Advertisment

କାହିଁକି କଟିଲା ଗ୍ରାମସଭା କ୍ଷମତା?

ବିଜେଡି ସରକାର ଗ୍ରାମ ସଭାକୁ ଗୁରୁତ୍ୱ ନଦେବାକୁ ଆକ୍ଷେପ କରିଥିଲା ବିଜେପି। ଏବେ ବିବାଦରେ ଜିଲ୍ଲାପାଳ ଓ ବିଧାୟକଙ୍କୁ ୪୦% ଅର୍ଥ ଖର୍ଚ୍ଚ କରିବାର କ୍ଷମତା।

author-image
Ordigital Desk
ଅଦ୍ୟତନ ହୋଇଛି
Loka Seva Bhaban

Loka Seva Bhaban

ପୂର୍ବ ବିଜେଡି ସରକାର ୨୦୧୯ ନିର୍ବାଚନ ପୂର୍ବରୁ ଆରମ୍ଭ କରିଥିଲେ ‘ଆମ ଗାଁ ଆମ ବିକାଶ’ ଯୋଜନା। ହଠାତ୍ ୨୦୨୪ ନିର୍ବାଚନ ପୂର୍ବରୁ ତା’ ନାଁ ବଦଳାଇ କରିଦେଲେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ମିଳିବାର ବ୍ୟବସ୍ଥା କରାଗଲା, ଯେଉଁଥିରୁ ୧୦ ଲକ୍ଷ ଟଙ୍କା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପାଇଁ ରଖାଯାଇଥିଲା। ଆଉ ଏଥିପାଇଁ ରଖାଯାଇଥିଲା ୩୩୯୭ କୋଟି ଟଙ୍କା। ତେବେ ଏହି ପ୍ରକଳ୍ପଗୁଡ଼ିକରେ ଗାଁରେ ଭଲ ରାସ୍ତା, ସ୍କୁଲ ଘର ସଂପ୍ରସାରଣ, ଭାଗବତ ଟୁଙ୍ଗୀ ଓ ପାଠାଗାର ନିର୍ମାଣ ଭଳି ଭିତ୍ତିଭୂମି କାର୍ଯ୍ୟ ପାଇଁ ଗାଇଡଲାଇନ୍ କରାଯାଇଥିବାବେଳେ ଏହି ପ୍ରକଳ୍ପ ବାଛିବାରେ ଗ୍ରାମସଭାକୁ ଗୁରୁତ୍ୱ ଦିଆଯାଇନଥିଲା। କେବଳ ସ୍ଥାନୀୟ ଲୋକେ, ଜନପ୍ରତିନିଧି ଓ ଜିଲ୍ଲାପାଳ ଏହା ବାଛିପାରିବେ ବୋଲି ଗାଇଡଲାଇନ ରଖାଯାଇଥିଲା। ଯାହାକୁ ବିରୋଧୀ ଦଳରେ ଥାଇ ବିଜେପି ବିରୋଧ କରିଥିଲା। ଏମିତିକି ନିକଟରେ ବିଧାନସଭାରେ ମଧ୍ୟ ଗ୍ରାମସଭାର କ୍ଷମତା ହଟାଇବାକୁ ସମାଲୋଚନା କରିଥିଲେ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ଚଳିତ ବର୍ଷ ଜାନୁଆରୀ ମାସରେ ନୂଆ ଯୋଜନା- ‘ବିକଶିତ ଗାଁ-ବିକଶିତ ଓଡ଼ିଶା’ ଯୋଜନାରେ ବି ଗ୍ରାମସଭା ପ୍ରକଳ୍ପ ବାଛିବ ବୋଲି ଚିଠି କରିଥିଲା ପଂଚାୟତିରାଜ ବିଭାଗ। ମାତ୍ର ହଠାତ୍ ଏହି ପ୍ରକଳ୍ପରୁ ୪୦ ପ୍ରତିଶତ ମୂଲ୍ୟର ପ୍ରକଳ୍ପ ବାଛିବା ଦାୟିତ୍ବ ବିଭାଗ ବିଧାୟକ ଓ ଜିଲ୍ଲାପାଳଙ୍କୁ ଦେବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।

Advertisment

ପ୍ରଥମେ ଗ୍ରାମସଭାରେ ସବୁ ପ୍ରକଳ୍ପ ବଛାଯିବ ବୋଲି ଜାନୁଆରୀ ୨୮ରେ ସଂକଳ୍ପନାମା ପ୍ରକାଶ ପାଇବା ପରେ ପଂଚାୟତିରାଜ ବିଭାଗ ପକ୍ଷରୁ ମାର୍ଚ୍ଚ ମାସରେ ଦୁଇଟି ସଂଶୋଧିତ ଚିଠି ଲେଖାଯାଇଛି। ପ୍ରଥମ ଚିଠିଟି ମାର୍ଚ୍ଚ ୧୧ ତାରିଖରେ ଲେଖାଯାଇଥିଲା। ଏଥିରେ ପ୍ରକଳ୍ପରୁ ୨୦% ମୂଲ୍ୟର ପ୍ରକଳ୍ପ ସାଂସଦ, ବିଧାୟକ ଓ ବରିଷ୍ଠ ଅଧିକାରୀ ବାଛିପାରିବେ ବୋଲି ଲେଖାଯାଇଥିଲା। ତେବେ ମାର୍ଚ୍ଚ ୨୫ ତାରିଖରେ ସର୍ବଶେଷ ସଂଶୋଧିତ ଚିଠି ଯାଇଛି। ଏଥିରେ କେବଳ ବିଧାୟକ ଓ ଜିଲ୍ଲାପାଳ ୪୦% ପ୍ରକଳ୍ପ ପାଇଁ ସୁପାରିଶ କରିପାରିବେ ବୋଲି କୁହାଯାଇଛି। ନୂଆ ‘ବିକଶିତ ଗାଁ-ବିକଶିତ ଓଡ଼ିଶା’ ଯୋଜନାରେ ୫ ବର୍ଷ ପାଇଁ କାର୍ଯ୍ୟ-ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି, ଆଉ ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି। ତେବେ ୨୦୨୫-୨୬ ବଜେଟରେ ଏଥିପାଇଁ ୨ ହଜାର କୋଟି ଟଙ୍କା ରଖାଯାଇଛି। ବିଭିନ୍ନ କେନ୍ଦ୍ରୀୟ, ରାଜ୍ୟ ଓ କେନ୍ଦ୍ର-ପ୍ରବର୍ତ୍ତିତ ଯୋଜନା ବାହାରେ ବିଧାୟକମାନଙ୍କର ହାତିପାଣ୍ଠି ବ୍ୟବସ୍ଥା ରହିଛି। ଦୁଇ ମାସ ତଳେ ଓଡ଼ିଶା ବିଧାୟକମାନଙ୍କ ବାର୍ଷିକ ହାତପାଣ୍ଠି ବା MLALADର ପରିମାଣ ୩ କୋଟି ଟଙ୍କାରୁ ୫ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି। ତା’ ପରେ ବି ବିଜେପି ସରକାର କାହିଁକି ଗ୍ରାମସଭାକୁ ଅଧିକ କ୍ଷମତା ଦେବା ପାଇଁ ଇଚ୍ଛୁକ ନୁହନ୍ତି, ତାହା ପ୍ରଶ୍ନ ସୃଷ୍ଟି କରିଛି।

ଏଭଳି ପଦକ୍ଷେପକୁ ବିଜେଡି ବିଧାୟକ ଅରୁଣ ସାହୁ ଓ କଂଗ୍ରେସ ନେତା ସୁଦର୍ଶନ ଦାସ ସମାଲୋଚନା କରିଛନ୍ତି। ତେବେ ପ୍ରକଳ୍ପ ବାଛିବାରେ ସମସ୍ତଙ୍କୁ ସାମିଲ କରିବା ଦ୍ୱାରା ଯୋଜନା ଜରିଆରେ ଭଲ ଦୀର୍ଘମିଆଦୀ ପ୍ରକଳ୍ପ ସୃଷ୍ଟି ହୋଇପାରିବ ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଉତ୍ତର ଦେଇଛନ୍ତି।

Advertisment

(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ)