ଟି-୨୦ କ୍ରିକେଟର ବିଶ୍ୱ ବିଜେତା ଭାରତ ଆସନ୍ତାକାଲି ଠାରୁ ଘରୋଇ ମାଟିରେ ଇଂଲଣ୍ଡକୁ ସାମ୍ନା କରିବ। ୫ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବ୍ୟାଟରଙ୍କୁ ସୁହାଉଥିବା କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ। ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।
ଭାରତ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଆସନ୍ତା ବର୍ଷ ଅର୍ଥାତ ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳକୁ ଏବେ ଠାରୁ ହିଁ ରାଇଟ କମ୍ବିନେସନ ଉପରେ କାମ କରିବାକୁ ପଡ଼ିବ। ଦଳ ଏବେ କ୍ରମାଗତ ସ୍ଥିର ପ୍ରଦର୍ଶନ କରିଚାଲିଛି। ଏଥିସହ ନୂଆ ଖେଳାଳିଙ୍କ ଉପରେ ପରୀକ୍ଷା ବି କରୁଛି। ବିଶ୍ୱ ବିଜେତା ଦଳରେ ଥିବା ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟି-୨୦ରୁ ଅବସର ନେଇ ସାରିଛନ୍ତି। ଦଳ ଏବେ ନୂଆ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଛି।
୨୦୨୪ ଜୁନ-ଜୁଲାଇ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତ ଖେଳିଥିବା ସମସ୍ତ ଦ୍ୱିପାକ୍ଷିକ ଟି-୨୦ ସିରିଜରେ ବିଜୟୀ ହୋଇଛି। ନିକଟରେ ଦଳ ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ୩-୧ରେ ମାତ ଦେଇଥିଲା। କିନ୍ତୁ ଘରୋଇ ମାଟିରେ ଇଂଲଣ୍ଡକୁ ସାମ୍ନା କରିବା ଭାରତ ପାଇଁ ସେତେଟା ସହଜ ହେବନି। ସେହିପରି କାକର ମଧ୍ୟ ପୂରା ସିରିଜରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ଅନ୍ୟପକ୍ଷରେ ଇଂଲଣ୍ଡ ଏବେ ଟ୍ରାଞ୍ଜିସନ ବା ପରିବର୍ତ୍ତନ ଶୈଳୀ ପରିୟଡରେ ରହିଛି। ୨୦୨୪ ବିଶ୍ୱକପ ସେମି ଫାଇନାଲ ହାରିବା ପରେ ଦଳ ନୂଆ ଖେଳାଳିଙ୍କୁ ଟି-୨୦ରେ ସାମିଲ କରିବାରେ ଲାଗିଛି। ଖାସ ଏହି କାରଣ ପାଇଁ ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ଇଂଲଣ୍ଡର ସବୁ ଫର୍ମାଟର କୋଚ କରାଯାଇଛି। ସେ ମଧ୍ୟ ୨୦୨୬ ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡକୁ ଏକ ନୂଆ ରୂପରେ ଗଢ଼ି ତୋଳିବାକୁ ଚାହୁଁଥିବା ମତ ରଖିଛନ୍ତି।
ଗତ ଜୁନରୁ ଇତି ମଧ୍ୟରେ ଭାରତୀୟ ଟିମ ଟି-୨୦ରେ ୧୧ ଥର ପ୍ରଥମେ ବ୍ୟାଟିଂ କରି ୭ ଥର ୨୦୦ରୁ ଅଧିକ ରନ କରିଛି। ଦଳ ୨୯୭ ଓ ୨୮୩ ଭଳି ରେକର୍ଡ ବି କରିବାର ନଜିର ରହିଛି। ୧୩୨ ରନର ଟାର୍ଗେଟକୁ ୧୧.୫ ଓ ୧୫୬ ରନର ଟାର୍ଗେଟକୁ ୧୫.୨ ଓଭରରେ ଦଳ ଚେଜ କରି ନିଜ ବ୍ୟାଟିଂର ଜଲୱା ଦେଖାଇଛି।
ଗୋଟିଏ ମ୍ୟାଚ୍ରେ ସର୍ବାଧିକ ରନ, ଯେକୌଣସି ଟି-୨୦ ମ୍ୟାଚ୍ରେ ମିଡିଲ ଓଭରରେ ସର୍ବାଧିକ ରନ କରିବା ଓ ବାଉଣ୍ଡରୀରୁ ସର୍ବାଧିକ ରନ କରିବାର ରେକର୍ଡ ଭାରତ ନାଁରେ ରହିଛି। ଜୁନ ମାସରୁ ଇତି ମଧ୍ୟରେ ଭାରତୀୟ ଟିମ ଏସବୁ ରେକର୍ଡ କରି ନୂଆ ରଣନୀତିର ପରିଚୟ ଦେଇଛି। ବିଶ୍ୱକପ ପରଠାରୁ ଭାରତୀୟ ଟିମ ଟି-୨୦ କ୍ରିକେଟର ପ୍ରତି ୪.୨୭ ବଲରରେ ବାଉଣ୍ଡରୀ ମାରିଛି।
ଭାରତ ଯାହା ସବୁ ରେକର୍ଡ କଲେ ମଧ୍ୟ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲ କଥା ସମସ୍ତଙ୍କର ମନେ ରହିଛି। ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ହରାଇ ବିଶ୍ୱକପରୁ ବିଦା କରିଥିଲା। ତେବେ ୨୦୨୪ରେ ଦଳ ଏହାର ପ୍ରତିଶୋଧ ନେଇ ସେମି ଫାଇନାଲରେ ଇଂଲଣ୍ଡକୁ ବିଦା କରିଥିଲା।
ଟି-୨୦ ବିଶ୍ୱକପ ସେମି ଫାଇନାଲ ପରେ ଦୁଇ ଦଳ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ସିରିଜରେ ଦୁଇ ଦଳର ବ୍ୟାଟର ପରସ୍ପରକୁ ଚ୍ୟାଲେଞ୍ଜ ଦେବେ। ଇଂଲଣ୍ଡ ପାଖରେ ଜୋଶ ବଟଲର, ଲିଆମ ଲିଭିଙ୍ଗଷ୍ଟୋନ, ଯୁବ ତାରକା ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ ରହିଛନ୍ତି। ସେହିପରି ଭାରତ ପାଖରେ ସଞ୍ଜୁ ସାମସନ, ସୂର୍ଯ୍ୟ କୁମାର ଯାଦବ, ଅଭିଷେକ ଶର୍ମା, ତିଲକ ବର୍ମା ଓ ରିଙ୍କୁ ସିଂହଙ୍କ ଭଳି ବିସ୍ଫୋରକ ବ୍ୟାଟର ଅଛନ୍ତି। ଏମାନଙ୍କ ବ୍ୟତୀତ ଦୁଇ ଦଳ ପାଖରେ ଏକାଧିକ ଷ୍ଟାର ଅଲରାଉଣ୍ଡର ମଧ୍ୟ ରହିଛନ୍ତି।
ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଟିମରେ ୩ ବରିଷ୍ଠ ଖେଳାଳିଙ୍କ ବ୍ୟତୀତ ଯଶପ୍ରୀତ ବୁମ୍ରା ଓ କୁଲଦୀପ ଯାଦବ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ନଜର ଆସିବେ ନାହିଁ। ଇଂଲଣ୍ଡକୁ ଏବେ ବ୍ରେଣ୍ଡନ ମ୍ୟାକକୁଲମଙ୍କ କୋଚିଂ ଧଳା ବଲ କ୍ରିକେଟରେ ମଧ୍ୟ ମିଳିବାରେ ଲାଗିଛି। ମ୍ୟାକକୁଲମ ଯେମିତି ଆଇପିଏଲ ଆରମ୍ଭରୁ ନିଜର ବିସ୍ଫୋରକ ରୂପ ଭାରତରେ ଦେଖାଇଥିଲେ ସମ୍ଭବତଃ ଟି-୨୦ରେ ସେମିତି କିଛି ଇଂଲଣ୍ଡ ପାଇଁ କରିପାରନ୍ତି। ତେବେ ଇଂଲଣ୍ଡ ସ୍କ୍ୱାଡରେ ଥିବା ପ୍ରାୟ ୮ ଜଣ ଖେଳାଳିଙ୍କ ପାଖରେ ଭାରତରେ ଖେଳିବାର ଅନୁଭବ ନାହିଁ। କିନ୍ତୁ ଅନ୍ୟମାନଙ୍କ ପାଖରେ ଆଇପିଏଲ ଖେଳିବାର ଯଥେଷ୍ଟ ଅଭିଜ୍ଞତା ରହିଛି।
୨୧ ବର୍ଷୀୟ ବେଥେଲ ନୂଆ ଷ୍ଟାର ଭାବେ ଏବେ ଇଂଲଣ୍ତ ପାଇଁ ଉଭା ହୋଇଛନ୍ତି। ଟି-୨୦ରେ ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟ ସହ ସେ ୫୬ରୁ ଅଧିକ ହାରରେ ରନ ସଂଗ୍ରହ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସେ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଇଂଲଣ୍ଡ ପାଇଁ ସବୁ ଫର୍ମାଟ କ୍ରିକେଟ ଖେଳୁଥିବା ବାମହାତୀ ବେଥେଲ ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।
ତାଙ୍କ ବ୍ୟତୀତ ଫିଲ ସଲ୍ଟ, ଜାମି ସ୍ମିଥ, ବ୍ରାଣ୍ଡନ କାର୍ସେ, ଜାମି ଓଭର୍ଟନ ଓ ଗସ ଅଟକିନସନଙ୍କ ଭଳି ଖେଳାଳି ଇଂଲଣ୍ଡ ପାଖରେ ଅଛନ୍ତି। ଜୋଫ୍ରା ଆର୍ଚର ଓ ମାର୍କ ଉଡଙ୍କ ଅଭିଜ୍ଞତା ମଧ୍ୟ ଦଳକୁ ଲାଭ ଦେବ।
ଶାମିଙ୍କ ପାଇଁ ଅଗ୍ନି ପରୀକ୍ଷା
ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ରିଟର୍ଣ୍ଣ ଇଂଲଣ୍ଡ ବିପକ୍ଷ ସିରିଜରୁ ହେବ। ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ପରଠାରୁ ଶାମି ଭାରତ ପାଇଁ କ୍ରିକେଟ ଖେଳି ନାହାନ୍ତି। ଗୋଇଠି ଜନିତ ସମସ୍ୟା ପାଇଁ ତାଙ୍କୁ ସର୍ଜରୀ କରିବାକୁ ପଡ଼ିଥିଲା। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ସେ ଆହତ ସମସ୍ୟାରୁ ମୁକଳି ସାରିଥିଲେ। କିନ୍ତୁ ଫିଟନେସ ସମସ୍ୟା କାରଣରୁ ତାଙ୍କୁ ବାଦ ଦିଆଯାଇଥିଲା।
ତଥାପି ସେ ବେଙ୍ଗଲ ପାଇଁ ରଣଜୀ ଟ୍ରଫି, ସୟିଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ଖେଳି ନିଜ ଫିଟନେସର ପ୍ରମାଣ ଦେଇଥିଲେ। ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସହ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ମଧ୍ୟ ରଖାଯାଇଛି। ହେଲେ ସେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ କେତେ ଫିଟ, ସେକଥା ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଜଣାପଡ଼ିଛି।
ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଶାମି ପ୍ରବଳ ରନ ଖର୍ଚ୍ଚ କରିଥିଲେ। ବିଜୟ ହଜାରେ ଟ୍ରଫିରେ ମଧ୍ୟ ସେ ବେଙ୍ଗଲ ପାଇଁ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି। ତେଣୁ ଇଂଲଣ୍ଡ ବିପକ୍ଷ ସିରିଜ ତାଙ୍କ ଭବିଷ୍ୟତକୁ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି।
ନୂଆ ଦେଖାଯାଉଥିବା ଇଂଲଣ୍ଡ
୨୦୨୪ ବିଶ୍ୱକପ ବିଫଳତା ପରେ ଇଂଲଣ୍ଡ ଆଗକୁ ବଢ଼ିଛି। ଦଳ ଅନେକ ଯୁବ ଖେଳାଳିଙ୍କୁ ଭାରତ ବିପକ୍ଷ ସିରିଜ ପାଇଁ ଚୟନ କରିଛି। ସ୍କ୍ୱାଡରେ ଥିବା ୮ ଜଣ ଖେଳାଳି ପୂର୍ବରୁ ଭାରତରେ କେବେ ହେଲେ ଟି-୨୦ କ୍ରିକେଟ ଖେଳି ନାହାନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ- ଜ୍ୟାକବ ବେଥେଲ, ଜାମି ଓଭର୍ଟନ ଓ ବ୍ରାଣ୍ଡନ କାର୍ସେ ସଂପୂର୍ଣ୍ଣ ଭାବେ ନୂଆ ମୁହଁ। ୨୦୧୮ରେ ୨-୧ ଦିନିକିଆ ସିରିଜ ବିଜୟକୁ ଛାଡ଼ି ଦେଲେ ଇଂଲଣ୍ଡ ୨୦୧୭ରୁ ଭାରତରେ ଗୋଟିଏ ହେଲେ ବି ଦ୍ୱିପାକ୍ଷିକ ସୀମିତ ଓଭର ସିରିଜ ଜିତି ନାହିଁ।
ଏହି ସମୟସୀମା ମଧ୍ୟରେ ଇଂଲିଶ ଟିମ ୭ଟି ଦିନିକିଆ ଓ ୯ଟି ଟି-୨୦ ହାରିଛି। କିନ୍ତୁ ମ୍ୟାକକୁଲମ ଏବେ ବିଜୟ ଅପେକ୍ଷା ସଫଳ ଟ୍ରାଞ୍ଜିସନ ଉପରେ ଫୋକସ କରୁଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ ପାଇଁ ସେ ଦଳକୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଭାରତ ଓ ଇଂଲଣ୍ତ ଇତି ମଧ୍ୟରେ ୨୩ଟି ଟି-୨୦ରେ ପରସ୍ପରକୁ ସାମ୍ନା କରିଛନ୍ତି। ଏହା ମଧ୍ୟରୁ ଭାରତ ୧୩ଟି ଓ ଇଂଲଣ୍ଡ ୧୧ଟି ମ୍ୟାଚ୍ ଜିତିଛି। ଘରୋଇ ପରିବେଶ କଥା ବିଚାରକୁ ନେଲେ ଭାରତ ୬ଟି ଓ ଇଂଲଣ୍ତ ୫ଟି ମ୍ୟାଚ୍ ଜିତିଛି। ନିରପେକ୍ଷ ଭେନ୍ୟୁରେ ଭାରତ ୩ଟି ଇଂଲଣ୍ଡ ସପକ୍ଷରେ କେବଳ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲ ମ୍ୟାଚ୍ ଯାଇଛି।
ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଟି-୨୦ ସିରିଜରେ ଭାରତୀୟ ଟିମ ନୂଆ ଉପ ଅଧିନାୟକଙ୍କୁ ପାଇବ। ଅକ୍ଷର ପଟେଲ ଇଂଲଣ୍ଡ ସିରିଜରେ ସୂର୍ଯ୍ୟ କୁମାରଙ୍କ ଡେପୁଟି ଭାବେ କାମ କରିବେ। ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ ଓ ଋଷଭ ପନ୍ତଙ୍କ ଭଳି ଖେଳାଳିଙ୍କୁ ଟି-୨୦ରେ ବିଶ୍ରାମ ଦିଆଯାଇଛି। ତେଣୁ ତିଲକ ବର୍ମା ଓ ରିଙ୍କୁ ସିଂହଙ୍କ ସହ ସୂର୍ଯ୍ୟ କୁମାର ମଧ୍ୟକ୍ରମ ସମ୍ଭାଳିବେ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଅଲରାଉଣ୍ଡ ଭାବେ ଦଳରେ ନୀତୀଶ କୁମାର ରେଡ୍ଡୀ ମଧ୍ୟ ରହିଛନ୍ତି। ଦ୍ରୁତ ବୋଲିଂ ବାହିନୀରେ ଶାମିଙ୍କ ସହ ଅର୍ଶଦୀପ ସିଂହ ଓ ହର୍ଷିତ ରାଣାଙ୍କୁ ରଖାଯାଇଛି। ଭାରତର ସ୍ପିନ ଆଟାକ ବେଶ ଶକ୍ତିଶାଳୀ। ଅକ୍ଷରଙ୍କ ବ୍ୟତୀତ ଦଳରେ ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ରହିଛନ୍ତି। ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲ ୱିକେଟ କିପର ଭାବେ ରହିଥିବା ବେଳେ ଅଭିଷେକ ଶର୍ମା ଓପନର ଭାବେ ନଜର ଆସିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।