/odisha-reporter/media/post_attachments/uploads/2018/09/b4-1.jpg)
b4
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ୍ କୋହଲି ଓ ଭାରତ୍ତୋଳନକାରୀ ମୀରାବାଈ ଚାନୁ ଆସନ୍ତା ୨୫ ତାରିଖରେ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ 'ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର' ପାଇବେ। ତେବେ କେଉଁ ଆଧାରରେ ଏମାନଙ୍କୁ ଖେଳରତ୍ନ ପୁରସ୍କାର ମିଳିବ, ତାକୁ ନେଇ ସୃଷ୍ଟି ହୋଇଛି ଘୋର ବିବାଦ।
ଚଳିତ ବର୍ଷ ଖେଳରତ୍ନ ପୁରସ୍କାର ପାଇବାରୁ ବଞ୍ଚିତ ଏସିଆନ୍ ଗେମ୍ସ ସ୍ଵର୍ଣ ପଦକ ବିଜେତା ବଜରଙ୍ଗ ପୁନିଆ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ପୁରସ୍କାର ପାଇଁ ମନୋନୀତ ହେବା ପାଇଁ ନିର୍ଦ୍ଦିଷ୍ଟ ମାପକାଠି ରହିଛି। ତଦ୍ନୁଯାୟୀ ଦେଖିଲେ ସର୍ବାଧିକ ପଏଣ୍ଟ ମୋ ପାଖରେ ରହିଛି। ମୋର ୮୦ ପଏଣ୍ଟ ଥିବା ବେଳେ ମୀରାବାଈଙ୍କ ପାଖରେ ୪୪ ଓ ବିରାଟ୍ଙ୍କ ପାଖରେ “୦” ପଏଣ୍ଟ ରହିଛି। ତଥାପି ଏହି ପୁରସ୍କାର ପାଇଁ ତାଙ୍କୁ କାହିଁକି ଚୟନ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
/odisha-reporter/media/post_attachments/wp-content/uploads/2018/09/b5-1.jpg)
ଏନେଇ ସେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋରଙ୍କ ନିକଟରେ ବିଧିବଦ୍ଧ ଭାବେ ଆପତ୍ତି ମଧ୍ୟ ଉଠାଇଛନ୍ତି। ୨୪ ବର୍ଷୀୟ ବଜରଙ୍ଗ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲେ। ତଥାପି ତାଙ୍କୁ ଚଳିତ ବର୍ଷ ଖେଳରତ୍ନ ପୁରସ୍କାର ତାଲିକାରୁ ବାଦ୍ ଦିଆଯାଇଛି।
ନିୟମ ଅନୁସାରେ କ୍ରିକେଟ୍ ପାଇଁ କୌଣସି ପଏଣ୍ଟର ବ୍ୟବସ୍ଥା ନାହିଁ। କାରଣ ଅଲମ୍ପିକ୍ସରେ କ୍ରିକେଟ୍ ସାମିଲ ହୋଇନାହିଁ। ତେବେ ଅନ୍ୟ ଖେଳଗୁଡ଼ିକରେ ଖେଳାଳିଙ୍କ ସଫଳତାକୁ ନେଇ ମିଳୁଥିବା ପଏଣ୍ଟ ଆଧାରରେ ପୁରସ୍କାର ପାଇଁ ମନୋନୟନ କରାଯାଏ। ଚଳିତ ବର୍ଷ ମୀରାବାଈଙ୍କୁ ଖେଳରତ୍ନ ପାଇଁ ଚୟନ କରାଯାଇଥିବା ବେଳେ ତାଙ୍କଠାରୁ ଅଧିକ ପଏଣ୍ଟ ପାଇଥିବା ୧୧ ଜଣ ଖେଳାଳିଙ୍କୁ ଅଣଦେଖା କରାଯାଇଛି।
/odisha-reporter/media/post_attachments/wp-content/uploads/2018/09/b-6.jpg)
ରେସଲର୍ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ୍ ୮୦ ପଏଣ୍ଟ ଲେଖାଏ ପାଇଥିଲେ ହେଁ କ୍ରୀଡ଼ା ମନ୍ତ୍ରଣାଳୟ ସେମାନଙ୍କ ନାଁ ପୁରସ୍କାର ତାଲିକାରେ ସାମିଲ କରିନାହିଁ।
ଏବର୍ଷ ଖେଳରତ୍ନ ପାଇଁ ୧୧ ଜଣିଆ କମିଟି ୩ ଜଣ ଖେଳାଳିଙ୍କ ନାଁ ବିଚାରକୁ ନେଇଥିଲେ। ସେମାନେ ହେଲେ ବିରାଟ୍, ମୀରାବାଈ ଓ ଭାରତୀୟ ପୁରୁଷ ସଟ୍ଲର୍ କାଦମ୍ବୀ ଶ୍ରୀକାନ୍ତ। ହେଲେ ଚୟନ କମିଟି କ୍ରୀଡ଼ା ମନ୍ତ୍ରଣାଳୟ ନିକଟରୁ କେବଳ ବିରାଟ୍ ଓ ମୀରାବାଈଙ୍କ ନାଁ ପଠାଇ ଥିଲା।
/odisha-reporter/media/post_attachments/wp-content/uploads/2018/09/b1-3.jpg)
ପଏଣ୍ଟ ବ୍ୟବସ୍ଥା ଅନୁଯାୟୀ, ଅଲମ୍ପିକ୍ସ ଓ ପାରା ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଖେଳାଳିଙ୍କୁ ୮୦ ପଏଣ୍ଟ, ରୌପ୍ୟ ପାଇଁ ୭୦ ଓ ବ୍ରୋଞ୍ଜ ପାଇଁ ୫୫ ପଏଣ୍ଟ ମିଳିଥାଏ। ସେହିପରି ବିଶ୍ୱ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ଜିତିଲେ ୪୦, ରୌପ୍ୟ ପାଇଁ ୩୦ ଓ ବ୍ରୋଞ୍ଜ ପଦକ ପାଇଁ ୨୦ ପଏଣ୍ଟ ମିଳେ। ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଲେ ୩୦, ରୌପ୍ୟ ଜିତିଲେ ୨୫ ଓ ବ୍ରୋଞ୍ଜ ପାଇଁ ୨୦ ପଏଣ୍ଟ ମିଳିଥାଏ। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପାଇଁ ୨୫,ରୌପ୍ୟ ପାଇଁ ୨୦ ଓ ବ୍ରୋଞ୍ଜ ପଦକ ପାଇଲେ ୧୫ ପଏଣ୍ଟ ଖେଳାଳିଙ୍କୁ ମିଳିଥାଏ।
ଏହା ବ୍ୟତୀତ ପୁରସ୍କାର ଚୟନ କମିଟିରେ ଥିବା ଜୁରି ସଦସ୍ୟମାନେ ଚାହିଁଲେ ଜଣେ ଖେଳାଳିଙ୍କୁ ଅତିରିକ୍ତ ୨୦ ପଏଣ୍ଟ ଯାଏ ଦେଇପାରିବେ।
ଚୟନ୍ କମିଟି ପାଖକୁ ଚଳିତ ବର୍ଷ ୧୭ ଜଣ ଖେଳାଳିଙ୍କ ନାଁ ଆସିଥିଲା, ତେବେ କମିଟି ପକ୍ଷରୁ ୧୧ ଜଣଙ୍କ ନାଁ ବିଚାର ପାଇଁ ଗ୍ରହଣ କରାଯାଇଥିଲା।
[caption id="attachment_278486" align="aligncenter" width="945"]
ଭିନେଶ ଫୋଗଟ୍[/caption]
ଏହି ଖେଳାଳିଙ୍କ ମଧ୍ୟରୁ ମୀରବାଈଙ୍କୁ କମିଟି ୨୦ ପଏଣ୍ଟ ମଧ୍ୟରୁ ୧୯ ପଏଣ୍ଟ ଦେଇଥିଲେ। ସେହିପରି ବିରାଟ୍ଙ୍କୁ ୧୮.୫, ଶ୍ରୀକାନ୍ତଙ୍କୁ ୧୮,ଭିନେଶଙ୍କୁ ୧୩, ରୋହନ ବୋପାନ୍ନାଙ୍କୁ ୧୨,ବଜରଙ୍ଗ ପୁନିଆଙ୍କୁ ୧୨, ନୀରଜ ଚୋପ୍ରାଙ୍କୁ ୧୫, ଦୀପା ମଲ୍ଲିକଙ୍କୁ ୧୨, ବିକାଶ କିଷ୍ଣନ୍ଙ୍କୁ ୧୪, ମନିକା ବାତ୍ରାଙ୍କୁ ୧୩ ଓ ପାରା ରେସଲର୍ ବିରେନ୍ଦର ସିଂହଙ୍କୁ ୧୨ ପଏଣ୍ଟ ମିଳିଥିଲା।
ଚୟନ କମିଟିର ଜଣେ ସଦସ୍ୟ କହିଛନ୍ତି, କ୍ରିକେଟ୍ ପାଇଁ ପଏଣ୍ଟ ବ୍ୟବସ୍ଥା ନଥିବାରୁ ବିରାଟ୍ କୋହଲିଙ୍କ ନାଁକୁ ନେଇ କମିଟିରେ ବିତର୍କ ହୋଇଥିଲା। ଏହାପରେ ଭୋଟ୍ ଦ୍ୱାରା କୋହଲିଙ୍କ ଭାଗ୍ୟ ନିର୍ଦ୍ଧାରିତ ହୋଇଥିଲା। କୋହିଲଙ୍କ ସପକ୍ଷରେ ୮ ଜଣ ସଦସ୍ୟ ରହିଥିବା ବେଳେ ୩ ଜଣ ଏହାକୁ ବିରୋଧ କରିଥିଲେ। ତେଣୁ ଭୋଟ୍ ଫଳାଫଳ ଅ଼ନୁଯାୟୀ କୋହଲିଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ୍ କରାଯାଇଥିଲା।
ସେ କହିଛନ୍ତି, ମୀରାବାଇ ଓ ଶ୍ରୀକାନ୍ତଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣା ଯାଇଥିଲା। ମୀରାବାଈଙ୍କ ସମର୍ଥନରେ ୭ ଜଣ ଥିବା ବେଳେ ଶ୍ରୀକାନ୍ତଙ୍କ ସପକ୍ଷରେ ୬ ଜଣ ସଦସ୍ୟଙ୍କ ଭୋଟ୍ ରହିଥିଲା। ତେଣୁ ଦ୍ୱିତୀୟ ନାଁ ଭାବେ ଆମେ ମୀରାବାଈଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ୍ କରିଥିଲୁ। ଅବଶ୍ୟ ବଜରଙ୍ଗ ଓ ଭିନେଶଙ୍କ ନାଁ ବିଚାରକୁ ନିଆଯାଇଥିଲା।, ତେବେ ସେମାନଙ୍କ ନାଁ ପୁରସ୍କାର ପାଇଁ ସୁପାରିସ୍ କରାଯାଇ ନଥିଲା ବୋଲି ସେ କହିଛନ୍ତି।
[caption id="attachment_278487" align="aligncenter" width="973"]
ମୀରାବାଈ ଚାନୁ[/caption]
ଏହି ନିଷ୍ପତ୍ତି ପରେ ବଜରଙ୍ଗ କହିଛନ୍ତି, ଦରକାର ପଡ଼ିଲେ ମୁଁ କୋର୍ଟଙ୍କ ଦ୍ୱାରସ୍ଥ ହେବି। କମିଟି ପକ୍ଷରୁ ମୋତେ ସର୍ବାଧିକ ପଏଣ୍ଟ ମିଳିଥିଲେ ହେଁ ମୁଁ ଖେଳରତ୍ନ ପାଇବାରୁ ବଞ୍ଚିତ ହୋଇଛି। ଯଦି ପଏଣ୍ଟର କିଛି ମୂଲ୍ୟ ନାହିଁ, ତା’ହେଲେ ଏପରି ବ୍ୟବସ୍ଥା କାହିଁକି ରଖାଯାଇଛି ? ଭିନେଶ ଓ ମୁଁ ଦେଶ ପାଇଁ ପଦକ ପରେ ପଦକ ଜିତିଛୁ, ହେଲେ ଆମକୁ ଅଣଦେଖା କରାଯାଉଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
