/odisha-reporter/media/post_attachments/uploadimage/library/16_9/16_9_0/Pant_1735979131.jpg)
Pant
ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡ୍ନୀରେ ଖେଳା ଯାଉଥିବା ବେଳେ ଏହା ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଗତକାଲି ଭାରତ ପ୍ରଥମ ଇନିଂସରେ ମାତ୍ର ୧୮୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିବା ବେଳେ ଆଜି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭାରତ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧୪୧ ରନ୍ କରି ୬ ୱିକେଟ୍ ହରାଇ ସାରିଛି। ତେଣୁ ଆସନ୍ତାକାଲି ତୃତୀୟ ଦିବସରେ ମ୍ୟାଚ୍ର ପରିଣାମ ଆସିଯିବ ବୋଲି ଆଶା କରାଯାଉଛି। ତେବେ କିଏ ମାରିବ ବାଜି, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।
ଭାରତର ୧୮୫ ରନ୍ର ଜବାବରେ ଅଷ୍ଟ୍ରେଲିଆ ଗତକାଲି ପ୍ରଥମ ଇନିଂସରେ ଗୋଟିଏ ୱିକେଟ୍ ହରାଇ ୯ ରନ୍ କରିଥିବା ବେଳେ ଷ୍ଟମ୍ପ ଅପସାରଣ କରି ନିଆଯାଇଥିଲା। ଆଜି ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର ବ୍ୟାଟରମାନଙ୍କ ମଧ୍ୟରୁ ବଉ ୱେବଷ୍ଟରଙ୍କ ବ୍ୟତୀତ ଅନ୍ୟ କେହି ଦୀର୍ଘ ସମୟ ଧରି କ୍ରିଜ୍ରେ ତିଷ୍ଠି ପାରି ନଥିଲେ।
ମାର୍ନସ ଲାବୁଶେନ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଟ୍ରାଭିସ ହେଡ୍ ୪, ସାମ କୋନଷ୍ଟାସ ୨୩ (୩୮ ବଲ୍), ଆଲେକ୍ସ କେରୀ ୨୧(୩୬ ବଲ୍), ପାଟ୍ କମିନ୍ସ ୧୦ (୨୦ ବଲ୍), ମିଚେଲ ଷ୍ଟାର୍କ ୧ (୪ ବଲ୍) ଓ ସ୍କଟ ବୋଲାଣ୍ଡ ୯ ରନ୍ (୯ ବଲ୍) କରି ଆଉଟ୍ ହୋଇଥିଲେ। ଷ୍ଟିଭ୍ ସ୍ମିଥ୍ ୫୭ଟି ବଲ୍ରୁ ୩୩ ରନ୍ କରି ପ୍ରସିଦ୍ଧ କୃଷ୍ଣଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୱେବଷ୍ଟର ସର୍ବାଧିକ ୧୦୫ଟି ବଲ୍ ଖେଳିବାକୁ ସମର୍ଥ ହୋଇଥିବା ବେଳେ ୫ଟି ଚୌକା ସହାୟତାରେ ୫୭ ରନ୍ ସଂଗ୍ରହ କରିଥିଲେ। ନାଥନ ଲିୟନ ୭ ରନ୍ (୧୭ ବଲ୍) କରି ଅପରାଜିତ ରହିଥିଲେ। ୫୧ ଓଭରରେ ୧୮୧ ରନ୍ କରି ପୂରା ଟିମ୍ ପ୍ୟାଭିଲିୟନକୁ ଫେରି ଯାଇଥିଲା।
ଏହା ପରେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିବା ଟିମ୍ ଇଣ୍ଡିଆ କିଛି ନୂଆ କରିପାରି ନଥିଲା। ପୁଣି ଥରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୭.୩ ଓଭରରେ ପ୍ରଥମ ୱିକେଟ ହରାଇଥିଲା ଦଳ। କେଏଲ ରାହୁଲ ୧୩ ରନ୍ କରିଥିବା ବେଳେ ସ୍କଟ ବୋଲାଣ୍ଡଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହା ପରେ କିଛି କିଛି ଓଭର ବ୍ୟବଧାନରେ ଦଳର ଗୋଟିଏ ପରେ ଗୋଟିଏ ୬ଟି ୱିକେଟ୍ ପଡ଼ିଥିଲା।
ଆଉଟ୍ ହୋଇଥିବା ବ୍ୟାଟରଙ୍କ ମଧ୍ୟରେ ସବୁଠୁ ଭଲ ଖେଳିଥିଲେ ଋଷଭ ପନ୍ତ। ସେ ୩୩ଟି ବଲ୍ରୁ ୬ ଚୌକା ଓ ୪ ଛକା ସହାୟତାରେ ୬୧ରନ୍ କରିଥିଲେ। ପାଟ୍ କମିନ୍ସଙ୍କ ବଲ୍ରେ ଆଲେକ୍ସ କେରୀଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ଯଶସ୍ୱୀ ଜୈସୱାଲ ୩୫ଟି ବଲ୍ରୁ ୨୨ ରନ୍ କରିଥିବା ବେଳେ ରାହୁଲ ୧୩, ଶୁବମନ ଗିଲ ୧୩, ବିରାଟ କୋହଲି ୬ ଓ ନୀତୀଶ କୁମାର ରେଡ୍ଡୀ ୪ ରନ୍ କରି ଆଉଟ୍ ହୋଇଯାଇଥିଲେ।
ରବୀନ୍ଦ୍ର ଜାଡେଜା ୮ ରନ୍ (୩୯ ବଲ୍) ଓ ୱାଶିଂଟନ ସୁନ୍ଦର ୬ ରନ୍ (୧୭ ବଲ୍) କରି ଅପରାଜିତ ଅଛନ୍ତି। ଜାଡେଜାଙ୍କଠାରୁ ଦଳ ଏକ ଭଲ ଇନିଂସ ଆଶା କରୁଛି। ଭାରତର ସ୍କୋର ଏହି ଦୁଇ ଜଣଙ୍କ ସହିତ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣଙ୍କ ଉପରେ ନିର୍ଭର କରୁଛି। ଅନ୍ୟପକ୍ଷରେ ଏହି ମ୍ୟାଚ୍ ଜିତାଇବାର ଦାୟିତ୍ୱ ଏବେ ବୋଲରମାନଙ୍କ କାନ୍ଧକୁ ଯାଇଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ଯେଭଳି ବୋଲିଂ କରି ଧରାଶାୟୀ କଲେ, ତା’ଠାରୁ ବି ଅଧିକ ପ୍ରଭାବଶାଳୀ ବୋଲିଂ କଲେ ହୁଏତ ଭାରତ ଏହି ମ୍ୟାଚ୍ ଜିତି ସିରିଜକୁ ୨-୨ରେ ବରାବର ସ୍ଥିତିକୁ ନେଇଯାଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
