/odisha-reporter/media/post_attachments/uploads/2021/09/anderson-and-bumrah.jpg)
anderson-and-bumrah
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଉଭୟ ଟିମର ଖେଳାଳିଙ୍କ ଉପରେ ଖୁବ୍ ଗରମାଗରମ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁଇ ଦଳର ଖେଳାଳିମାନେ ପରସ୍ପରକୁ ସ୍ଲେଜିଂ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନଥିଲେ। ବିଶେଷକରି ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦୁଇ ଦଳର ଖେଳାଳିଙ୍କ ଭିତରେ ଖୁବ୍ କଥା କଟାକଟି ହୋଇଥିଲା। ଏହାରି ଭିତରେ ଟିମ୍ ଇଣ୍ଡିଆ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଓ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ବାସ୍ତବରେ ଦୁହିଁଙ୍କ ମଧ୍ୟରେ କ’ଣ କଥା ହୋଇଥିଲା, ତା’ର ଖୁଲାସା କରିଛନ୍ତି ଟିମ୍ ଇଣ୍ଡିଆ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର।
ଏକ ଖବର କାଗଜକୁ ସାକ୍ଷାତକାର ଦେଇ ଶାର୍ଦ୍ଦୁଲ କହିଛନ୍ତି, ଆମେ ଆଣ୍ଡରସନଙ୍କ ଲଗାତର ଆକ୍ରମଣ କରିବାକୁ ପ୍ରୟାସ ଚଳାଇଥିଲୁ। ଲର୍ଡ୍ସ ଟେଷ୍ଟରେ ଯାହା ହେଲା, ତାହା ଓଭାଲରେ ମଧ୍ୟ ଦେଖିବାକୁ ମିଳିଥିଲା। ପରେ ମୁଁ ଜାଣିବାକୁ ପାଇଲି ଯେ ଆଣ୍ଡରସନ୍ ବୁମ୍ରାଙ୍କୁ କିଛି ଗାଳିଗୁଲଜ କରିଥିଲେ, ଯାହାକୁ ସର୍ବସମ୍ମୁଖରେ କହିହେବ ନାହିଁ। ମୋ ମତରେ ଆଣ୍ଡରସନଙ୍କୁ ଏଭଳି କହିବା ଦରକାର ନଥିଲା। ଆଣ୍ଡରସନଙ୍କ ଏହି ବ୍ୟବହାର ପରେ ଭାରତୀୟ ଖେଳାଳି ବେଶ୍ ଆକ୍ରମଣାତ୍ମକ ହୋଇପଡ଼ିଥିଲେ ଏବଂ ଇଂଲଣ୍ଡ ଖେଳାଳିଙ୍କୁ ସେମାନଙ୍କ ଅନ୍ଦାଜରେ ହିଁ ଜବାବ ଦେଇଥିଲେ।
ଲର୍ଡ୍ସ ଟେଷ୍ଟରେ ବୁମ୍ରା ନିଜର ଘାତକ ବାଉନ୍ସର ଦ୍ୱାରା ଲଗାତର ଆଣ୍ଡରସନଙ୍କୁ ସମସ୍ୟାରେ ପକାଇଥିଲେ। ଯେତେବେଳେ ବୁମ୍ରାଙ୍କ ବ୍ୟାଟିଂ ପାଳି ଆସିଲା, ଇଂଲଣ୍ଡ ବୋଲରମାନେ ମଧ୍ୟ ଶର୍ଟ-ପିଚ୍ ବଲ୍ ପକାଇ ତାଙ୍କୁ ଟାର୍ଗେଟ୍ କରିଥିଲେ। କିନ୍ତୁ ବୁମ୍ରା ମହମ୍ମଦ ଶାମିଙ୍କ ସହ ଇଂଲିଶ ବୋଲରଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ ଏବଂ ୮୯ ରନର ଅପରାଜିତ ଭାଗିଦାରୀ କରିଥିଲେ।
ଶାର୍ଦ୍ଦୁଲ ଆହୁରି କହିଛନ୍ତି, ଯେତେବେଳେ ଆମେ ବିଦେଶ ଗସ୍ତ କରୁ, ଆମର ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କୁ ବାଉନ୍ସରର ସାମ୍ନା କରିବାକୁ ପଡ଼ିଥାଏ। ଅଷ୍ଟ୍ରେଲିଆରେ ନଟରାଜନଙ୍କୁ ମିଚେଲ୍ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ ବାଉନ୍ସର ପକାଇଥିଲେ। ସେମାନେ ଭଲଭାବେ ଜାଣନ୍ତି ଯେ ନଟରାଜନ ପ୍ରଥମଶ୍ରେଣୀ କ୍ରିକେଟ୍ ବେଶୀ ବ୍ୟାଟିଂ କରିନାହାନ୍ତି। ତଥାପି ଜାଣିକି ବାଉନ୍ସର କରନ୍ତି। ହେଲେ ଯେତେବେଳେ ବିରୋଧୀ ଦଳର ଟେଲ୍ ଏଣ୍ଡର ବ୍ୟାଟିଂ କରିବାକୁ ଆସନ୍ତି, ତାହେଲେ ସେମାନଙ୍କୁ କାହିଁକି ବାଉନ୍ସର ପକାଯିବ ନାହିଁ। ତେଣୁ ଆମେ ଇଂଲଣ୍ଡ ଗସ୍ତରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କୁ ବାଉନ୍ସର ପକାଇଥିଲୁ।
ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ୍ ବାତିଲ କରିଦିଆଯାଇଥିଲା। ଭାରତୀୟ ଶିବିରରେ କରୋନା ଏଣ୍ଟ୍ରୀ କରିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ତଥାପି ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ସିରିଜର ଆଉ ଗୋଟିଏ ଟେଷ୍ଟ ଆସନ୍ତା ବର୍ଷ ଇଂଲଣ୍ଡ ଗସ୍ତରେ ଖେଳାଯାଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
