ହାଇଦ୍ରାବାଦ ବନାମ ଆରସିବି: ଭାଙ୍ଗିଲା ଏକାଧିକ ରେକର୍ଡ

କୌଣସି ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ବାଉଣ୍ଡରୀ ହାଇଦ୍ରାବାଦ ଓ ଆରସିବି ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ଉଭୟ ଦଳ ୪୩ଟି ଚୌକା ଓ ୩୮ଟି ଛକା ମାରିଛନ୍ତି।

ଟିମ ହାଇଦ୍ରାବାଦ

  • Published: Tuesday, 16 April 2024
  • , Updated: 16 April 2024, 07:54 PM IST

ସୋମାବର ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ କେବଳ ଚୌକାର ଛକା ବର୍ଷା ହୋଇଛି। ହାଇଦ୍ରାବାଦ ଆଇପିଏଲ ଇତିହାସରେ ସର୍ବାଧିକ ସ୍କୋର ୨୮୬ କରିଥିବା ବେଳେ ଆରସିବି ମାତ୍ର ୨୫ ରନ ପଛରେ ରହି ଯାଇଥିଲା। ଆରସିବି ୨୦ ଓଭରରେ ୨୬୨ ରନ କରି ମ୍ୟାଚ୍‌ ହାରିଛି। ଉଭୟ ଟିମ ମିଳିତ ଭାବା ୪୦ ଓଭରରେ ୫୪୯ ରନ କରି ଏକାଧିକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

କୌଣସି ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ବାଉଣ୍ଡରୀ ହାଇଦ୍ରାବାଦ ଓ ଆରସିବି ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ଉଭୟ ଦଳ ୪୩ଟି ଚୌକା ଓ ୩୮ଟି ଛକା ମାରିଛନ୍ତି। ଅର୍ଥାତ ମ୍ୟାଚ୍‌ରେ ୮୧ଟି ବାଉଣ୍ଡରୀ ହୋଇଛି। ଗୋଟିଏ ଟି-୨୦ ମ୍ୟାଚ୍‌ରେ ଏହା ଯୁଗ୍ମ ଭାବେ ସବାଆଧିକ।

୨୦୨୩ରେ ସେଞ୍ଚୁରିଅନରେ ଖେଳା ଯାଇଥିବା ଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ସମାନ ୮୧ଟି ବାଉଣ୍ଡରୀ ହୋଇଥିଲା। ଉଭୟ ଦଳ ୪୬ଟି ଚୌକା ଓ ୩୫ଟି ଛକା ମାରିଥିଲେ। ତୃତୀୟ ସ୍ଥାନରେ ମୁଲତାନ ସୁଲତାନ ବନାମ କ୍ୱେଟା ଗ୍ଲାଡିୟର୍ସ ରହିଛନ୍ତି। ଏହି ମ୍ୟାଚ୍‌ରେ ୭୮ଟି ବାଉଣ୍ଡରୀ ହୋଇଥିଲା।

କୌଣସି ଟି-୨୦ ମ୍ୟାଚ୍‌ ସର୍ବାଧିକ ସ୍କୋର ଗତକାଲି ଦେଖିବାକୁ ମିଳିଛି। ଉଭୟ ଟିମ ୨୫୦ରୁ ଅଧିକ ରନ କରିଛନ୍ତି। ଏହା ମଧ୍ୟ ଟି-୨୦ରେ ପ୍ରଥମ। ଉଭୟ ଦଳ ମିଳିତ ଭାବେ ୫୪୯ ରନ କରିଥିବା ବେଳେ ପୂର୍ବରୁ କେବେ ହେଲେ ଟି-୨୦ରେ ଏମିତି ଘଟଣା ଘଟି ନଥିଲା।

ଏହାପୂର୍ବରୁ ଚଳିତ ଆଇପିଏଲରେ ମୁମ୍ବାଇ ବନାମ ହାଇଦ୍ରାବାଦ ମ୍ୟାଚ୍‌ରେ ମିଳିତ ସ୍କୋର ସର୍ବାଧିକ ଥିଲା। ଉକ୍ତ ମ୍ୟାଚରେ ୫୨୩ ରନ ହୋଇଥିଲା। ସେହିପରି ଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ୫୧୭ ରନ ଓ ମୁଲତାନ ବନାମ କ୍ୱେଟା ଗ୍ଲାଡିୟର୍ସ ମ୍ୟାଚ୍‌ରେ ୫୧୫ ହୋଇଥିଲା।

ଆଇପିଏଲ ଇନିଂସରେ ସର୍ବାଧିକ ଛକା

ଆରସିବି ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିଜର ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ମୁମ୍ବାଇ ବିପକ୍ଷ ୨୭୭ ରନ ବେଳେ ହାଇଦ୍ରାବାଦ ବ୍ୟାଟରମାନେ ୨୦ଟି ଛକା ମାରିଥିଲେ। କିନ୍ତୁ ଗତକାଲି ୨୨ଟି ଛକା ମାରିଛନ୍ତି। କୌଣସି ଗୋଟିଏ ଇନିଂସରେ ଏହା ସର୍ବାଧିକ।

ସର୍ବାଧିକ ଛକା ମାରିବାର ରେକର୍ଡ ଆରସିବି ନାଁରେ ଥିଲା। ଆରସିବି ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ୨୧ଟି ଛକା ମାରିଥିଲା। ସେହିପରି ସେହି ଆରସିବି ୨୦୧୬ ଗୁଜରାଟ ଲାଏନ୍ସ ବିପକ୍ଷରେ ୨୦ଟି ଛକା ମାରି ତାଲିକାର ତୃତୀୟ ସ୍ଥାନରେ ରହିଥିଲେ। ଏବେ ହାଇଦ୍ରାବାଦ ୨୨ଟି ଛକା ମାରି ସବୁ ରେକର୍ଡକୁ ଭାଙ୍ଗି ଦେଇଛି।

ଆଇପିଏଲରେ ସର୍ବାଧିକ ରନ୍‌

ଆଇପିଏଲ ଇତିହାସରେ ସର୍ବାଧିକ ରନ(ଗୋଟିଏ ମ୍ୟାଚ) ହାସଲକାରୀ ଦଳ ବନିଛି ହାଇଦ୍ରାବାଦ। ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଏପରି ରେକର୍ଡ କରିଛି ଦଳ। ଆରସିବି ବିପକ୍ଷରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ରେକର୍ଡ ୨୮୬ ରନ କରିଛି। ଏହାପୂର୍ବରୁ ସର୍ବାଧିକ ରନ ରେକର୍ଡ ସେହି ହାଇଦ୍ରାବାଦ ନାଁରେ ଥିଲା। ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭୭ ରନ କରିଥିଲା।

ଆରସିବି ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୦୨୩ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ୱିକେଟ ହରାଇ ୨୫୭ ରନ, ଆରସିବି ୨୦୧୬ରେ ଗୁଜରାଟ ଲାଏନ୍ସ ବିପକ୍ଷରେ ୩ ୱିକେଟ ହରାଇ ୨୪୮ ରନ ଓ ୨୦୧୦ରେ ଚେନ୍ନାଇ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୫ ୱିକେଟ ହରାଇ ୨୪୬ ରନ କରିଥିଲା।

Related story