୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଅଛନ୍ତି ଅନେକ ଗାଁ। ପିଇବା ପାଣି ଠାରୁ ଆରମ୍ଭ କରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଭତ୍ତା, ଆବାସ ଓ ବିଦ୍ୟୁତ ଭଳି ଅନେକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ଗାଁଗୁଡ଼ିକ। ସେହି ଗାଁଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଖଣିଖାଦାନ ଭରା ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର କନ୍ଥାଝରି। ଦୈତାରୀ ଲୁହା ପଥର ଖଣିର ଅନତି ଦୂରରେ ରେବଣା ସଂରକ୍ଷିତ ଜଙ୍ଗଲରେ ଅବସ୍ଥିତ ଏହି ଗାଁରେ ରହନ୍ତି ମୁଣ୍ଡା ସମ୍ପ୍ରଦାୟର ଲୋକେ।
କନ୍ଥାଝରି ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଖଣ୍ଡିଏ ନାହିଁ। ଏହି ଗାଁକୁ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼େ ପାହାଡ଼ ଓ ଝରଣା। ଝରଣାଟି ଚିରସ୍ରୋତା।ବର୍ଷ ସାରା ଏଥିରେ ପାଣି ରହେ। ବର୍ଷା ଦିନେ ଏହି ଝରଣାରେ ପ୍ରବଳ ପାଣି ଆସିଥାଏ। ସେହି ସମୟରେ ଗାଁ ବାହାରକୁ ଯିବା ପାଇଁ ଲୋକେ ଭାରି ହଇରାଣ ହୁଅନ୍ତି। ରୋଗୀଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ହୁଏ। ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରନ୍ତି ନାହିଁ। ସ୍କୁଲ ଯିବାରେ ଅସୁବିଧା ହେଉଥିବା ଯୋଗୁ ବାଧ୍ୟ ହୋଇ କିଛି ପିଲା ଅଧାରୁ ପାଠପଢ଼ା ଛାଡ଼ନ୍ତି।
ଗ୍ରାମବାସୀଙ୍କ ପାଇଁ ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା। ଗାଁରେ ଗୋଟିଏ ନଳକୂଅ ଖୋଳା ଯାଇଥିଲା। ତେବେ ତାହା ବର୍ଷେ ହେଲା ଅଚଳ ହୋଇପଡ଼ିଛି। ପାଣି ପାଇଁ ଗାଁ ଲୋକେ ଝରଣା ଉପରେ ନିର୍ଭର କରନ୍ତି। ସ୍ନାନ-ଶୌଚ ଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତି ଓ ପିଇବା ପାଇଁ ଝରଣା ପାଣିକୁ ଲୋକେ ବ୍ୟବହାର କରନ୍ତି।
ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଛି। କିନ୍ତୁ ବର୍ଷ ବର୍ଷ ଧରି ସେତିକିରେ ଅଟକିଛି ସେହି କାମ। କିଛି ବର୍ଷ ତଳେ ଗାଁରେ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଅଚଳ ହୋଇଯାଇଛି।
ଗାଁର ଅଧିକାଂଶ ପରିବାର ଝାଟିମାଟି ଘରେ ରହୁଛନ୍ତି। ନିର୍ବାଚନ ଆସିଲେ ଗାଁ ଲୋକଙ୍କୁ ଆବାସ ଯୋଜନା ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳେ। କିନ୍ତୁ ନିର୍ବଚନ ସରିଗଲେ ଆଉ କେହି ସେମାନଙ୍କ କଥା ଭାବନ୍ତି ନାହିଁ।
ଗାଁର ଅନେକ ବୟସ୍କ ଓ ଦିବ୍ୟାଙ୍ଗ ସରକାରୀ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଗାଁର ନିକଟରେ ଦୈତାରୀ ଲୁହା ପଥର ଖଣି ଥିଲେ ବି ଗାଁର ଅନେକ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି। ଅନ୍ୟମାନେ ଜଙ୍ଗଲ ଉପରେ ନିର୍ଭର କରି ଚଳନ୍ତି।
ଆଦିବାସୀଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହୁଛନ୍ତି। କିନ୍ତୁ ଏବେବି ଏ ସବୁ ଯୋଜନା କନ୍ଥାଝର ଗାଁ ପାଇଁ ସ୍ବପ୍ନ ହୋଇ ରହିଯାଇଛି।