ସୁନ୍ଦରଗଡ଼ ଜିଲ୍ଲାରେ ଖଣି ଦୁର୍ନୀତିର ତଦନ୍ତ ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲ ଅଂଚଳରେ ବେଆଇନ ଖଣି କାରବାର ଓ ଅନିୟମିତତାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଦୁର୍ନୀତିର ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ଗଠନ କରାଯାଇଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କୁ ପ୍ରାଥମିକ ରିପୋର୍ଟ ଦେଇଥିଲେ ଖଣିମନ୍ତ୍ରୀ
ସୁନ୍ଦରଗଡ଼ର ହେମଗିରି ଓ କୋଇଡ଼ା ଅଂଚଳରେ ବେଆଇନ ଭାବେ ପ୍ରାୟ ୪୦କୋଟି ଟଙ୍କାରୁ ଅଧିକ ପରିମାଣର ଖଣି କାରବାର ଓ ଉତ୍ତୋଳନ ଅଭିଯୋଗ ଆସିବା ପରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହ ସମ୍ପୃକ୍ତ ଅଂଚଳକୁ ଯାଇ ସରଜମିନ୍ ତଦନ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ମଧ୍ୟ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଦୋଷୀ ଯେ କେହିବି ହୋଇଥାନ୍ତୁ ନା କାହିଁକି ସମସ୍ତଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇଥିଲେ । ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତିକୁ ଅବଲମ୍ବନ କରିବା ସହ ଖଣି ଦୁର୍ନୀତିର ପର୍ଦ୍ଦାଫାସ ନିମନ୍ତେ ଭିଜିଲାନ୍ସକୁ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
କୋଇଡ଼ା ଓ ହେମଗିରି ତହସିଲରେ ବ୍ୟାପକ ଖଣି ଅନିୟମିତତା
ସୁନ୍ଦରଗଡ ଜିଲ୍ଲା କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆ ଠାରେ ୫୦ଟି ବେଆଇନ ମାଙ୍ଗାନିଜ୍ ଏବଂ ଲୌହ ଉତ୍ତୋଳନ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବା ସରକାରଙ୍କ ନଜରକୁ ଆସିଛି । ଏହି ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା ଗାଁରେ, ୧୦ଟି ମାଲଦା , ୨୦ଟି କୋଲମଙ୍ଗ ଗାଁରେ ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୁସିବେଣୁଆ ଗାଁରେ ରହିଛି । ଏସବୁ ଖଣି ଗୁଡ଼ିକରୁ ୨୦ ହଜାର ମେଟ୍ରିକ ଟନରୁ ଅଧିକ ମାଙ୍ଗାନିଜ ଓ ଏବଂ ୧୨୦୦ ମେଟ୍ରିକ ଟନ୍ରୁ ଅଧିକ ପରିମାଣର ଲୁହାପଥର ଉତ୍ତୋଳନ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩୭କୋଟି ଟଙ୍କାରୁ ଅଧିକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସେହିପରି ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ ଟନରୁ ଉର୍ଦ୍ଧ୍ୱ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ପ୍ରାଥମିକ ଭାବେ ରାଜ୍ୟ ସରକାରଙ୍କ ନଜରକୁ ଆସିଛି । ଯାହାର ଆନୁମାନିକ ମୁଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ଏହି ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଖଣି ଗୋପାଳପୁର ଗାଁରେ, ୩ଟି ରତ୍ନସୋରା ଗ୍ରାମରେ ଏବଂ ୫ଟି ଭୋଗରାକଚର ଗାଁରେ ରହିଛି । । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ହେମଗିରିର ଜାମଖାନି ସରଂକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗାଁରେ ବେଆଇନ ଭାବେ କୋଇଲା ଗଚ୍ଛିତ ଥିବାର ସୂଚନା ମିଳିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।