CM
ଚଳିତ ନିର୍ବାଚନ ରଣାଙ୍ଗନରେ ‘ଓଡ଼ିଆ ଅସ୍ମିତା’କୁ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । ବିଜେପି ଅଧିକ ଆକ୍ରଣାତ୍ମକ ଶୈଳୀରେ ‘ଓଡ଼ିଆ ଅସ୍ମିତା ଓ ସମ୍ମାନ’କୁ ନେଇ ଲୋକଙ୍କ ପାଖକୁ ଯାଉଛି । ଆଉ ଏପଟେ ଆଂଚଳିକ ଦଳ ବିଜେଡିର ନିର୍ବାଚନୀ ପ୍ରଚାର ମଙ୍ଗ ଧରିଥିବା ଭିକେ ପାଣ୍ଡିଆନ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରିବା ଭଳି କାର୍ଯ୍ୟ କରିବାକୁ ପଛାଉନାହାନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଦୀର୍ଘ ଅଢ଼େଇ ଦଶନ୍ଧି ମଧ୍ୟରେ ପ୍ରଥମଥର ସରକାରୀସ୍ତରରେ ‘ବିଶ୍ୱ ଓଡ଼ିଆ ସମ୍ମିଳନୀ’ର ଆୟୋଜନ କରି ସେଥିରେ ଓଡ଼ିଶାର ବରପୁତ୍ରଙ୍କୁ (କାନ୍ତକବିଙ୍କୁ କଣ୍ଠକବି ସମ୍ବୋଧନ)ଅସମ୍ମାନିତ କରିବା ଘଟଣାକୁ ରାଜ୍ୟବାସୀ ଭୁଲିନଥିବାବେଳେ ଏବେ ପାଣ୍ଡିଆନ ସମ୍ବଲପୁର ମାଟିରେ ଠିଆ ହୋଇ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ‘ସନ୍ଥ କବି’ ଭାବେ ସମ୍ବୋଧିତ କରିବା ଓ ସେଥିପାଇଁ ଅନୁତାପ ନକରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ବିଜେଡି ନେତା ଭିକେ ପାଣ୍ଡିଆନ ଓଡ଼ିଶାର ବରପୁତ୍ର ‘ସନ୍ଥକବି ଭୀମଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହେର’ଙ୍କୁ ଅପମାନ କରିବାକୁ ପଛାଇ ନାହାନ୍ତି । ଏହି ଦୁଇ ବରପୁତ୍ରଙ୍କ ପାଇଁ ସମ୍ବଲପୁର ମାଟି ସହ ସମଗ୍ର ଓଡ଼ିଶା ଗର୍ବ କରେ । କିନ୍ତୁ ଗଙ୍ଗାଧର ମେହେରଙ୍କୁ ‘ସନ୍ଥ କବି’ ଏବଂ ଭୀମଭୋଇଙ୍କୁ ଖାଲି ‘କବି’ କହି ପାଣ୍ଡିଆନ ଓଡ଼ିଆଙ୍କ ଆତ୍ମସମ୍ମାନ ଓ ଅସ୍ମିତାକୁ କୁଠାରଘାତ କରିବାକୁ ପଛାଇନାହାନ୍ତି । ଗଣମାଧ୍ୟମରେ ଏହି ଚର୍ଚ୍ଚା ଓ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲାପରେ ବି ପାଣ୍ଡିଆନ ନିଜର ବୟାନକୁ ନେଇ ଦୁଃଖ ବ୍ୟକ୍ତ କରିନାହାନ୍ତି । ତା’ଛଡ଼ା ୨୫ବର୍ଷର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାର ବରପୁତ୍ରମାନଙ୍କୁ ପାଣ୍ଡିଆନ ଏଭଳି ଅସମ୍ମାନ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ଦଳ କୌଣସି ସ୍ପଷ୍ଟୀକରଣ ଦେବାକୁ ଆଗ୍ରହ ଦେଖାଇନାହାନ୍ତି ।
ପୂର୍ବରୁ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ପ୍ରଥମଥର ପାଇଁ ‘ବିଶ୍ୱ ଓଡ଼ିଆ ସମ୍ମିଳନୀ’ର ଆୟୋଜନ କରିଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମ ପାଣ୍ଡିଆନଙ୍କ ପତ୍ନୀ ତଥା ତତକାଳୀନ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ ରାଉତଙ୍କ ତଦାରଖରେ ହେଉଥିଲା । ଆଉ ଏହି ଭାଷା ସମ୍ମିଳନୀର ଉଦଘାଟନୀ ସମାରୋହରେ ବହୁ ପ୍ରତିଷ୍ଠିତ ଓଡ଼ିଆ ଭାଷା ବିଶେଷଜ୍ଞଙ୍କ ସମ୍ମୁଖରେ ‘କାନ୍ତ କବି’ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ‘କଣ୍ଠ କବି’ ବୋଲି ସମ୍ବୋଧିତ କରିବାକୁ ଉଦଘୋଷିକା ପଛାଇନଥିଲେ । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ରାଜ୍ୟବାସୀଙ୍କ ପାଖରେ କୌଣସି ଦୁଃଖ ପ୍ରକାଶ କରାଗଲାନି କିମ୍ବା କ୍ଷମାପ୍ରାର୍ଥନା କରାଗଲାନି । ଓଲଟା ଏହି ବିଶ୍ୱ ଓଡ଼ିଆ ସମ୍ମିଳନୀ ସ୍ଥଳରେ ‘ସକ୍ସେସ ପାର୍ଟି ଆୟୋଜନ’ କରି ପାଣ୍ଡିଆନ ଦମ୍ପତି ନିଜର ପତିଆରା ଦେଖାଇବାକୁ ଉଦ୍ୟମ କରିଥିଲେ ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ପାଣ୍ଡିଆନଙ୍କ ବୟାନକୁ ନେଇ ଉଦବେଗ ବ୍ୟକ୍ତ କରି କହିଛନ୍ତି ଯେ, ଓଡ଼ିଆ ବରପୁତ୍ରଙ୍କୁ ଅପମାନ ଭୁଲ୍ ନୁହେଁ ଗର୍ହିତ ଅପରାଧ । ଓଡ଼ିଶାର ଭାଷା, ସାହିତ୍ୟ,ସଂସ୍କୃତି, ପରମ୍ପରା ଐତିହ୍ୟ ହେଉଛି ଅନନ୍ୟ । ଯେଉଁମାନେ ସ୍ୱଭାବ କବି ଓ ସନ୍ଥ କବିଙ୍କ ଭିତରେ କେତେ ଫରକ ଅଛି ଜାଣିନାହାନ୍ତି ସେମାନଙ୍କଠୁ ଓଡ଼ିଆ ଅସ୍ମିତା ଆଶ ରଖିବା ବୃଥା । ଓଡ଼ିଶାର ପାଣି,ପବନ ସହ ନିଜର ଆତ୍ମିକ ସମ୍ବନ୍ଧ ବନାଇବାରେ ସେମାନେ ଅକ୍ଷମ ଓ ଅଯୋଗ୍ୟ । ବିଜେଡିର ଗୁମାସ୍ତା ତଥା ଅଣଓଡ଼ିଆ ନେତା ଭିକେ ପାଣ୍ଡିଆନ ଜାଣିରଖିବା ଉଚିତ୍ ଯେ, ସନ୍ଥକବି ଭୀମଭୋଇ ହେଉଛନ୍ତି ଓଡ଼ିଶା ଲୋକଙ୍କ ପ୍ରାଣର କେନ୍ଦ୍ରବିନ୍ଦୁ । ସ୍ୱଭାବକବି ଗଙ୍ଗାଧର ମେହେର ହେଉଛନ୍ତି ସମସ୍ତଙ୍କ ସ୍ମରଣୀୟ । ପାଣ୍ଡିଆନ ଆଜି ସମ୍ବଲପୁର ସଭାରେ ଯାହା କହିଛନ୍ତି ତାହା ଭୁଲ୍ ନୁହେଁ ଓଡ଼ିଆ ବରପୁତ୍ରଙ୍କ ପାଇଁ ଅପମାନ । ଏଥିରୁ ସ୍ପଷ୍ଟ ଯେ, ପାଣ୍ଡିଆନ ଓ ବିଜେଡି କେବେବି ଓଡ଼ିଆ ଅସ୍ମିତାକୁ ବୁଝିନାହାନ୍ତି । ସେମାନଙ୍କୁ ଏଭଳି ଅପରାଧ ପାଇଁ ଓଡ଼ିଶାବାସୀ କେବେବି କ୍ଷମା ଦେବେ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
ପାଣ୍ଡିଆନଙ୍କ ଆଜିର ଏଭଳି ମନ୍ତବ୍ୟ ଉଦ୍ଦେଶ୍ୟମୂଳକ ନା ଅଜାଣତରେ ହୋଇଥିବା ତ୍ରୁଟି ତାକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ ଦଳ ପକ୍ଷରୁ କିମ୍ବା ପାଣ୍ଡିଆନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପିର ଶୀର୍ଷ ନେତୃତ୍ୱ ବାରମ୍ବାର ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ବିଜେଡିକୁ ସିଧାସଳଖ ଶାଣିତ ସମାଲୋଚନା କରୁଛନ୍ତି । ବିଜେଡି ଏବେ ପାଣ୍ଡିଆନଙ୍କ ନେତାଗିରି ପାଇଁ ‘ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସମ୍ମାନ’ ପ୍ରସଙ୍ଗରେ ବ୍ୟାକଫୁଟରେ ରହିଥିବା ସାଧାରଣରେ ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
