Advertisment

ବିଜେପି କାର୍ଯ୍ୟାଳୟରେ ସୁନୀତି ମୁଣ୍ଡ ହଟହଟା, ଘଉଡ଼ାଇଦେଲେ ମହିଳା କର୍ମୀ

ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତିନି ଦିନ ତଳେ ନିଲମ୍ବିତ ହୋଇଥିବା ସତ୍ତ୍ୱେ ସୁନୀତି ଦଳୀୟ ଅଫିସକୁ ଆସିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Suniti Munda

Suniti Munda

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ହଟହଟା ହୋଇଛନ୍ତି ଗତ ଭୁବନେଶ୍ୱର ମହାନଗର ନିଗମ (BMC) ନିର୍ବାଚନରେ ଦଳ ତରଫରୁ ମେୟର ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତିନି ଦିନ ତଳେ ନିଲମ୍ବିତ ହୋଇଥିବା ସତ୍ତ୍ୱେ ସେ ଦଳୀୟ ଅଫିସକୁ ଆସି ସେଠାରେ ଦଳ ବିରୋଧରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ଅଭିଯୋଗ କରି ବିଜେପିର କେତେକ ମହିଳା କର୍ମୀ ତାଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲେ।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନ-୨୦୨୪ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଯୋଗୁ ବିଜେପିର ରାଜ୍ୟ କାର୍ଯ୍ୟାଳୟ ବେଶ୍ ଭିଡ଼ ଥିଲା। ନିଲମ୍ବନ ହୋଇଥିବା ସତ୍ତ୍ୱେ ସୁନୀତି ମୁଣ୍ଡ ଆଜି ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ସେ ଗଣମାଧ୍ୟମକୁ ବାଇଟ୍ ଦେବା ପରେ ରାଗି ଯାଇଥିଲେ ଉପସ୍ଥିତ କେତେକ ଦଳୀୟ ନେତ୍ରୀ ଓ ମହିଳା କର୍ମୀ। ସେମାନେ ସୁନୀତି ମୁଣ୍ଡଙ୍କୁ ଅଫିସରୁ ବାହାର କରି ଦେଇଥିଲେ।

ଦଳୀୟ ନେତ୍ରୀ ସୁବାସିନୀ ପୃଷ୍ଟି କହିଛନ୍ତି, ସେ (ସୁନୀତି ମୁଣ୍ଡ) ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ରାଜ୍ୟ ସଭାପତି ନିଲମ୍ବନ କରିଛନ୍ତି। ନିଲମ୍ବନ ହୋଇଥିବା ସତ୍ତ୍ୱେ ସେ ଆଜି ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ ଓ ବସିଥିଲେ। ନିୟମ ଅନୁସାରେ ସେ ଦଳୀୟ ଅଫିସକୁ ଆସିବା କଥା ନୁହେଁ। ତଥାପି ଆମେ ତାଙ୍କୁ ବିରୋଧ କରି ନଥିଲୁ। କିନ୍ତୁ ଏଠାରେ ସେ ବାଇଟ୍ ଦେଉଥିଲେ। ସେ ଦଳ ବିରୋଧରେ କହୁଥିଲେ। ତେଣୁ ଆମେ ବିରୋଧ କରିଥିଲୁ। ଆମେ ହାତଯୋଡ଼ି ତାଙ୍କୁ ବାଇଟ ନଦେବାକୁ କହିଥିଲୁ। ବାଇଟ୍ ଦେବାର ଥିଲେ ଅଫିସ ବାହାରକୁ ଯିବାକୁ କହିଥିଲୁ। ତା’ ସତ୍ତ୍ୱେ ସେ ଶୁଣି ନଥିଲେ।

Advertisment

ସେ ଆହୁରି କହିଛନ୍ତି, ନିଜ ପକ୍ଷ ରଖିବା ପାଇଁ ଦଳୀୟ ଫରୋମ ଅଛି। ତା’ ମାଧ୍ୟମରେ ସେ ତାଙ୍କ ଅଭିଯୋଗ ଜଣାଇପାରିବେ। ଆଜି ଆମର ଅଲଗା କାର୍ଯ୍ୟକ୍ରମ ଚାଲିଥିଲା। ସେ ସଂଗଠନ ମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ବୋଲି କହୁଥିଲେ। ଆମେ କହିଥିଲୁ ସଂଗଠନ ମନ୍ତ୍ରୀ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି। ସେ ତାଙ୍କୁ ପରେ ମଧ୍ୟ ଭେଟି ପାରିବେ। ଏସବୁ କହିବା ସତ୍ତ୍ୱେ ସେ କିଛି ଶୁଣି ନଥିଲେ।

ଅନ୍ୟପକ୍ଷରେ ସୁନୀତି ମୁଣ୍ଡ କହିଛନ୍ତି ଯେ ସେ କିଛି ଭୁଲ୍ କରି ନାହାନ୍ତି। ତାଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ମିଛ। ସେଥିରେ କୌଣସି ସତ୍ୟତା ନାହିଁ। ସେ ବିଜେପି ପରିବାରରେ ଅଛନ୍ତି।

ଗତ ଶନିବାର ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଦଳୀୟ ଅନୁଶାସନ ଭଙ୍ଗ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଦଳରୁ ନିଲମ୍ବନ କରିଥିବା ନେଇ ଦଳ ତରଫରୁ ଏକ ପ୍ରେସ୍ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ସୁନୀତି ମୁଣ୍ଡଙ୍କ ନାଁରେ ଭଣ୍ଡାରୀପୋଖରୀର ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୁଧାଂଶୁ ଶେଖର ନାୟକ ଥାନାରେ ଏକ ଠକେଇ ଅଭିଯୋଗ କରିବା ପରେ ଦଳ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଚର୍ଚ୍ଚା ହେଉଛି।