Advertisment

କ୍ଲାସ୍‌ରେ ଚିତ୍କାର କରୁଛନ୍ତି ଛାତ୍ରୀ; ଦାନ୍ତ କଡ଼ମଡ଼ କରି ଘୁଷୁରି ଘୁଷୁରି ବୁଢ଼ା ବର ଗଛ ମୂଳକୁ ଯାଉଛନ୍ତି

ଛାତ୍ରୀମାନେ ଘରକୁ ପଳାଇ ଆସିବା ପରେ ସ୍ୱଭାବିକ ଅବସ୍ଥାକୁ ଚାଲି ଆସୁଛନ୍ତି। ପ୍ରତିଦିନ ଏପରି ଚିତ୍ର ସ୍କୁଲରେ ଦେଖିବାକୁ ମିଳୁଛି। ଏନେଇ ଅଭିଭାବକମାନେ ସିଆର୍‌ସିସି, ବିଇଓ ଓ ଡିଇଓଙ୍କ ପାଖରେ ଅଭିଯୋଗ କରିଥିଲେ।

author-image
Manoranjan Sial
Bhadrak

Bhadrak

କ୍ଲାସ୍‌ରେ ଚିତ୍କାର କରୁଛନ୍ତି ଛାତ୍ରୀ। ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ଛାତ୍ରୀ ଚିତ୍କାର କରୁଛନ୍ତି। ଦାନ୍ତ କଡ଼ମଡ଼ କରି ଘୁଷୁରି ଘୁଷୁରି ସ୍କୁଲ କ୍ୟାମ୍ପସରେ ଥିବା ବୁଢା ବର ଗଛ ମୂଳକୁ ଯାଉଛନ୍ତି। ଗତ ଅକ୍ଟୋବର ମାସରୁ ଏପରି ଚିତ୍ର ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଢୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ହେଲେ ପ୍ରଶାସନ ଚୁପ୍‌ ବସିଛି। ଗାଁ ଲୋକେ ଗୁଣିଆ ଡାକି ଝଡ଼ାଫୁଙ୍କା କରୁଥିବା ଦେଖିବାକୁ ମିଳିଛି।

Advertisment

ଅଢୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଛି। ୪୩୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଅକ୍ଟୋବରରୁ ସ୍କୁଲରେ ବିଚିତ୍ର ଚିତ୍ର ଦେଖିବାକୁ ମିଳୁଛି। ଷଷ୍ଠ ଶ୍ରେଣୀରେ ପଢୁଥିବା କେତେକ ଛାତ୍ରୀ କ୍ଲାସ୍‌ ଚାଲିଥିବା ବେଳେ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି। ଜୋରରେ ରଡି କରୁଛନ୍ତି, ପରେ ଦାନ୍ତ କଡ଼ମଡ଼ ଓ ଆଖି କଟମଟ କରି ଚିତ୍କାର କରୁଛନ୍ତି। ତା’ପରେ ଘୁଷୁରି ଘୁଷୁରି ସ୍କୁଲ କ୍ୟାମ୍ପସ ଭିତରେ ଥିବା ବୁଢ଼ା ବରଗଛ ମୂଳକକୁ ଯାଉଥିଲେ। କିଛି ସମୟ ଧରି ଗଛର ଡାଳକୁ ଅନାଇ ସଂଜ୍ଞାହୀନ ଅବସ୍ଥାରେ ସେଠାରେ ଚିତ୍‌ପଟାଙ୍ଗ ହୋଇ ପଡ଼ି ଯାଉଛନ୍ତି। ତା’ପରେ ଅଭିଭାବକମାନେ ସେମାନଙ୍କୁ ଧରି ଘରକୁ ପଳାଇ ଆସୁଛନ୍ତି।

ଛାତ୍ରୀମାନେ ଘରକୁ ପଳାଇ ଆସିବା ପରେ ସ୍ୱଭାବିକ ଅବସ୍ଥାକୁ ଚାଲି ଆସୁଛନ୍ତି। ପ୍ରତିଦିନ ଏପରି ଚିତ୍ର ସ୍କୁଲରେ ଦେଖିବାକୁ ମିଳୁଛି। ଏନେଇ ଅଭିଭାବକମାନେ ସିଆର୍‌ସିସି, ବିଇଓ ଓ ଡିଇଓଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ସବୁ ଶୁଣି ଚୁପ୍‌ ବସିଛି ପ୍ରଶାସନ। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment
Bhadrakମାଆଙ୍କ କୋଳରେ ଝିଅ....

ସ୍ଥିତି ଭୟଙ୍କର ହେବା ପରେ ଦୁଇ ଦିନ ତଳେ ସ୍କୁଲରେ ବସିଥିଲା ବୈଠକ। ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚଳାନା କମିଟି ସଦସ୍ୟ, ସ୍ଥାନୀୟ ସରପଞ୍ଚ ଓ ଅଭିଭାବକମାନେ ସାମିଲ ହୋଇଥିଲେ। ସ୍କୁଲରେ ଦେଖାଦେଇଥିବା ବିଚିତ୍ର ସ୍ଥିତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସର୍ବ ସମ୍ମତି କ୍ରମେ ଜଣେ ଗୁଣିଆ ଡାକି ପୂଜାର୍ଚ୍ଚନା କରିବାକୁ ନିଷ୍ପତ୍ତି ହୋଇଥିଲା।

ଶୁକ୍ରବାର ଦିନ ଗୁଣିଆ ସ୍କୁଲରେ ପହଞ୍ଚିଥିଲା। ପୂଜା ପାଠ କରିବା ପରେ ସ୍କୁଲ କ୍ୟାମ୍ପ ଅଦା ପାଣି ସିଞ୍ଚନ କରିଥିଲା। ଠିକ୍‌ ସେହି ସମୟରେ କିଛି ଛାତ୍ରୀ ହଠାତ୍‌ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରିଥିଲେ। ମୁଣ୍ଡ ହଲାଇ ଚିତ୍କାର କରିଥିଲେ। ବର ଗଛମୂଳକୁ ଘୁଷୁରି ଘୁଷୁରି ଯାଉଥିବା ବେଳେ ଅଭିଭାବକମାନେ ଧରି ପକାଇଥିଲେ। ସେମାନଙ୍କୁ ନିଜ ଘରକୁ ନେଇ ଯାଇଥିଲା। ପୂଜା ସରିବା ପରେ ଗୁଣିଆ ତା’ ବାଟରେ ଚାଲିଗଲା। ଅଭିଭାବକମାନେ ଭାବିଥିଲେ ସବୁକିଛି ଠିକ୍‌ଠାକ୍‌ ହୋଇଗଲା। ହେଲେ ଆଜି ମଧ୍ୟ ୩ରୁ ୪ ଜଣ ଛାତ୍ରୀ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

Bhadrakଚେତା ହରାଇ ରାସ୍ତାରେ ପଡ଼ିଛନ୍ତି ଜଣେ ଛାତ୍ରୀ

ସ୍କୁଲ ପରିଚାଳନା କମିଟି ସଭାପତି ବୁଦ୍ଧିରାମ ବାରିକ କହିଛନ୍ତି, ସ୍କୁଲର ଛାତ୍ରୀମାନେ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି। ଏନେଇ ସ୍କୁଲ ପରିଚାଳନା କମିଟି ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ଗୁଣିଆ ଡାକି ପୂଜା ପାଠ କରାଯାଇଥିଲା ବୋଲି ଶ୍ରୀ ବାରିକ କହିଛନ୍ତି।

ସହକାରୀ ଶିକ୍ଷକ ନିକୁଞ୍ଜ ବିହାରୀ ମହାପାତ୍ର କହିଛନ୍ତି, ଅକ୍ଟୋବର ମାସରୁ କିଛି ଛାତ୍ରୀ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଥିଲି। ସରପଞ୍ଚଙ୍କ ଉପସ୍ଥିତିରେ ସ୍କୁଲ ପରିଚାଳନା କମିଟି ବୈଠକ ଡାକିବାକୁ କୁହାଯାଇଥିଲା। ଦୁଇଦିନ ତଳେ ବସିଥିବା ବୈଠକ ନିଷ୍ପତ୍ତି ଅନୁସାରେ ଗୁଣିଆ ପୂଜା ପାଠ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଅକ୍ଟୋବର ମାସରୁ ସ୍କୁଲରେ ଛାତ୍ରୀମାନେ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି। ହେଲେ ପ୍ରଶାସନ୍‌ ଚୁପ୍‌ ବସିଛି। ଆଜି ପର୍ଯ୍ୟନ୍ତ ମେଡ଼ିକାଲ୍‌ ଟିମ୍‌ ସ୍କୁଲରେ ପହଞ୍ଚି ପାରିଲେ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ପ୍ରଶାସନ କ’ଣ ଜାଣିଶୁଣି ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ପ୍ରଶ୍ରୟ ଦେଉଛି କି?

ରିପୋର୍ଟ- ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ

School Bhadrak News Bhadrak