/odisha-reporter/media/post_attachments/uploadimage/library/16_9/16_9_0/joe_root_1753453830.jpg)
joe root
ଇଂଲଣ୍ଡର ରନ ମେସିନ ତଥା ବିଶ୍ୱର ୧ ନଂ ଟେଷ୍ଟ ବ୍ୟାଟର୍ ଜୋ ରୁଟ ମାଞ୍ଚେଷ୍ଟରରେ କମାଲ କରିଛନ୍ତି। ଭାରତ ବିପକ୍ଷ ୪ର୍ଥ ଟେଷ୍ଟରେ ତାଙ୍କ ବ୍ୟାଟରୁ ବାହାରିଛି ଜବରଦସ୍ତ ଶତକ। ଏହି ଶତକ ସହ ରୁଟ ଗୋଟିଏ ପରେ ଗୋଟିଏ ରେକର୍ଡ କରିଛି। ମ୍ୟାଚ୍ରେ ଭାରତକୁ ସଂପୂର୍ଣ୍ଣ ଭାବେ ବ୍ୟାକଫୁଟକୁ ଠେଲି ସାରିଥିବା ଇଂଲଣ୍ଡ ଏବେ ରୁଟଙ୍କ ଶତକ ପରେ ବିଶାଳ ସ୍କୋର ଅଭିମୁଖେ ଆଗେଇ ଚାଲିଛି।
ଭାରତର ୩୫୮ ରନର ଜବାବରେ ଇଂଲଣ୍ଡ ରିପୋର୍ଟ ଲେଖା ହେବା ବେଳକୁ ରୁଟଙ୍କ ଶତକ ବଳରେ ୪୩୨ ରନ କରି ସାରିଲାଣି। ଏବେ ବି ଦଳ ପାଖରେ ୬ଟି ୱିକେଟ ବାକି ରହିଛି। ତେଣୁ ଦଳ ବିଶାଳ ଲିଡ ନେବା ଲକ୍ଷ୍ୟରେ ରହିଛି।
ମ୍ୟାଚ୍କୁ ଛାଡ଼ି ରୁଟଙ୍କ କଥା ଯଦି ବିଚାର କରିବା, ତା’ହେଲେ ସେ ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୩୮ତମ ଶତକ ହାସଲ କରିଛନ୍ତି। ଏହି ଶତକ ସହ ସେ କୁମାରା ସାଙ୍ଗାକାରାଙ୍କ ରେକର୍ଡ ସହ ସମକକ୍ଷ ହୋଇଯାଇଛନ୍ତି। ସାଙ୍ଗାକାରା ମଧ୍ୟ ତାଙ୍କ ଟେଷ୍ଟ କ୍ୟାରିୟରରେ ୩୮ଟି ଶତକ ମାରିଥିଲେ। ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ରୁଟଙ୍କ ଉପରେ ରିକି ପଣ୍ଟିଂ(୪୧), ଜ୍ୟାକ କାଲିସ(୪୫) ଓ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର(୫୧) ରହିଛନ୍ତି।
ସର୍ବାଧିକ ଶତକ ତାଲିକାର ୪ ନଂ ସ୍ଥାନରେ ପହଞ୍ଚି ଯାଇଥିବା ରୁଟ ଆଉ ଏକ ବିଶ୍ୱ ରେକର୍ଡ କରିଛନ୍ତି। ବର୍ତ୍ତମାନ ସେ ବିଶ୍ୱ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଦୁଇ ନମ୍ବରରେ ପହଞ୍ଚି ଯାଇଛନ୍ତି। ଆଜିର ଇନିଂସ ପୂର୍ବରୁ ରୁଟ ଟେଷ୍ଟ କ୍ରିକେଟରେ ୧୩୨୫୯ ରନ କରିଥିଲେ। ଆଜି ୩୦ ରନ କରିବା କ୍ଷଣି ସେ ପ୍ରଥମେ ରାହୁଲ ଡ୍ରାଭିଡ(୧୩୨୮୮) ଓ ସମାନ ଓଭରରେ ଜ୍ୟାକ କାଲିସଙ୍କ ୧୩୨୮୯ ରନକୁ ପଛରେ ପକାଇ ଦେଇଥିଲେ।
ଏହାପରେ ସେ ଅଂଶୁଲ କମ୍ବୋଜଙ୍କ ବଲରେ ଚୌକା ମାରି ନିଜର ଶତକ ହାସଲ କରିଥିଲେ। ତେବେ ସେ ୧୨୦ ରନ କରିବା କ୍ଷଣି ରିକି ପଣ୍ଟିଂଙ୍କ ରେକର୍ଡକୁ ଭାଙ୍ଗି ଦେଇଥିଲେ। ପଣ୍ଟିଂ ତାଙ୍କ ଟେଷ୍ଟ କ୍ୟାରିୟରରେ ୧୩୩୭୮ ରନ କରିଥିଲେ। ଏବେ ରୁଟ ତାଙ୍କୁ ଅତିକ୍ରମ କରି ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ତାଲିକାର ଦୁଇ ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏବେ ତାଙ୍କ ଉପରେ କେବଳ ସଚିନ ତେନ୍ଦୁଲକର(୧୫୯୨୧) ରହିଛନ୍ତି।
ଗୋଟିଏ ଟିମ ବିପକ୍ଷରେ ସର୍ବାଧିକ ଶତକ
ଟେଷ୍ଟ କ୍ରିକେଟରେ ଗୋଟିଏ ନିର୍ଦ୍ଦିଷ୍ଟ ଟିମ ବିରୋଧରେ ଶତକ ହାସଲ କରିବା ମାମଲାରେ ମଧ୍ୟ ଜୋ ରୁଟ ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ଭାରତ ବିପକ୍ଷରେ ରୁଟଙ୍କ ୧୨ତମ ଶତକ। ଷ୍ଟିଭ ସ୍ମିଥ ମଧ୍ୟ ଇଂଲଣ୍ଡ ବିପକ୍ଷରେ ସମାନ ୧୨ଟି ଶତକ ହାସଲ କରିଛନ୍ତି। ତେବେ ଭାରତ ବିପକ୍ଷରେ ରୁଟଙ୍କ ତୁଳନାରେ କେହି ବି ଅଧିକ ଶତକ ଟେଷ୍ଟରେ ହାସଲ କରି ନାହାନ୍ତି। ପୂର୍ବରୁ ରୁଟ ଓ ସ୍ମିଥ ୧୧ଟି ଲେଖାଏ ଶତକ ହାସଲ କରିଥିଲେ। ଏବେ ସ୍ମିଥଙ୍କୁ ପଛରେ ପକାଇ ଦେଇଛନ୍ତି ରୁଟ।
ତେବେ ଗୋଟିଏ ଟିମ ବିରୋଧରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ଡନ ବ୍ରାଡମ୍ୟାନଙ୍କ ନାଁରେ ରହିଛି। ସେ ଇଂଲଣ୍ଡ ବିପକ୍ଷରେ ୧୯ଟି ଶତକ ହାସଲ କରିଥିଲେ। ତାଙ୍କ ପଛକୁ ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୩ଟି ଶତକ ହାସଲ କରିଛନ୍ତି। ଜ୍ୟାକ ହବ୍ସ ଅଷ୍ଟ୍ରେଲିଆ ବିପକ୍ଷରେ ୧୨ଟି ଶତକ ହାସଲ କରିଥିବା ବେଳେ ଏବେ ଜୋ ରୁଟ ଏହି ତାଲିକାରେ ଯୋଡ଼ି ହୋଇ ଯାଇଛନ୍ତି।
ଇଂଲଣ୍ଡ ମାଟିରେ ଏହା ରୁଟଙ୍କ ୨୩ତମ ଶତକ। ନିଜ ଘରୋଇ ମାଟିରେ ଏତେ ସଂଖ୍ୟକ ଶତକ କେବଳ ରିକି ପଣ୍ଟିଂ, ଜ୍ୟାକ କାଲିସ ଓ ମାହେଲା ଜୟବର୍ଦ୍ଧନ ହାସଲ କରିଥିଲେ। ଏବେ ରୁଟ ଏହି ବିରଳ ତାଲିକାରେ ନିଜକୁ ସାମିଲ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
