ଶୀତୁଆ ରାତିରେ ଝୁମ୍ପୁଡ଼ି ଘରେ ବିତୁଛି ବାର୍ଦ୍ଧକ୍ୟ ଜୀବନ

ଦୁଇ ଭାଇଙ୍କର ଜମିବାଡ଼ି ବୋଲି କିଛି ନାହିଁ। କୁଶେଇ ନଦୀ ବନ୍ଧ ପାଲଟିଛି ଆଶ୍ରୟ ସ୍ଥଳ। ସେହି ନଦୀ ବନ୍ଧ ପାର୍ଶ୍ୱରେ ଛିଡ଼ା ହୋଇଛି ବିରାଟକାୟ ଆମ୍ୱଗଛ। ଆଉ ତାହାରି ମୂଳରେ ଥିବା ଝୁମ୍ପୁଡ଼ି ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ନଟ ବେହେରା ଓ ତାଙ୍କ ପତ୍ନୀ।

ଏହି ଘରେ ରହୁଛି ଜୀବନ...

  • Published: Tuesday, 19 December 2023
  • , Updated: 19 December 2023, 06:11 PM IST

ଶୀତୁଆ ରାତି। ମଝିରେ ମଝିରେ ହାଲ୍‌କା ପବନ। ସେଥିରେ ଶିତେଇ ଯାଉଛି ଦେହ। ତାହାରି ଭିତରେ ଝୁମ୍ପୁଡ଼ି ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ। ଚାଲିବାକୁ ପାଦରେ ବଳନଥିବାରୁ ଜୀବନ ସାଥୀ ସାଜିଛନ୍ତି ଆଶ୍ରାବାଡ଼ି। ମାଗି ଜାଚି ଯାହା ଆଣୁଛନ୍ତି, ସେଥିରେ ଚଳୁଛନ୍ତି ବୃଦ୍ଧ ଦମ୍ପତି। ବିକାଶ ଏ ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ବାର୍ଦ୍ଧକ୍ୟରେ ଏତେ ଯନ୍ତ୍ରଣା ପାଉଥିଲେ ମଧ୍ୟ ସେମାନଙ୍କ ଉପରେ ପଡ଼ିନି ପ୍ରଶାସନର ନଜର।

ଆନନ୍ଦପୁର ବ୍ଲକ୍‌ ହରିଡାପାଳ ପଞ୍ଚାୟତ ମଙ୍ଗଳପୁର ଗାଁରେ ନଟ ବେହେରା ଓ ରଙ୍କିଆ ବେହେରାଙ୍କ ଘର। ସମ୍ପର୍କରେ ଏ ଦୁଇ ଜଣ ଭାଇ। ନଟ ବେହେରା ବଡ଼। ତାଙ୍କ ପରିବାର କହିଲେ ପତ୍ନୀ ଅପୂର୍ବ ଓ ପୁଅବୋହୂ। ରଙ୍କିଆଙ୍କ ପରିବାର କହିଲେ ପତ୍ନୀ ଝୁମୁରୀ। ତାଙ୍କ ପରିବାରରେ ଆଉ କେହି ନାହାନ୍ତି। ଦୁଇ ଭାଇ ଅଲଗା ଅଲଗା ରହୁଛନ୍ତି। କାମଦାମ କରି କଳୁଛନ୍ତି। ଆଉ ଯେତେବେଳେ ଗାଁରେ କାମ ମିଳୁନି, ସେତେବେଳେ ବାଉଁଶରୁ ବିଭିନ୍ନ ସରଞ୍ଜାମ ତିଆରି କରି ପରିବାର ଭରଷ ପୋଷଣ କରୁଛନ୍ତି।

ଦୁଇ ଭାଇଙ୍କର ଜମିବାଡ଼ି ବୋଲି କିଛି ନାହିଁ। କୁଶେଇ ନଦୀ ବନ୍ଧ ପାଲଟିଛି ଆଶ୍ରୟ ସ୍ଥଳ। ସେହି ନଦୀ ବନ୍ଧ ପାର୍ଶ୍ୱରେ ଛିଡ଼ା ହୋଇଛି ବିରାଟକାୟ ଆମ୍ୱଗଛ। ଆଉ ତାହାରି ମୂଳରେ ଥିବା ଝୁମ୍ପୁଡ଼ି ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ନଟ ବେହେରା ଓ ତାଙ୍କ ପତ୍ନୀ। ଗାଁରେ କାମ ନମିଳିବାରୁ ବୃଦ୍ଧ ବାପାମାଆଙ୍କୁ ଛାଡ଼ି କେନ୍ଦୁଝର ପଳାଇଗଲେ ପୁଅ ଓ ବୋହୂ। ସେମାନେ ଆଉ ଘରକୁ ଆସୁନାହାନ୍ତି। ସେପଟେ ଦିନ ଗଡ଼ିବା ସହିତ ବଢ଼ିଛି ବୟସ। ବାର୍ଦ୍ଧକ୍ୟରେ ପଦାର୍ପଣ କରିଛନ୍ତି ନଟବର ଓ ତାଙ୍କ ପତ୍ନୀ। ଚାଲିବୁଲି ପାରୁନାହାନ୍ତି। କାମ କରିବା ଦୂରର କଥା। ପେଟର ଭୋକ ମାଣ୍ଟାଇବା ପାଇଁ ନଟଙ୍କ ପତ୍ନୀ ଅପୂର୍ବ ଗାଁକୁ ଗାଁ ବୁଲି ଭିକ୍ଷା ମାଗୁଛନ୍ତି। ଯାହା ମିଳୁଛି, ସେଥିରେ ଦୁଃଖେ କଷ୍ଟେ ଚଳୁଛନ୍ତି।

ସବୁଠାରୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ନଟ ବେହେରା ଓ ତାଙ୍କ ପତ୍ନୀ ଅପୂର୍ବଙ୍କୁ ମିଳିପାରିଲା ନାହିଁ ବାର୍ଦ୍ଧକ୍ୟ ଭତ୍ତା। ଆବାସ ଯୋଜନାରେ ଏଠି ଥିଲାବାଲା ଘର ହାତେଇ ନେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ଘର ଖଣ୍ଡିଏ ମିଳିପାରିଲା ନାହିଁ। ଯେଉଁଥିପାଇଁ ଦୟନୀୟ ଅବସ୍ଥାରେ ଯନ୍ତ୍ରଣାଦାୟକ ଜୀବନ ଅତିବାହିତ କରୁଛନ୍ତି ନଟ ଓ ତାଙ୍କ ପତ୍ନୀ। ସେମାନଙ୍କ ପ୍ରତି ପ୍ରଶାସନର ତିଳେ ମାତ୍ର ନଜର ପଡ଼ିନାହିଁ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନଟ ବେହେରା।

ବଡ଼ଭାଇ ନଟଙ୍କ ପରି ସାନ ଭାଇ ରଙ୍କିଆଙ୍କ ଅବସ୍ଥା ମଧ୍ୟ ସମାନ। କିଛିଦିନ ତଳେ ତାଙ୍କ ଝୁମ୍ପୁଡିରେ ଲାଗି ଯାଇଥିଲା ନିଆଁ। ଘରେ ଥିବା ସର୍ବସ୍ୱ ପୋଡ଼ି ପାଉଁଶ ହୋଇଯାଇଥିଲା। ପାଖରେ ସମ୍ୱଳ ନଥିବାରୁ ଝୁମ୍ପୁଡି ଖଣ୍ଡିଏ ତିଆରି କରିପାରିଲେ ନାହିଁ। ତେଣୁ ଗଛ ମୂଳରେ ପଲିଥିନ୍‌ ଟାଙ୍ଗି ସ୍ୱାମୀ ଓ ସ୍ତ୍ରୀ କାଟୁଛନ୍ତି ସମୟ। ଯେଉଁଠି ରାତିର ପାରଦ ୧୨ ଡିଗ୍ରୀ ତଳେ ରହୁଛି, ସେଠି କେମିତି ବିତୁଥିବ ରାତି? ଏଥିପ୍ରତି କାହାର ନିଘା ନାହିଁ। ରଙ୍କିଆଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଲା ନାହିଁ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରଙ୍କିଆ ବେହେରା।

ରିପୋର୍ଟ-ଆନନ୍ଦପୁରରୁ ମୁନ୍ନା ସିଂହ

Related story