Advertisment

ଶେଷ ଦିନିକିଆ ଜିତିଲା ଅଷ୍ଟ୍ରେଲିଆ, ଭାରତ ନେଲା ଟ୍ରଫି

ତୃତୀୟ ଦିନିକିଆରେ ଭାରତକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ୬୬ ରନରେ ହରାଇ ଦେଇଛି। ତେବେ ପ୍ରଥମ ଦୁଇ ମ୍ୟାଚ୍‌ ଜିତି ସିରିଜ କବଜା କରି ସାରିଥିବା ଭାରତ ଦିନିକିଆ ଟ୍ରଫି ନିଜ ପାଖରେ ରଖିଛି।

author-image
Hemant Lenka
AUS

AUS

ଦିନିକିଆ ସିରିଜର ଶେଷ ମ୍ୟାଚ୍‌କୁ ଜିତି ନେଇଛି ଅଷ୍ଟ୍ରେଲିଆ। ଆଜି ରାଜକୋଟରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଭାରତକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ୬୬ ରନରେ ହରାଇ ଦେଇଛି। ତେବେ ପ୍ରଥମ ଦୁଇ ମ୍ୟାଚ୍‌ ଜିତି ସିରିଜ କବଜା କରି ସାରିଥିବା ଭାରତ ଦିନିକିଆ ଟ୍ରଫି ନିଜ ପାଖରେ ରଖିଛି।

Advertisment

ଆଗୁଆ ସିରିଜ କବଜା କରିସାରିଥିବା ଭାରତ ପାଇଁ ଆଜିର ମ୍ୟାଚ୍‌ କେବଳ ଔପଚାରିକ ଥିଲା। କିନ୍ତୁ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ ଜିତିବା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା।

ଅଷ୍ଟ୍ରେଲିଆ ମଧ୍ୟ ଆଜି ଫୁଲ ଦମରେ ମୈଦାନାକୁ ଓହ୍ଲାଇଥିଲା। ମିଚେଲ ମାର୍ଶଙ୍କ ୯୬, ଡାଭିଡ ୱାର୍ଣ୍ଣରଙ୍କ ୫୬, ଷ୍ଟିଭ ସ୍ମିଥଙ୍କ ୭୪ ଓ ମାର୍ନସ ଲାବୁଶେନଙ୍କ ୭୨ ରନ ବଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୫୨ ରନ କରିଥିଲା। ୩୫୩ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୮୬ ରନ କରିବାକୁ ସକ୍ଷମ ହୋଇଛି।

Advertisment

୩୫୩ ରନର ବିଶାଳ ଟାର୍ଗେଟକୁ ପିଛା ଭାରତ ପାଇଁ ଆଜି ୱାଶିଂଟନ ସୁନ୍ଦର ଓ ରୋହିତ ଶମା ଇନିଂସ ଆରମ୍ଭ କରିଥିଲେ। ରୋହିତ ଶର୍ମା ଆରମ୍ଭରୁ ଆଟାକିଂ ଶଟ ଖେଳିଥିଲେ। ସୁନ୍ଦର ମଧ୍ୟ ତାଙ୍କ ସାଥ ଦେଇଥିଲେ। ଉଭୟ ୧୦ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୭୪ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୩୦ ବଲରେ ୧୮ ରନ କରିଥିବା ସୁନ୍ଦରଙ୍କୁ ଗ୍ଲେନ ମ୍ୟାକ୍ସୱେଲ ଆଉଟ କରି ଦେଇଥିଲେ।

ତେବେ ଦ୍ୱିତୀୟ ୱିକେଟ ପାଇଁ ରୋହିତ ଓ ବିରାଟ କୋହଲି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ଦ୍ୱିତୀୟ ୱିକେଟ ପାଇଁ ୭୦ ରନର ଭାଗିଦାରୀ କରିଥିଲେ। ରୋହିତ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ସେ ଭଲ ଲୟରେ ଥିବା ବେଳେ ବଡ଼ବଡ଼ ଶଟ ମଧ୍ୟ ଖେଳୁଥିଲେ। କିନ୍ତୁ ରୋହିତ ୮୧ ରନ କରିଥିବା ବେଳେ ମ୍ୟାକ୍ସୱେଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଆଉଟ ହେବା ପୂର୍ବରୁ ସେ ୬ଟି ଛକା ଓ ୫ଟି ଚୌକା ବଳରେ ୮୧ ରନ(୫୭ ବଲ) କରିଥିଲେ।

ରୋହିତ ଆଉଟ ହେବା ପରେ ବିରାଟ ତାଙ୍କ ଦିନିକିଆ କ୍ୟାରିୟର ୬୬ତମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରି ପାରିଥିଲେ। ମ୍ୟାକ୍ସୱେଲଙ୍କ ବଲରେ ସେ ମଧ୍ୟ ୫୬ ରନ କରି ପ୍ୟାଭିଲିୟନ ଫେରିଥିଲେ।

କେଏଲ ରାହୁଲ(୨୬)ଙ୍କୁ ସାଥୀ କରି ଶ୍ରେୟସ ଆୟର ୪ର୍ଥ ୱିକେଟ ପାଇଁ ୫୨ ରନର ଭାଗିଦାରୀ କରିଥିଲେ। ଦଳୀୟ ସ୍କୋର ୨୨୩ ଥିବା ବେଳେ ରାହୁଲ ବଡ଼ ଶଟ ଖେଳିବା ଲୋଭରେ ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ। ଆୟର ମଧ୍ୟ ବେଶୀ କିଛି କରି ପାରି ନଥିଲେ। ସେ ୪୮ ରନ କରି ମ୍ୟାକ୍ସୱେଲଙ୍କ ୪ର୍ଥ ଶିକାର ବନିଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିବା ସୂର୍ଯ୍ୟ କୁମାର ଯାଦବ ଆଜି ସମସ୍ତଙ୍କୁ ନିରାଶ କରିଛନ୍ତି। ସେ ମାତ୍ର ୮ ରନ କରି ଜୋଶ ହେଜେଲଉଡଙ୍କ ବଲରେ ପ୍ୟାଭିଲିୟନ ଫେରିଛନ୍ତି। ଶ୍ରେୟସ ଓ ସୂର୍ଯ୍ୟ ଆଉଟ ହେବା ପରେ ଭାରତ ପରାଜୟ ଏକ ପ୍ରକାରର ନିଶ୍ଚିତ ହୋଇ ଯାଇଥିଲା। କେବଳ ଔପଚାରିକତା ବାକି ଥିଲା।

ଶେଷ ଭାଗରେ ରବୀନ୍ଦ୍ର ଜାଡେଜା କିଛି ଦର୍ଶନୀୟ ଶଟ ଖେଳିଥିଲେ। ତେବେ ସେ ୪୯ତମ ଓଭର୍‌ରେ ୩୫ ରନ କରି ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିବା ତନବୀର ସଙ୍ଘାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ। ଏହି ସମୟରେ ଭାରତର ସ୍କୋର ୨୮୬ ଥିଲା।

ଶେଷ ୱିକେଟ ଭାବେ ପ୍ରସିଦ୍ଧ କୃଷ୍ଣ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୩ଟି ବଲ ଖେଳି ଶେଷ ଓଭରରେ ସିରାଜଙ୍କୁ ବ୍ୟାଟିଂ କରିବାକୁ ଛାଡ଼ିଥିଲେ। ତେବେ ସିରାଜ(୧) ଶେଷ ଓଭର ବୋଲିଂ କରୁଥିବା କାମେରନ ଗ୍ରୀନଙ୍କୁ ଛକା ମାରିବାକୁ ଯାଇ କମିନ୍ସଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଏଥିସହ ଭାରତୀୟ ଇନିଂସ ୨୮୬ ରନରେ ହିଁ ଅଟକି ଯାଇଥିଲା। ଭାରତ ଶେଷ ଦିନିକିଆରେ ୬୬ ରନରେ ପରାସ୍ତ ହୋଇଛି। 

ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାକ୍ସୱେଲ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ହେଜେଲଉଡ ୨ଟି, ପ୍ୟାଟ କମିନ୍ସ, ଗ୍ରୀନ, ଷ୍ଟାର୍କ ଓ ତନବୀର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। 

Indian Cricket Team Cricket India Vs Australia