୋକେ ଶୁଦ୍ଧ ପିଇବା ପାଣି ପାଇବାରୁ ବଞ୍ଚିତ ହେବା କେଉଁ ରୂପାନ୍ତରିକରଣର ପ୍ରଭାବ। ଓଡ଼ିଶାରେ ସ୍କୁଲରେ ପିଲା ପାଠ ବନ୍ଦ କରି ୨କିମି ଚାଲିକରି ଯାଉଛନ୍ତି ପିଇବା ପାଣି ଆଣିବା ପାଇଁ। କନ୍ଧମାଳର ଏକ ସ୍କୁଲରେ ୨ହଜାର ପିଲା ପଢ଼ୁଥିଲେ କିନ୍ତୁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ୨କିମି ପାଣି ପାଇଁ ପଠାଉଥିବାରୁ ଏବେ ସେହି ସ୍କୁଲରେ ୩୬୨ଜଣ ପିଲା ପଢ଼ୁଛନ୍ତି। ଓଡ଼ିଶାରେ ୩୦ପ୍ରତିଶତ ବିଦ୍ୟାଳୟ ଅଛି ଯେଉଁଠି ପାଣି ପହଁଚୁନାହିଁ। ଏହାର ଉତ୍ତର ନବୀନ ବାବୁ ଦେବି କି? ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କାର୍ଯ୍ୟ ସେ କେବଳ ନିର୍ବାଚନ ଜିତିବେ।

ସେଥିପାଇଁ ଭାରତ ସରକାର ଯେଉଁ ପ୍ରୋଗ୍ରାମ କରିବେ ତାହାକୁ ନବୀନ ବାବୁ ରାଜ୍ୟରେ “କପି ପେଷ୍ଟ” କରିବେ। ମୋଦି ସରକାର ଜଳଜୀବନ ମିଶନ ଦ୍ୱାରା “ହର ଘର ନଲ ପେ ଜଳ” ଯୋଜନା କଲେ କିନ୍ତୁ ନବୀନ ସରକାର ତାହାର ନାମ ପରିବର୍ତନ କରି “ବସୁଧା” ଯୋଜନା କରି ଲୋକଙ୍କୁ ଭୂଆଁ ବୁଲାଇଲେ। ମୋଦି ସରକାର ଜଳଜୀବନ ମିଶନ ନାଁରେ ୧୦ହଜାର କୋଟି ଟଙ୍କା ଦେଲେ କିନ୍ତୁ ନବୀନ ବାବୁ ଏହାକୁ ବାଟମାରଣା କରି ହରିଲୁଟ୍ କଲେ। ଗତକାଲି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଜୀ କହିଛନ୍ତି ଯେ ଓଡ଼ିଶାରେ ଜଳ ଜୀବନ ମିଶନ ସଫଳ ହେଉନାହିଁ କାରଣ ମୁଖ୍ୟମନ୍ତ୍ରୀ “କଳାତାଲିକାଭୁକ୍ତ କମ୍ପାନୀ”ଙ୍କୁ କାମ ଦେଇଛନ୍ତି। ଏହା ଉପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇପାରିବେ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ରଶ୍ମି ମହାପାତ୍ର, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Related story