ପାକିସ୍ତାନୀ ବୋଲର ଧରାଶୟୀ, ପ୍ରଥମ ଦିନରେ ଇଂଲଣ୍ଡର ୪ ବ୍ୟାଟ୍ସମ୍ୟାନ୍ ମାରିଲେ ଶତକ

ରାୱଲପିଣ୍ଡି: ଘରୋଇ ପିଚ୍‌ରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଖେଳୁଛି ଟେଷ୍ଟ ସିରିଜ୍। ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୁରୁବାର ଠାରୁ ରାୱଲପିଣ୍ଡିରେ ଆରମ୍ଭ ହୋଇଛି। ଆଉ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଧରାଶୟୀ ହୋଇଛନ୍ତି ପାକିସ୍ତାନର ବୋଲର। ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ସେମାନଙ୍କ ବଲ୍‌କୁ ନିର୍ଘାତ ପ୍ରହାର କରିଛନ୍ତି। ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ଯେମିତି ଦ୍ରୁତ ରନ୍ ସଂଗ୍ରହ କରିଥିଲେ, ତାହା ଦେଖି ଆଦୌ ଲାଗି ନଥିଲା ଯେ ଏହା ଏକ ଟେଷ୍ଟ୍ ମ୍ୟାଚ୍‌। ଲାଗୁଥିଲା […]

England

  • Published: Thursday, 01 December 2022
  • , Updated: 01 December 2022, 06:44 PM IST

ରାୱଲପିଣ୍ଡି: ଘରୋଇ ପିଚ୍‌ରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଖେଳୁଛି ଟେଷ୍ଟ ସିରିଜ୍। ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୁରୁବାର ଠାରୁ ରାୱଲପିଣ୍ଡିରେ ଆରମ୍ଭ ହୋଇଛି। ଆଉ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଧରାଶୟୀ ହୋଇଛନ୍ତି ପାକିସ୍ତାନର ବୋଲର। ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ସେମାନଙ୍କ ବଲ୍‌କୁ ନିର୍ଘାତ ପ୍ରହାର କରିଛନ୍ତି। ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ଯେମିତି ଦ୍ରୁତ ରନ୍ ସଂଗ୍ରହ କରିଥିଲେ, ତାହା ଦେଖି ଆଦୌ ଲାଗି ନଥିଲା ଯେ ଏହା ଏକ ଟେଷ୍ଟ୍ ମ୍ୟାଚ୍‌। ଲାଗୁଥିଲା ସେମାନେ ଟିଟ୍ୱେଣ୍ଟି ଖେଳୁଛନ୍ତି। ଓପନିଂ ଡେ’ରେ ଦଳର ୪ ଜଣ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଛନ୍ତି।

ଓପନିଂ ଯୋଡ଼ି ଜାକ୍ କ୍ରଲୀ ଓ ବେନ୍ ଡକେଟ୍‌ ଶତକ ହାସଲ କରିଥିବା ବେଳେ ଓଲି ପୋପ୍ ଓ ହ୍ୟାରୀ ବ୍ରୁକ୍‌ ବି ଶତକ ହାସଲ କରିଛନ୍ତି। ହ୍ୟାରୀ ବ୍ରୁକ୍‌ ଅପରାଜିତ ରହିଛନ୍ତି।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜାକ୍ କ୍ରଲୀ ଓ ବେନ୍ ଡକେଟ୍ ବ୍ୟାଟିଂ କରିବାକୁ ଆସିଥିଲେ। ସେମାନେ ଇନିଂସ୍ ଓପନ କରିଥିଲେ। ଉଭୟ ବଢ଼ିଆ ଖେଳିଥିଲେ। ଏହି ଯୋଡ଼ିଙ୍କ ମଧ୍ୟରେ ଦ୍ୱିଶତକୀୟ ଭାଗିଦାରୀ ହୋଇଥିଲା। ଦଳର ରନ୍ ୨୩୩ ହୋଇଥିବା ବେଳେ ବେନ୍ ଡକେଟ ଆଉଟ୍ ହୋଇଥିଲେ। ସେ ୧୦୭ ରନ୍ କରିଥିଲେ। ୧୧୦ଟି ବଲ୍‌ରୁ ସେ ଏହି ରନ୍ ସଂଗ୍ରହ କରିଥିଲେ। ତା’ ମଧ୍ୟରେ ୧୫ଟି ଚୌକା ରହିଥିଲା। ଜାହିଦ ମହମ୍ମଦଙ୍କ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ବେନ୍ ଡକେଟ୍ ଆଉଟ୍ ହେବା ପରେ ଜାକ୍ କ୍ରଲୀ ବି ଅଧିକ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ସେ ତା’ ପରବର୍ତ୍ତୀ ଓଭରରେ ଆଉଟ୍ ହୋଇଥିଲେ। ବେନ୍ ଡେକଟ୍‌ଙ୍କ ଠାରୁ ଆହୁରି ଭଲ ଖେଳିଥିଲେ ଜାକ୍ କ୍ରଲୀ। ସେ ୧୧୧ଟି ବଲ୍‌ରୁ ୧୨୨ ରନ୍ କରିଥିଲେ। ତା’ମଧ୍ୟରେ ୨୧ଟି ଚୌକା ରହିଥିଲା। ହାରିସ ରୌଫ ତାଙ୍କୁ ବୋଲ୍ଡ କରିଥିଲେ।

ଦୁଇ ଓପନର ଆଉଟ୍ ହୋଇଯିବା ପରେ ୩ ନମ୍ବରରେ ଆସିଥିବା ୱିକେଟ୍ କିପର ଓଲି ପୋପ୍ ମଧ୍ୟ ପାକିସ୍ତାନ ବୋଲରଙ୍କୁ ନିସ୍ତୁକ ପିଟିଥିଲେ। ସେ ଦ୍ରୁତଗତିରେ ରନ୍ କରି ଚାଲିଥିଲେ। ଓଲିଙ୍କୁ ସାଥ୍ ଦେଇଥିଲେ ଜୋ ରୁଟ୍‌। ତେବେ ଜୋ ରୁଟ୍ ଅଧିକ ସମୟ ତିଷ୍ଠି ପାରି ନଥିଲେ। ୩୧ଟି ବଲ୍‌ରେ ୩ଟି ଚୌକା ସହାୟତାରେ ସେ ୨୩ ରନ୍ କରି ଜାହିଦ ମହମ୍ମଦଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଜୋ’ ଯିବା ପରେ କ୍ରିଜ୍‌କୁ ଆସିଥିଲେ ହ୍ୟାରୀ ବ୍ରୁକ୍‌। ଓଲିଙ୍କ ସହ ମିଶି ସେ ଇଂଲଣ୍ଡର ଇନିଂସକୁ ଦ୍ରୁତଗତିରେ ଆଗେଇ ନେଇଥିଲେ। ଓଲି ପୋପ୍ ୧୦୪ଟି ବଲ୍‌ରୁ ୧୪ଟି ଚୌକା ସହାୟତାରେ ୧୦୮ ରନ୍ କରି ଆଉଟ୍ ହୋଇଥିଲେ। ତେବେ ସେତେବେଳକୁ ଇଂଲଣ୍ଡର ରନ୍ ୪୬୨ରେ ପହଞ୍ଚିଥିଲା। ଓଲିଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ ମହମ୍ମଦ ଅଲି।

ଓଲି ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିଲେ ବେନ୍ ଷ୍ଟୋକ୍ସ। ଆଜି ଷ୍ଟମ୍ପ ଅପସାରଣ ବେଳକୁ ହ୍ୟାରୀ ବ୍ରୁକ୍ ୧୦୧ ରନ୍ କରି ଅପରାଜିତ ଥିବା ବେଳେ ବେନ୍ ୩୪ ରନ୍ କରି ନଟ୍‌ଆଉଟ୍ ଅଛନ୍ତି। ହ୍ୟାରୀ ବ୍ରୁକ୍ ୮୧ଟି ବଲ୍‌ରୁ ୧୪ ଚୌକା ଓ ୨ଟି ଛକା ସହାୟତାରେ ୧୦୧ ରନ୍ କରିଛନ୍ତି। ସେହିପରି ବେନ୍ ଷ୍ଟୋକ୍ସ ୧୫ଟି ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୪ ରନ୍ ସଂଗ୍ରହ କରିଛନ୍ତି।

ପାକିସ୍ତାନ ପକ୍ଷରୁ ଜାହିଦ ମହମ୍ମଦ ଦୁଇଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଅଲି ଓ ହରିସ ରୌଫ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ଇଂଲଣ୍ଡ ଓପନିଂ ଡେ’ରେ ୪ ୱିକେଟ୍ ହରାଇ ୫୦୬ ରନ୍ କରିବା ସହିତ ୧୧୨ ବର୍ଷ ଧରି ଅଷ୍ଟ୍ରେଲିଆ ନାଁରେ ଥିବା ରେକର୍ଡକୁ ଭାଙ୍ଗିଛି। ୧୯୧୦ରେ ସିଡ୍‌ନୀରେ ଦକ୍ଷିଣ ଆଫ୍ରିକା ବିରୋଧରେ ଅଷ୍ଟ୍ରେଲିଆ ଓପନିଂ ଡେ’ ଅର୍ଥାତ୍ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ୪୯୪ ରନ୍ କରିଥିଲା।  ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୫୦୦ ରନ୍ କରି ଇଂଲଣ୍ଡ ନୂଆ ଇତିହାସ ରଚିଛି।

Related story