ନିର୍ବାଚନ କମିଶନଙ୍କ ଛାଟ: ମିଶନ ଶକ୍ତି ସଚିବ ପଦରୁ ସୁଜାତା କାର୍ତ୍ତିକେୟନ ବିଦା

ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ପଦରୁ ସୁଜାତା ଆର କାର୍ତ୍ତିକେୟନଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି

ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ

  • Published: Thursday, 02 May 2024
  • , Updated: 02 May 2024, 10:46 PM IST

ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ ଶକ୍ତ ଧକ୍କା । ତତ୍କାଳ ପ୍ରଭାବରୁ ତାଙ୍କୁ ମିଶନ ଶକ୍ତି ବିଭାଗର ସଚିବ ପଦରୁ ହଟାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବା ଚାପ ପକାଇବା ସୁଜାତାଙ୍କୁ ମହଙ୍ଗା ପଡ଼ିଛି । ବିଜେପି ଆଜି ନିର୍ବାଚନ କମିଶନଙ୍କୁ ଭେଟି ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇର୍ ଦାବି କରିଥିଲା । ନିର୍ବାଚନ କମିଶନ ବିଳମ୍ବିତ ରାତିରେ ସୁଜାତାଙ୍କୁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଇଂରାଜୀ ସମ୍ବାଦପତ୍ର ଟାଇମ୍ସ ଅଫ ଇଣ୍ଡିଆର ବରିଷ୍ଠ ସମ୍ପାଦକ ଭାରତୀ ଜୈନ ଆଜି ନିଜ ଏକ୍ସ ହ୍ୟାଣ୍ଡଲ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ପଦରୁ ସୁଜାତା ଆର କାର୍ତ୍ତିକେୟନଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସୁଜାତାଙ୍କୁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି ପାଇଁ କହିଛନ୍ତି । ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଭାରତୀ ସୂଚନା ଦେଇଛନ୍ତି । ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ ଭାରତୀ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମେତ ଗୃହ ମନ୍ତ୍ରଣାଳୟ, କାର୍ମିକ ମନ୍ତ୍ରଣାଳୟ ଆଦି ପାଇଁ ରିପୋର୍ଟିଂ କରନ୍ତି ।

ଉଲ୍ଲେଖଯୋଗ୍ୟ, ବିଜେପିର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ମହିଳା ଭୋଟରମାନଙ୍କୁ ଧମକଚମକ ଦିଆଯାଇ ବିଜେଡି ସପକ୍ଷରେ ଭୋଟ୍ ଦେବା ନିମନ୍ତେ ଚାପ ପକାଯାଉଥିବାର ଲିଖିତ ଅଭିଯୋଗ କରିଥିଲେ । ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମର ଦୁରୂପଯୋଗ କରି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ କିଭଳି ମହିଳା ଏସଏଚଜି ସଦସ୍ୟମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଧମକଚମକ ଦେଉଛି ତା’ର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଏପରିକି ବିଜେଡିକୁ ଭୋଟ୍ ନଦେଲେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆର୍ôଥକ ସହାୟତା ଓ ଋଣ ଦିଆଯିବ ନାହିଁ ବୋଲି ମହିଳା ଏସଏଚଜିଙ୍କୁ ଧମକ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଥିଲା । ଏହାସହିତ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସୁଜାତାଙ୍କୁ ତୁରନ୍ତ ମିଶନ ଶକ୍ତି ବିଭାଗରୁ ହଟାଇବାକୁ ବିଜେପି ଦାବି କରିଥିଲା ।

Related story