Advertisment

ବିକ୍ଷୋଭ ବେଳେ ନକଲ କରୁଥିବା ସାଂସଦଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ରାଜ୍ୟସଭା ଅଧ୍ୟକ୍ଷ

ଆଜି ବିକ୍ଷୋଭ ସମୟରେ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ନକଲ କରିଥିଲେ।

author-image
Hemant Lenka
TMC

TMC

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି ତାଙ୍କର ନକଲ କରୁଥିବା ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୃହରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ ପାଇଁ ଉଭୟ ଗୃହରୁ ଶତାଧିକ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଏହା ବିରୋଧରେ ବିରୋଧୀ ଦଳର ସାଂସଦମାନେ ବିକ୍ଷୋଭ କରୁଛନ୍ତି।

Advertisment

ଆଜି ବିକ୍ଷୋଭ ସମୟରେ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ନକଲ କରିଥିଲେ। ଏହାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ରେକର୍ଡିଂ କରିଥିଲେ। କଲ୍ୟାଣ ମିମିକ୍ରି କରୁଥିବା ବେଳେ ସମସ୍ତେ ତାଚ୍ଛଲ୍ୟ କରି ହସିବାରେ ମଧ୍ୟ ଲାଗିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷ ଧନଖଡ ଗୃହରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ଜଣେ ସାଂସଦ ଥଟ୍ଟା ପରିହାସ କରିବେ ଓ ଆଉ ଜଣେ ସାଂସଦ ଏହାକୁ ରେକର୍ଡିଂ କରିବା ଅତ୍ୟନ୍ତ ଲଜ୍ଜାଜନକ, ହାସ୍ୟାସ୍ପଦ ଓ ଅଗ୍ରହଣୀୟ।”

Advertisment

ବିରୋଧୀ ସାଂସଦମାନେ ସଂସଦରେ ହୋଇଥିବା ସୁରକ୍ଷା ତ୍ରୁଟି ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହରେ ନାରାବାଜୀ କରୁଥିଲେ। ଏଥିପାଇଁ ୩ ଦିନ ଭିତରେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ଶତାଧିକ ସାଂସଦଙ୍କୁ ଶୀତ ଅଧିବେଶନର ବାକି କାର୍ଯ୍ୟ ଦିବସବୁ ନିଲମ୍ବନ କରାଯାଇଛି।

ଏହାକୁ ବିରୋଧ କରି ସାଂସଦମାନେ ସଂସଦ ବାହାରେ ବିକ୍ଷୋଭ କରୁଛନ୍ତି। ଏହି ବିକ୍ଷୋଭ ସମୟରେ ସାଂସଦ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ନକଲି କରି ତାଙ୍କର ମଜାକ ଉଡ଼ାଇଥିଲେ।

ଏହାର ଭିଡିଓ ଭାଇରାଲ ହେବା ପରେ ଏକାଧିକ କେନ୍ଦ୍ରମନ୍ତ୍ରୀ ଘଟଣାକୁ ବିରୋଧ କରିଛନ୍ତି। ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ସାଂସଦ କଲ୍ୟାଣ ବାନାର୍ଜୀ ଗୃହ ଓ ଅଧ୍ୟକ୍ଷଙ୍କୁ ଅପମାନିତ କରିଛନ୍ତି। ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ସେ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସାଂସଦ କଲ୍ୟାଣ ଓ ରାହୁଲ ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଜଣେ ସାଂସଦ ସମ୍ମାନୀୟ ଉପ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ଏପରି ଏକ ଘଟଣାକୁ ରାହୁଲ ଗାନ୍ଧି ସମର୍ଥନ କରିବା ସହ ଏହାକୁ ରେକର୍ଡିଂ କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା।

ବିରୋଧୀ ମେଣ୍ଟର ସଦସ୍ୟମାନେ କେବେ ହେଲେ ଗୃହ କାର୍ଯ୍ୟ କିମ୍ବା ଲୋକଙ୍କ ପ୍ରସଙ୍ଗକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ସେମାନେ ଅଧ୍ୟକ୍ଷଙ୍କ ଆସନ ଆଡ଼କୁ ମାଡ଼ି ଯିବା ସହ ବିଶୃଙ୍ଖଳା କରୁଛନ୍ତି। ସେମାନେ ଅସଂସଦୀୟ ଶବ୍ଦ ବ୍ୟବହାର କରୁଛନ୍ତି। ସେମାନେ ବିତର୍କ ନ କରି କେବଳ ବିଶୃଙ୍ଖଳା କରୁଥିବା ରିଜିଜୁ ଅଭିଯୋଗ କରିଛନ୍ତି।

Congress Rahul Gandhi