ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ଜିତିଲା ଭାରତ

ଫ୍ଲୋରିଡା: ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ଜିତିଛି ଭାରତୀୟ ଦଳ। ରବିବାର (ଆଜି) ଏହି ସିରିଜ୍‌ର ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଟିମ୍ ଇଣ୍ଡିଆ ଶନିବାରଠୁ ସିରିଜ୍ କବଜା କରି ସାରିଛି। ଶନିବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌କୁ ୫୯ ରନ୍‌ରେ ଜିତିବା ସହିତ ଟିମ୍ ଇଣ୍ଡିଆ ୩-୧ରେ ସିରିଜ୍‌ ହାତେଇଛି। ସିରିଜ୍‌କୁ ୪-୧ରେ ଜିତିବା ଲକ୍ଷ୍ୟ ନେଇ ଆଜି ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ। ଗତକାଲି ଟସ୍ ଜିତି ଘରୋଇ ଦଳ […]

Rishabh Pant

  • Published: Sunday, 07 August 2022
  • , Updated: 07 August 2022, 10:42 AM IST

ଫ୍ଲୋରିଡା: ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ଜିତିଛି ଭାରତୀୟ ଦଳ। ରବିବାର (ଆଜି) ଏହି ସିରିଜ୍‌ର ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଟିମ୍ ଇଣ୍ଡିଆ ଶନିବାରଠୁ ସିରିଜ୍ କବଜା କରି ସାରିଛି। ଶନିବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌କୁ ୫୯ ରନ୍‌ରେ ଜିତିବା ସହିତ ଟିମ୍ ଇଣ୍ଡିଆ ୩-୧ରେ ସିରିଜ୍‌ ହାତେଇଛି। ସିରିଜ୍‌କୁ ୪-୧ରେ ଜିତିବା ଲକ୍ଷ୍ୟ ନେଇ ଆଜି ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ।

ଗତକାଲି ଟସ୍ ଜିତି ଘରୋଇ ଦଳ ଫିଲ୍ହିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା।

ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଧୂଆଁଧାର ଆରମ୍ଭ କରିଥିଲେ। ରୋହିତ ମାତ୍ର ୧୬ଟି ବଲ୍‌ରୁ ୩୩ ରନ୍ କରି ଆଉଟ୍ ହୋଇଥିଲେ। ତା’ ମଧ୍ୟରେ ୩ଟି ଛକା ଓ ୨ଟି ଚୌକା ଥିଲା। ଅକିଲ ହୋସେନ୍ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ସେହିପରି ସୂର୍ଯ୍ୟକୁମାର ୧୪ଟି ବଲ୍‌ରୁ ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ୨୪ ରନ୍ କରି ଆଉଟ୍ ହୋଇଥିଲେ। ଅଲ୍‌ଜାରି ଯୋଶଫଙ୍କ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଡ଼ା ୧୯ଟି ବଲ୍‌ରୁ ୨୧ ରନ୍ କରିଥିବା ବେଳେ ଅଲ୍‌ଜାରି ଯୋଶେଫଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୪ ନମ୍ବରରେ ଆସିଥିବା ଋଷଭ ପନ୍ତ ସର୍ବାଧିକ ୪୪ ରନ୍ କରିଥିଲେ। ୩୧ଟି ବଲ୍‌ରୁ ୬ଟି ଚୌକା ସହାୟତାରେ ସେ ଏହି ରନ୍ କରିଥିଲେ। ପନ୍ତ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଓବେଦ୍ ମ୍ୟାକୟଙ୍କ ବଲ୍‌ରେ ଡୋମିନିକ୍ ଡ୍ରେକ୍ସଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଦୀନେଶ କାର୍ତ୍ତିକ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ତେବେ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମ୍‌ସନ୍ ୨୩ ବଲ୍‌ରୁ ୩୦ ରନ୍ (୨ ଚୌକା, ୧ ଛକା) କରି ଅପରାଜିତ ରହିଥିବା ବେଳେ ଅକ୍ଷର ପଟେଲ ୮ଟି ବଲ୍‌ରୁ ୨୦ ରନ୍ (ଗୋଟିଏ ଚୌକା, ୨ଟି ଛକା) କରି ନଟ୍‌ଆଉଟ୍ ରହିଥିଲେ।

ୱେଷ୍ଟଇଣ୍ଡିଜ ପକ୍ଷରୁ ଅକିଲ ହୋସେନ୍ ଗୋଟିଏ ୱିକେଟ୍ ନେଇଥିବା ବେଳେ ଓବେଦ୍ ମ୍ୟାକୟ ଓ ଅଲ୍‌ଜାରି ଯୋଶେଫ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

୧୯୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ଦଳ ୧୯.୧ ଓଭରରେ ୧୩୨ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦଳ ଦ୍ୱିତୀୟ ଓଭରରେ ତା’ର ପ୍ରଥମ ୱିକେଟ୍ ହରାଇଥିଲା। ଓପନର ବ୍ରାଣ୍ତନ କିଙ୍ଗ୍ ୮ଟି ବଲ୍‌ରେ ୧୩ ରନ୍ କରିଥିବା ବେଳେ ଅବେଶ ଖାନ୍‌ଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ଏହା ପରେ ଦଳ ପ୍ରତି ୨ କିମ୍ବା ୩ ଓଭର ବ୍ୟବଧାନରେ ଲଗାତାର ୱିକେଟ୍ ହରାଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ ଲମ୍ବା ସମୟ ଧରି ଭାରତୀୟ ବୋଲରଙ୍କ ସମ୍ମୁଖରେ ତିଷ୍ଠି ପାରି ନଥିଲେ। ୱେଷ୍ଟଇଣ୍ଡିଜ ପକ୍ଷରୁ ଅଧିନାୟକ ନିକୋଲାସ ପୂରନ ଓ ରୋବମ୍ୟାନ୍ ପୋୱେଲ ସର୍ବାଧିକ ୨୪ ରନ୍ ଲେଖାଏଁ କରିଥିଲେ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅବେଶ ଖାନ୍, ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ୱେଷ୍ଟଇଣ୍ଡିଜ୍ ଅଧିନାୟକ ନିକୋଲାସ ପୂରନଙ୍କୁ ସଞ୍ଜୁ ସାମ୍‌ସନ୍ ରନ୍ ଆଉଟ୍ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ୫ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ରେ ଏଯାବତ୍ ୱେଷ୍ଟଇଣ୍ଡିଜ୍ କେବଳ ଗତ ଅଗଷ୍ଟ ୧ ତାରିଖରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତିଥିଲା।

Related story