ବିଜୟ ସହ ଝୁଲଣଙ୍କୁ ବିଦାୟ, ୩-୦ରେ ସିରିଜ ଜିତିଲା ଭାରତ

ଲର୍ଡସ: ଆଉ ଦେଖିବାକୁ ମିଳିବନି ଭାରତୀୟ ମହିଳା କ୍ରିକେଟ ଦଳର ସୁଇଂ ବୋଲର ଝୁଲଣ ଗୋସ୍ୱାମୀଙ୍କ ଜଲୱା। କାରଣ ଦୀର୍ଘ ୨୦ ବର୍ଷ ଧରି ଭାରତୀୟ କ୍ରିକେଟ ଟିମ୍‌ ପାଇଁ ଖେଳି ଆସୁଥିବା ଝୁଲଣ ଶନିବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌କୁ ଭାରତୀୟ ମହିଳା ଦଳ ରୋମାଞ୍ଚକର ଢଙ୍ଗରେ ଜିତି ଝୁଲଣଙ୍କ ବିଦାୟ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରି ଦେଇଛି। […]

Jhulan

  • Published: Sunday, 25 September 2022
  • , Updated: 25 September 2022, 07:11 AM IST

ଲର୍ଡସ: ଆଉ ଦେଖିବାକୁ ମିଳିବନି ଭାରତୀୟ ମହିଳା କ୍ରିକେଟ ଦଳର ସୁଇଂ ବୋଲର ଝୁଲଣ ଗୋସ୍ୱାମୀଙ୍କ ଜଲୱା। କାରଣ ଦୀର୍ଘ ୨୦ ବର୍ଷ ଧରି ଭାରତୀୟ କ୍ରିକେଟ ଟିମ୍‌ ପାଇଁ ଖେଳି ଆସୁଥିବା ଝୁଲଣ ଶନିବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌କୁ ଭାରତୀୟ ମହିଳା ଦଳ ରୋମାଞ୍ଚକର ଢଙ୍ଗରେ ଜିତି ଝୁଲଣଙ୍କ ବିଦାୟ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରି ଦେଇଛି। ୨୦୦୭ ପରେ ଭାରତୀୟ ମହିଳା ଦଳ କେବଳ ଇଂଲଣ୍ଡରେ ଦିନିକିଆ ସିରିଜ୍‌ ଜିତିନି ବରଂ ୩-୦ରେ କ୍ଲିନ ସୁଇପ କରିଛି।

ଲର୍ଡସରେ ଖେଳା ଯାଉଥିବା ଶେଷ ଦିନିକିଆକୁ ଭାରତୀୟ ମହିଳା ଦଳ ୧୬ରେ ଜିତି ନେଇଛି। ଶେଷ ମ୍ୟାଚ୍‌ରେ ଝୁଲଣ ୧୦ ଓଭର ବୋଲିଂ କରି ୩୦ ରନ ଖର୍ଚ୍ଚ କରିବା ସହ ୨ଟି ୱିକେଟ ମଧ୍ୟ ଦଖଲ କରିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୬୯ ରନ କରିଥିଲା। ଲାଗୁଥିଲା ଇଂଲଣ୍ଡ ବେଶ ସହଜରେ ମ୍ୟାଚ୍‌ ସହ ସିରିଜ୍‌କୁ ୧-୨ରେ ଶେଷ କରିବ।

କିନ୍ତୁ ଆଗୁଆ ସିରିଜ୍‌ ଜିତି ସାରିଥିବା ହରମନପ୍ରୀତ କୌରଙ୍କ ଟିମ୍‌ ଇଣ୍ଡିଆ ହାର ମାନିବା ମୁଡରେ ନଥିଲା। ଏଥିସହ ଅଭିଜ୍ଞ ଝୁଲଣ ଗୋସ୍ୱାମୀଙ୍କୁ ମଧ୍ୟ ବିଜୟ ସହ ବିଦାୟ ଜଣାଇବାକୁ ପଣ କରି ସାରିଥିଲା। ଶେଷରେ ସେଇଆ ହିଁ ହେଲା, ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତୀୟ ସ୍କୋର ଠାରୁ ୧୬ ରନ ପଛରେ ରହି ଯାଇଥିଲା।

ତେବେ ଶେଷ ୱିକେଟକୁ ନେଇ ବିବାଦ ଦେଖାଯାଇଥିଲା। ଚାର୍ଲି ଡିନ(୪୭) ଶେଷ ୱିକେଟ ଭାବେ ମଙ୍କଡ ଆଉଟ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କିଛି ଲୋକ ଏହାକୁ ଅଣଖେଳୁଆଡ଼ ମନୋଭାବ କହିଥିଲେ। ହେଲେ ଅଧିନାୟକ କୌର ଏହାକୁ ଆଇସିସିର ନିୟମ କହି ଏଡ଼ାଇ ଯାଇଛନ୍ତି। ସେ ଯାହା ବି ହେଉ ଭାରତୀୟ ଟିମ ପ୍ରଥମଥର ପାଇଁ ଇଂଲଣ୍ଡ ମାଟିରେ ୩-୦ରେ ଦିନିଆ ସିରିଜ୍‌ କ୍ଲିନ ସୁଇପ କରିବାର ଗୌରବ ହାସଲ କରି ନେଇଛି। ମ୍ୟାଚ୍‌ ଜିତିବା ପରେ ଝୁଲଣଙ୍କୁ ସାଥୀ ଖେଳାଳିମାନେ କାନ୍ଧରେ ବସାଇ ପ୍ୟାଭିଲିୟନ ଆଡ଼କୁ ଆଣିଥିଲେ। ସେ ମଧ୍ୟ ତ୍ରିରଙ୍ଗା ସହ ଲର୍ଡସ ପଡ଼ିଆରେ ରହିଥିବା ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହି ସମୟରେ ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ।

ସେହିପରି ଲର୍ଡସରେ ଶେଷଥର ପାଇଁ ବ୍ୟାଟିଂ କରିବାକୁ ଆସିବା ବେଳେ ଝୁଲଣଙ୍କୁ ଇଂଲଣ୍ଡର ଖେଳାଳିମାନେ ଗାର୍ଡ ଅଫ ଅନର ଦେଇଥିଲେ। ସେ ମଧ୍ୟ ଏହାକୁ ହାତ ହଲାଇ ସ୍ୱୀକାର କରିଥିଲେ।

ଝୁଲଣଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କାନ୍ଦି ପକାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌର ଅଧିନାୟକ ହୋଇଥିଲେ ମଧ୍ୟ ଝୁଲଣ ଗୋସ୍ୱାମୀଙ୍କୁ ସେ ଟସ୍‌ ବେଳେ କଲ୍‌ କରିବାକୁ କହିଥିଲେ।

ମ୍ୟାଚ୍‌ ପୂର୍ବରୁ ୩୯ ବର୍ଷୀୟ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର ମୋମେଣ୍ଟୋ ଦିଆଯାଇଥିଲା। ଏହାକୁ କ୍ୟାପ୍ଟେନ ହିସାବରେ ହରମନପ୍ରୀତ କୌର ତାଙ୍କୁ ଦେଇଥିଲେ। କୌର ଓ ଗୋସ୍ୱାମୀଙ୍କ ସମ୍ପର୍କ ବେଶ ପୁରୁଣା। ୩୩ ବର୍ଷୀୟ କୌର ଭାରତ ପାଇଁ ୨୦୦୯ରେ ଡେବ୍ୟୁ କରିବା ବେଳେ ଝୁଲଣ ଅଧିନାୟକ ରହିଥିଲେ। ଏବେ କୌରଙ୍କ କ୍ୟାପ୍ଟେନ୍ସି ସମୟରେ ଝୁଲଣ ଅବସର ନେଇଛନ୍ତି।

ଝୁଲଣ ଗୋସ୍ୱାମୀ ବିଶ୍ୱର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ଭାବେ ଆଜି ଅବସର ନେଇଛନ୍ତି। ସେ କ୍ରିକେଟର ୩ଟି ଯାକ ଫର୍ମାଟରେ ମୋଟ ୩୫୫ ୱିକେଟ ଦଖଲ କରିଛନ୍ତି। ବିଶ୍ୱକପରେ ମଧ୍ୟ ସର୍ବାଧିକ ୪୩ଟି ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ରହିଛି।

ସେ ଭାରତ ପାଇଁ ୧୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୪ଟି ୱିକେଟ ନେଇଛନ୍ତି। ଝୁଲଣ ୨୦୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ସେହିପରି ସେ ୨୦ ବର୍ଷ ୨୬୧ ଦିନ ଧରି କ୍ରିକେଟ ଖେଳିବାର ରେକର୍ଡ ମଧ୍ୟ କରିଛନ୍ତି। ୨୦୦୭ରେ ସେ ଆଇସିସି ଶ୍ରେଷ୍ଠ ମହିଳା କ୍ରିକେଟର ସମ୍ମାନ ପାଇଥିଲେ। ସେ ଭାରତ ପାଇଁ ୨୦୦୫ ଓ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ଜିତି ପାରି ନାହାନ୍ତି। କିନ୍ତୁ ଏସିଆ କପରେ ଭାରତ ୩ଥର ଚାମ୍ପିୟନ ହେବା ବେଳେ ଟିମ୍‌ରେ ଝୁଲଣ ରହିଥିଲେ।

ଝୁଲଣ ଗୋସ୍ୱାମୀ ଭାରତ ପାଇଁ ୨୦୦୨ ମସିହା ଜାନୁଆରୀ ୬ରେ ଡେବ୍ୟୁ କରିଥିଲେ। ଇତି ମଧ୍ୟରେ ସେ ଦେଶ ପାଇଁ ୧୨ଟି ଟେଷ୍ଟ, ୨୦୪ ଦିନିକିଆ ଓ ୬୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆରେ ତାଙ୍କ ୱିକେଟ ସଂଖ୍ୟା ୨୫୫ ରହିଛି।

Related story