ହେଡ୍‌, କ୍ଲାସେନ ଓ ସାମଦଙ୍କ ଛକା ବର୍ଷା: ଆଇପିଏଲରେ ଇତିହାସ ରଚିଲା ହାଇଦ୍ରାବାଦ

ଆଇପିଏଲ ଇତିହାସରେ ସର୍ବାଧିକ ରନ(ଗୋଟିଏ ମ୍ୟାଚ) ହାସଲକାରୀ ଦଳ ବନିଛି ହାଇଦ୍ରାବାଦ। ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଏପରି ରେକର୍ଡ କରିଛି ଦଳ। 

ହେଡ୍ ଓ କ୍ଲାସେନ୍‌

  • Published: Monday, 15 April 2024
  • , Updated: 15 April 2024, 09:27 PM IST

ଟ୍ରାଭିଡ ହେଡ୍‌ଙ୍କ ୪୧ ବଲରେ ୧୦୨, ହେନରିଚ କ୍ଲାସେନଙ୍କ ୩୧ ବଲରେ ୬୭ ରନ ଓ ଶେଷ ଭାଗରେ ଅବଦୁଲ ସାମଦଙ୍କ ୧୦ ବଲରେ ଅପରାଜିତ ୩୭ ରନ ବଳରେ ଆଇପିଏଲରେ ରେକର୍ଡ କରିଛି ସନ ରାଇଜର୍ସ ହାଇଦ୍ରାବାଦ।

ଆଇପିଏଲ ଇତିହାସରେ ସର୍ବାଧିକ ରନ(ଗୋଟିଏ ମ୍ୟାଚ) ହାସଲକାରୀ ଦଳ ବନିଛି ହାଇଦ୍ରାବାଦ। ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଏପରି ରେକର୍ଡ କରିଛି ଦଳ। 

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ବିପକ୍ଷରେ ଦଳ ୨୦ ଓଭରରେ ୩ ୱିକେଟ ହରାଇ ରେକର୍ଡ ୨୮୬ ରନ କରିଛି। ଏହାପୂର୍ବରୁ ସର୍ବାଧିକ ରନ ରେକର୍ଡ ସେହି ହାଇଦ୍ରାବାଦ ନାଁରେ ଥିଲା। ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୭୭ ରନ କରିଥିଲା। ମାତ୍ର କିଛି ଦିନ ବ୍ୟବଧାନରେ ଆଜି ହାଇଦ୍ରାବାଦ ନିଜ ରେକର୍ଡକୁ ନିଜେ ଭାଙ୍ଗି ଦେଇଛି।

ବେଙ୍ଗାଲୁରୁର ଚିନ୍ନାସ୍ୱାମୀରେ ଆଜି କେବଳ ଚୌକା ଛକା ବର୍ଷା ହୋଇଛି। ପ୍ରଥମେ ହେଡ୍‌ ଓ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହାପରେ କ୍ଲାସେନ ନିଜର ଯାଦୁ ଦେଖାଇଥିଲେ। ଶେଷ ଭାଗରେ ଏଡେନ ମାର୍କରମ ଓ ଅବଦୁଲ ସମଦ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି। ଆରସିବିର ପ୍ରତିଟି ବୋଲର ଆଜି ପ୍ରବଳ ରନ ଖର୍ଚ୍ଚ କରିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ହାଇଦ୍ରାବାଦ ପାଇଁ ହେଡ୍‌ ଓ ଅଭିଷେକ ପ୍ରଥମ ୱିକେଟରେ ୧୦୮ ରନ ଯୋଡ଼ିଥିଲେ। ୮ ଓଭରରେ ଦଳର ସ୍କୋର ୧୦୮ରେ ପହଞ୍ଚାଇ ଦେଇଥିଲେ। ତେବେ ୯ ଓଭରର ପ୍ରଥମ ବଲରେ ୨୨ ବଲରେ ୩୪ ରନ କରିଥିବା ଅଭିଷେକ ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ରିସ ଟପଲୀ ନେଇଥିଲେ।

ଏହାପରେ ଆସିଥିଲେ କ୍ଲାସେନ। ସେ ଓ ହେଡ ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ହେଡ୍‌ ଚୌକା ମାରି ଆଇପିଏଲ କ୍ୟାରିୟରରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ୩୯ ବଲରେ ଶତକ ହାସଲ କରିଥିବା ହେଡ ଆଉ ୨ ରନ କରି ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୯ଟି ଚୌକା ଓ ୮ଟି ଛକା ବଳରେ ୧୦୨ ରନର ଇନିଂସ ଖେଳିଥିଲେ।

ହେଡ୍‌ ଆଉଟ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ହାଇଦ୍ରାବାଦର ରନ ସଂଗ୍ରହହାରରେ ପଡ଼ି ନଥିଲା। କ୍ଲାସେନ ଛକା ବର୍ଷା କରିବାରେ ଲାଗିଥିଲେ। ସେ ଛକା ମାରି ମାତ୍ର ୨୩ ବଲରେ ଚଳିତ ଆଇପିଏଲରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଲକି ଫର୍ଗୁସନଙ୍କୁ ୧୦୬ ମିଟର ଦୂରକୁ ଗୋଟିଏ ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

କିନ୍ତୁ ସେହି ଫର୍ଗୁସନ ୧୭ମ ଓଭରରେ ଆଉଟ କରି ମଧୁର ପ୍ରତିଶୋଧ ନେଇଥିଲେ। ୩୧ ବଲରେ ୬୭ ରନ ଇନିଂସ ଖେଳିଥିବା କ୍ଲାସେନ ୭ଟି ଛକା ଓ ୨ଟି ଚୌକା ମାରିଛନ୍ତି। କ୍ଲାସେନଙ୍କ ପରେ ଅବଦୁଲ ସାମଦ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସେ ୧୯ତମ ଓଭର ବୋଲିଂ କରୁଥିବା ଟପଲୀଙ୍କ ଠାରୁ ୨୫ ରନ ଆଦାୟ କରି ଦଳୀୟ ସ୍କୋରକୁ ୨୬୬ରେ ପହଞ୍ଚାଇ ଦେଇଥିଲେ।

ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ବିଜୟ ବୈଶାଖ। ସେ ପ୍ରଥମ ବଲ ୱାଇଡ ହୋଇଥିଲା। ଏହାପରେ ମାର୍କରମ ଚୌକା ମାରିଥିଲେ। ତା’ ଉପରେ ସେ ଛକା ମାରି ଆଇପିଏଲର ସର୍ବାଧିକ ଦଳ ଗତ ସ୍କୋର ୨୭୭ରେ ହାଇଦ୍ରାବାଦକୁ ପହଞ୍ଚାଇ ଦେଇଥିଲେ। ୩ୟ ବଲରେ ୧ ରନ ନେବା ସହ ହାଇଦ୍ରାବାଦ ଆଇପିଏଲରେ ନୂଆ ରେକର୍ଡ କରିଥିଲା।

୪ର୍ଥ ବଲ ସାମଦ ଡଟ୍‌ କରି ଦେଇଥିଲେ। ୫ମ ବଲରେ କିନ୍ତୁ ସେ ଛକା ମାରିଥିଲେ। ମାଡ଼ ଦେଖି ବୈଶାଖ ୱାଇଡ୍‌ ପକାଇଥିଲେ। କିନ୍ତୁ ଆରସିବି ରିଭ୍ୟୁ ନେଇଥିଲେ। ଏହା ମଧ୍ୟ ଫେଲ ମାରିଥିଲା।

ଶେଷ ବଲରେ ସାମଦ ୨ ରନ ନେବାରୁ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୮୬ ରନ କରିଛି। ସାମଦ ଶେଷ ଯାଏ ୧୦ ବଲରେ ୩୭ ଓ ମାର୍କରମ ୧୭ ବଲରେ ୩୨ ରନ କରି ଅପରାଜିତ ରହିଥିଲେ। ଏବେ ଆରସିବିକୁ ଏହି ମ୍ୟାଚ୍‌ ଜିତିବା ପାଇଁ ରେକର୍ଡ ୨୮୭ ରନ କରିବାକୁ ପଡ଼ିବ। ସାମଦ ତାଙ୍କ ଇନିଂସରେ ୩ଟି ଛକା ଓ ୪ଟି ଚୌକା ମାରିଛନ୍ତି।

ରେକର୍ଡ ଉପରେ ନଜର ପକାଇଲେ ଆରସିବି ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୦୨୩ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ୱିକେଟ ହରାଇ ୨୫୭ ରନ, ଆରସିବି ୨୦୧୬ରେ ଗୁଜରାଟ ଲାଏଅନ୍ସ ବିପକ୍ଷରେ ୩ ୱିକେଟ ହରାଇ ୨୪୮ ରନ ଓ ୨୦୧୦ରେ ଚେନ୍ନାଇ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୫ ୱିକେଟ ହରାଇ ୨୪୬ ରନ କରିଥିଲା।

ସେହିପରି ହାଇଦ୍ରାବାଦ ଚଳିତ ବର୍ଷ ମୁମ୍ବାଇ ବିପକ୍ଷରରେ ୩ ୱିକେଟ ହରାଇ ୨୭୭ ରନ କରିଥିଲା। କିନ୍ତୁ ହାଇଦ୍ରାବାଦ ଆଜି ନିଜ ସହ ସବୁ ଦଳର ସ୍କୋରକୁ ପଛରେ ପକାଇ ୨୦ ଓଭରରେ ୩ ୱିକେଟ ହରାଇ ୨୮୬ ରନ କରିଛି।

Related story