୧ନଂ ସ୍ଥାନରେ ନିଜକୁ ଆହୁରି ମଜବୁତ କଲେ ସୂର୍ଯ୍ୟ କୁମାର, ୪ନଂକୁ ଖସିଲେ ବାବର

ଦୁବାଇ: ଟି-୨୦ କ୍ରିକେଟରେ ବିଶ୍ୱର ୧ନଂ ବ୍ୟାଟର ତଥା ଭାରତର ଷ୍ଟାର ଖେଳାଳି ସୂର୍ଯ୍ୟ କୁମାର ଯାଦବ ନିଜର ସ୍ଥାନକୁ ଆହୁରି ମଜବୁତ କରିଛନ୍ତି। ଆଇସିସି ପକ୍ଷରୁ ଆଜି ଜାରି ହୋଇଥିବା ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟ କୁମାର ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି। ତେବେ ୨ନଂରେ ପାକିସ୍ତାନର ମହମ୍ମଦ ରିଜୱାନ ଓ ସୂର୍ଯ୍ୟ କୁମାରଙ୍କ ମଧ୍ୟରେ ଥିବା ପଏଣ୍ଟ ବ୍ୟବଧାନ ଆହୁରି ବଢ଼ି ଯାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିବା ପରେ ସୂର୍ଯ୍ୟଙ୍କ […]

ICC

  • Published: Wednesday, 23 November 2022
  • , Updated: 23 November 2022, 10:06 PM IST

ଦୁବାଇ: ଟି-୨୦ କ୍ରିକେଟରେ ବିଶ୍ୱର ୧ନଂ ବ୍ୟାଟର ତଥା ଭାରତର ଷ୍ଟାର ଖେଳାଳି ସୂର୍ଯ୍ୟ କୁମାର ଯାଦବ ନିଜର ସ୍ଥାନକୁ ଆହୁରି ମଜବୁତ କରିଛନ୍ତି। ଆଇସିସି ପକ୍ଷରୁ ଆଜି ଜାରି ହୋଇଥିବା ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟ କୁମାର ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି।

ତେବେ ୨ନଂରେ ପାକିସ୍ତାନର ମହମ୍ମଦ ରିଜୱାନ ଓ ସୂର୍ଯ୍ୟ କୁମାରଙ୍କ ମଧ୍ୟରେ ଥିବା ପଏଣ୍ଟ ବ୍ୟବଧାନ ଆହୁରି ବଢ଼ି ଯାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିବା ପରେ ସୂର୍ଯ୍ୟଙ୍କ ପଏଣ୍ଟ ସଂଖ୍ୟା ବୃଦ୍ଧି ପାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସୂର୍ଯ୍ୟ କୁମାର ୫୧ ବଲରେ ଅପରାଜିତ ୧୧୧ ରନର ଇନିଂସ ଖେଳିଥିଲେ। ଫଳରେ ତାଙ୍କ ପଏଣ୍ଟ ସଂଖ୍ୟା କ୍ୟାରିୟର ବେଷ୍ଟ ୮୯୫ରେ ପହଞ୍ଚି ଯାଇଥିଲା। କିନ୍ତୁ ତୃତୀୟ ଟି-୨୦ରେ ସେ ଶସ୍ତାରେ ଆଉଟ ହୋଇଯିବାରୁ ଏହା ୮୯୦କୁ ଖସି ଆସିଛି। ତଥାପି ସେ ୧ନଂ ସ୍ଥାନରେ ରହିଛନ୍ତି।

ଦ୍ୱିତୀୟ ସ୍ଥାନରେ ଥିବା ମହମ୍ମଦ ରିଜୱାନଙ୍କ ପଏଣ୍ଟ ସଂଖ୍ୟା ୮୩୬ ରହିଛି। ଏହାର ଅର୍ଥ ସୂର୍ଯ୍ୟ କୁମାର ତାଙ୍କ ଠାରୁ ୫୪ ପଏଣ୍ଟ ଆଗରେ ରହିଛନ୍ତି। ସୂର୍ଯ୍ୟ କୁମାରଙ୍କ ପାଇଁ ୨୦୨୨ରେ ବେଶ ଭଲ ରହିଛି। ସେ ଚଳିତ ବର୍ଷ ଟି-୨୦ରେ ପୂରା ବିଶ୍ୱରେ ସର୍ବାଧିକ ରନ କରିଛନ୍ତି।

ସେହିପରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦ୍ୱିତୀୟ ଭାରତୀୟ ଭାବେ ଦୁଇଟି ଶତକ ମଧ୍ୟ ହାସଲ କରିଛନ୍ତି। ୨୦୧୮ରେ ରୋହିତ ଶର୍ମା ସମାନ କୀର୍ତ୍ତିମାନ ହାସଲ କରିଥିଲେ। ସୂର୍ଯ୍ୟ କୁମାର ଟି-୨୦ ବିଶ୍ୱକପରେ ମୋଟ ୨୩୯ ରନ କରିଥିଲେ। ସେହିପରି ଚଳିତ ବର୍ଷ ସେ ୩୧ ମ୍ୟାଚ୍‌ ଖେଳି ୧୧୬୪ କରିଛନ୍ତି। ଗୋଟିଏ କ୍ୟାଲେଣ୍ଡ ବର୍ଷରେ ୧ ହଜାରରୁ ଅଧିକ ରନ କରିବାରେ ସେ ପ୍ରଥମ ଭାରତୀୟ ହେବାର ରେକର୍ଡ ମଧ୍ୟ କରିଛନ୍ତି।

ଅନ୍ୟପକ୍ଷରେ ଟି-୨୦ ‍ବ୍ୟାଟିଂ ରାଙ୍କିରେ ପାକିସ୍ତାନ ବାବାର ଆଜମ(୭୭୮) ୪ର୍ଥ ସ୍ଥାନକୁ ଖସିଛନ୍ତି। ନ୍ୟୁଜିଲ୍ୟାଣ୍ଡର ଡେଭନ କନୱେ ଭାରତ ବିପକ୍ଷ ୨ଟି ମ୍ୟାଚ୍‌ରେ ୮୪ ରନ କରିବାରୁ ୩ୟ ସ୍ଥାନକୁ ଉଠିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡର ଗ୍ଲେନ ଫିଲିପ୍ସ ମଧ୍ୟ ୨ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୭ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଏହାବାଦ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ଆଉ କୌଣସି ପରିବର୍ତ୍ତନ ହୋଇନାହିଁ। ରାଙ୍କିଙ୍ଗର ୫ନଂରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ, ୬ନଂରେ ନ୍ୟୁଜିଲ୍ୟାଣ୍ଡର ଡାୱିଡ ମଲାନ, ୮ନଂରେ ଦକ୍ଷିଣ ଆଫ୍ରିକାର ରିଲି ରୁସୋ, ୯ନଂରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଓ ୧୦ନଂରେ ଶ୍ରୀଲଙ୍କାର ପଥୁମ ନିଶାଙ୍କା ରହିଛନ୍ତି।

ଆଇସିସି ଟି-୨୦ ବୋଲିଂ ରାଙ୍କିଙ୍ଗର ଟପ୍‌ ୧୦ରେ ମଧ୍ୟ ଚଳିତ ସପ୍ତାହରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ଭାରତର ଭୁବନେଶ୍ୱର କୁମାର ଦୁଇଟି ସ୍ଥାନ ଉପରକୁ ଉଠି ୧୧ନଂରେ ପହଞ୍ଚିଛନ୍ତି। ନ୍ୟୁଜିଲ୍ୟାଣ୍ତର ଟିମ ସାଉଦି ମଧ୍ୟ ସମାନ ୨ଟି ସ୍ଥାନ ଉପରକୁ ଉଠି ୧୪ ନଂରେ ରହିଛନ୍ତି। ବୋଲିଂ ରାଙ୍କିଙ୍ଗର ପ୍ରଥମ ୩ ସ୍ଥାନରେ ପୂର୍ବଭଳି ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା, ଆଫଗାନିସ୍ତାନର ରଶିଦ ଖାନ ଓ ଇଂଲଣ୍ଡର ଆଦିଲ ରଶିଦ ଅଛନ୍ତି।

Related story