Advertisment

କାହିଁକି ପିଏସଓ ଛାଡ଼ୁନାହାନ୍ତି ପାଣ୍ଡିଆନ: କିଏ ଦେଇଥିଲା ପ୍ରତ୍ୟାହାର ନିର୍ଦ୍ଦେଶ, କିଏ ପୁଣି ଅଟକାଇଲା

ବିଜେଡିର ବରିଷ୍ଠ ବିଧାୟକମାନଙ୍କ ପିଏସଓଙ୍କୁ ହଟାଇ ନେଇଥିବା ଗୁଇନ୍ଦା ବିଭାଗ କିନ୍ତୁ ପାଣ୍ଡିଆନଙ୍କ ୨ଜଣ ପିଏସଓଙ୍କୁ ହଟାଇବାକୁ ସକ୍ଷମ ହୋଇପାରିନି।

ଅଦ୍ୟତନ ହୋଇଛି
VK Pandian

VK Pandian

Advertisment

ରାଜ୍ୟରେ ବିଜେପି ସରକାରଙ୍କ ପ୍ରଶାସନରେ ଭିକେ ପାଣ୍ଡିଆନଙ୍କ ପ୍ରଭାବ ବଳବତ୍ତର ରହିଛି । ଏକଥା ଆମେ କହୁନୁ, ବରଂ ପୁଲିସ ପ୍ରଶାସନର ଆଜିର କାର୍ଯ୍ୟ ଏଭଳି ସଙ୍କେତ ଦେଇଛି । ବିଜେଡି ସରକାରର ମନ୍ତ୍ରୀମାନଙ୍କୁ(ଏବେ ବିରୋଧୀ ଦଳ ବିଧାୟକ ଅଛନ୍ତି) ଦିଆଯାଇଥିବା ବ୍ୟକ୍ତିଗତ ସୁରକ୍ଷାକର୍ମୀ (ପିଏସଓ) ମାନଙ୍କୁ ଆଜି ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରିନିଆଯାଇଛି । ବିଜେଡିର ବରିଷ୍ଠ ବିଧାୟକମାନଙ୍କ ପିଏସଓଙ୍କୁ ହଟାଇ ନେଇଥିବା ଗୁଇନ୍ଦା ବିଭାଗ କିନ୍ତୁ ପାଣ୍ଡିଆନଙ୍କ ୨ଜଣ ପିଏସଓଙ୍କୁ ହଟାଇବାକୁ ସକ୍ଷମ ହୋଇପାରିନି । ପାଣ୍ଡିଆନଙ୍କ ପିଏସଓଙ୍କୁ ଆଜି ପ୍ରତ୍ୟାହାର ନିର୍ଦ୍ଦେଶ ଦେଇ ମାତ୍ର କିଛିଘଣ୍ଟା ମଧ୍ୟରେ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରିଥିବା ଜଣାପଡ଼ିଛି । ତେବେ ଗୁଇନ୍ଦା ବିଭାଗର ଏହି ପଦକ୍ଷେପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ(ଗୃହ ବିଭାଗ ଦାୟିତ୍ୱ)ଙ୍କ ଜାଣତରେ ହୋଇଛି ନା ମୁଖ୍ୟମନ୍ତ୍ରୀଙ୍କୁ ବିବାଦୀୟ କରିବା ଓ ପାଣ୍ଡିଆନଙ୍କୁ ଖୁସି କରିବାକୁ ପୁଲିସ ପ୍ରଶାସନ ନିଜଆଡ଼ୁ ଏପରି କରିଛି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୨୪ବର୍ଷର ବିଜେଡି ସରକାରର ଅନ୍ତ ହେବା ସହ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବିଜେପି ସରକାର ଏକ ସପ୍ତାହରୁ ଅଧିକ ଦିନ ଧରି କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଜେଡି ସରକାରରେ ମନ୍ତ୍ରୀ ଥିବା ନେତାମାନଙ୍କଠୁ ଆଜି ପିଏସଓ ପ୍ରତ୍ୟାହାର କରାଯାଇଛି । ସେହି ପିଏସଓମାନଙ୍କୁ ତୁରନ୍ତ ନିଜ ନିଜ ମୁଖ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଯେଉଁ ପୂର୍ବତନ ମନ୍ତ୍ରୀମାନଙ୍କଠୁ ପିଏସଓ ପ୍ରତ୍ୟାହାର କରାଯାଇଛି ସେମାନଙ୍କ ମଧ୍ୟରେ ଅଧିକାଂଶ ଏବେ ବିଜେଡିର ବିଧାୟକ ଅଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ନିରଞ୍ଜନ ପୂଜାରୀ, ପ୍ରତାପ କେଶରୀ ଦେବ, ଶାରଦା ପ୍ରସାଦ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରମିଳା ମଲ୍ଲିକ ଆଦିଙ୍କୁ ମିଳିଥିବା ପିଏସଓଙ୍କୁ ଆଜି ତତ୍କାଳ ପ୍ରଭାବରୁ ହଟାଇ ନିଆଯାଇଛି । କେବଳ ଏହି ପୂର୍ବତନ ମନ୍ତ୍ରୀ(ବର୍ତ୍ତମାନର ବିଧାୟକ) ନୁହଁନ୍ତି ବିଜେଡିର ଅନ୍ୟ ବରିଷ୍ଠ ବିଧାୟକମାନଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗ ଓ ପୁଲିସ କମିଶନରେଟ ପକ୍ଷରୁ ଯେଉଁ ପିଏସଓ ଯୋଗାଇ ଦିଆଯାଇଥିଲା ସେମାନଙ୍କୁ ପ୍ରତ୍ୟାହାର କରିନିଆଯାଇଥିବା ଜଣାପଡ଼ିଛି ।
ତେବେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ହସ୍ତକ୍ଷେପ ପରେ ତାଙ୍କର ପିଏସଓଙ୍କୁ ଫେରସ୍ତ ନେବାର ନିଷ୍ପତ୍ତିରୁ ଗୁଇନ୍ଦା ବିଭାଗ ଓହରି ଯାଇଥିଲା । ମାତ୍ର ବିଜେଡିର ଅନ୍ୟ ମନ୍ତ୍ରୀ ଓ ବିଧାୟକମାନଙ୍କୁ ପୂର୍ବରୁ ମିଳିଥିବା ପିଏସଓଙ୍କୁ ଫେରସ୍ତ ନେଇ ସେମାନଙ୍କୁ ନିଜ ନିଜ ଜିଲ୍ଲାରୁ ପିଏସଓ ଯୋଗାଇ ଦିଆଯିବ ବୋଲି ଗୁଇନ୍ଦା ବିଭାଗ ସଫେଇ ଦେଇଥିବା ଜଣାପଡ଼ିଛି ।

ମାତ୍ର ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନଙ୍କଠୁ କାହିଁକି ଓ କେଉଁ ଆଧାରରେ ପୁଲିସ ପ୍ରଶାସନ ଅଦ୍ୟାବଧି ପିଏସଓ ଫେରସ୍ତ ନେଇନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଣ୍ଡିଆନଙ୍କ ପାଖରେ ଏବେ ଦୁଇଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ରହିଛନ୍ତି । ପାଣ୍ଡିଆନଙ୍କ ସହ ଛାଇଭଳି ରହୁଥିବା ଅଶୋକ ପ୍ରଧାନ ଯିଏକି ସ୍ପେଶାଲ ସିକ୍ୟୁରିଟି ୱିଙ୍ଗ(ଏସଏସଡବ୍ଲୁୃ୍ୟ)ର ଓ ଅନ୍ୟଜଣେ ଅନୀଲ କୁମାର ମହାନ୍ତି କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ବୋଲି ଜଣାପଡ଼ିଛି । ଗୁଇନ୍ଦା ବିଭାଗ ଆଜି ଅଶୋକଙ୍କୁ ପିଏସଓ ଦାୟିତ୍ୱରୁ ମୁକ୍ତ ହୋଇ ମୁଖ୍ୟାଳୟକୁ ଫେରି ଆସିବାକୁ

Advertisment

ନିର୍ଦ୍ଦେଶ ଦେଇଥିଲା । ଅଶୋକ ନିର୍ଦ୍ଦେଶ ମାନି ମୁଖ୍ୟାଳୟକୁ ଫେରିବାବେଳେ ଅଧାରୁ ତାଙ୍କୁ ପୁଣିଥରେ ପାଣ୍ଡିଆନଙ୍କ ପିଏସଓ ଦାୟିତ୍ୱ ଜାରି ରଖିବାକୁ ଗୁଇନ୍ଦା ବିଭାଗରୁ ନିର୍ଦ୍ଦେଶ ମିଳିଥିଲା ବୋଲି ଜଣାପଡ଼ିଛି । ଅବଶ୍ୟ ରାଜ୍ୟସ୍ତରରେ ସକ୍ରିୟ ରହୁଥିବା ସବୁ ଦଳର ବିଧାୟକ ଓ ପୂର୍ବତନ ମନ୍ତ୍ରୀ(ଏବେ ବିଧାୟକ)ମାନଙ୍କୁ ଆବଶ୍ୟକତା ଆଧାରରେ ରାଜ୍ୟ ସରକାର ପିଏସଓ ଯୋଗାଇ ଦେଇଥାନ୍ତି । ଏପରିକି କିଛି ବରିଷ୍ଠ ଆଇଏଏସ୍ ଓ ଆଇପିଏସ ଅଧିକାରୀଙ୍କୁ ମଧ୍ୟ ପିଏସଓ ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କଠୁ ଏହି ପିଏସଓମାନଙ୍କୁ ଫେରସ୍ତ କରିବା ପୂର୍ବରୁ ସେମାନଙ୍କ ସୁରକ୍ଷାର ଆବଶ୍ୟକ ସମୀକ୍ଷା ହୋଇଛି ତ? ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଜାଣତରେ ଏହି ବରିଷ୍ଠ ବିଧାୟକମାନଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରାଯାଇଛି ତ? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପୂର୍ବତନ ପ୍ରଶାସନ ଭିକେ ପାଣ୍ଡିଆନଙ୍କୁ କାହା ନିର୍ଦ୍ଦେଶରେ ତାଙ୍କ ପସନ୍ଦର ଦୁଇ ଦୁଇଜଣ ପିଏସଓ ଯୋଗାଇ ଦିଆଯାଇଛି ? ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅନୁମତି ରହିଛି ନା ପୁଲିସ ପ୍ରଶାସନ ନିଜର ଆନୁଗତ୍ୟ ଦେଖାଇବାକୁ ଏଭଳି କାର୍ଯ୍ୟ କରିଛି ? ଯଦି ପାଣ୍ଡିଆନଙ୍କ ଜୀବନ ପ୍ରତି ବିପଦ ଅଛି ତା’ହେଲେ ପିଏସଓ ପ୍ରତ୍ୟାହାର ପାଇଁ କାହିଁକି ନିର୍ଦ୍ଦେଶ ଦିଆଯାଉଥିଲା ଓ ପୁଣି ସେହି ନିର୍ଦ୍ଦେଶ ପ୍ରତ୍ୟାହାର ହେଲା କାହିଁକି? ପାଣ୍ଡିଆନଙ୍କ ପିଏସଓ ଆଳରେ ଘଟଣାକୁ ବିବାଦୀୟ ପାଇଁ କେହି ପ୍ରୟାସ କରୁଛନ୍ତି କି? ଏହି ସମଗ୍ର ପିଏସଓ ପ୍ରତ୍ୟାହାର ଘଟଣା ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଜାଣତରେ ହୋଇଛି ନା ତାଙ୍କୁ ବିବାଦରେ ଫସାଇବା ପାଇଁ ପୁଲିସ ପ୍ରଶାସନ ଏଭଳି ନାଟକୀୟ ଘଟଣା ଭିଆଇଛି ବୋଲି ଆଦି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe