ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତ, ହାରିଲା ମାଲେସିୟା

ଫାଇନାଲରେ ଦଳ ପାଇଁ ହରମନପ୍ରୀତ ସିଂହ, ଆକାଶଦୀପ ସିଂହ, ଯୁଗରାଜ ସିଂହ ଓ ଗୁରଜନ୍ତ ସିଂହ ଗୋଲ କରିଛନ୍ତି। 

ଗୋଲ ସ୍କୋର ପରେ ଭାରତୀୟ ଟିମ୍‌

  • Published: Saturday, 12 August 2023
  • , Updated: 13 August 2023, 11:49 AM IST

ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଛି ଭାରତୀୟ ହକି ଟିମ। ଆଜି ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦଳ ମାଲେସିୟାକୁ ୪-୩ର ଗୋଲରେ ହରାଇ ଟ୍ରଫି କବଜା କରିଛି। ଏଥିସହ ଦଳ ରେକର୍ଡ ୪ର୍ଥ ଥର ପାଇଁ ଚାମ୍ପିୟନ ଆଖ୍ୟା ପାଇଛି। ପାକିସ୍ତାନ ଓ ଭାରତ ଉଭୟ ୩ଥର ଲେଖାଏ ଚାମ୍ପିୟନ ହୋଇଥିଲେ। କିନ୍ତୁ ଆଜି ଭାରତ କପ କବଜାର କରି ପାକିସ୍ତାନକୁ ପଛରେ ପକାଇ ଦେଇଛି। 

ଫାଇନାଲରେ ଦଳ ପାଇଁ ହରମନପ୍ରୀତ ସିଂହ, ଆକାଶଦୀପ ସିଂହ, ଯୁଗରାଜ ସିଂହ ଓ ଗୁରଜନ୍ତ ସିଂହ ଗୋଲ କରିଛନ୍ତି। ମ୍ୟାଚ୍‌ର ହାଫଟାଇମ ସୁଦ୍ଧା ୩-୧ରେ ପଛରେ ଥିବା ଭାରତ ତୃତୀୟ କ୍ୱାର୍ଟରରେ ଏହି ଖେଳ ବୁଲାଇବାକୁ ସକ୍ଷମ ହୋଇଥିଲା। ଏହି କ୍ୱାର୍ଟରର ଶେଷ ମିନିଟରେ ଦଳ ଦୁଇ ଗୋଲ କରି ମ୍ୟାଚର ସ୍ଥିତିକୁ ପ୍ରଥମ ବରାବର କରିଥିଲେ। ଶେଷରେ ଆକାଶଦୀପ ସିଂହ ୫୫ତମ ମିନିଟରେ ନିର୍ଣ୍ଣାୟକ ଗୋଲ ସ୍କୋର କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। 

ତାମିଲନାଡୁର ଚେନ୍ନାଇରେ ଥିବା ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ଫାଇନାଲରେ ଆରମ୍ଭରୁ ଭାରତ ତା’ର ଚମକ ଦେଖାଇଥିଲା। ମ୍ୟାଚ୍‌ର ୭ମ ମିନିଟରେ ଦଳକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ପଡ଼ିଆରେ ପିସି ସ୍ପେଶାଲିଷ୍ଟ ତଥା ଅଧିନାୟକ ହରମପ୍ରୀତ ନଥିବାରୁ ଲାଗୁଥିଲା ଭାରତ ଗୋଲ ସ୍କୋର କରିପାରିବ ନାହିଁ। ତେବେ ଯୁଗରାଜ ସିଂହ ବେଶ ଚମତ୍କାର ଢଙ୍ଗରେ ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ।

କିନ୍ତୁ ଭାରତର ଏହି ଖୁସି ବେଶୀ ସମୟ ରହି ନଥିଲା। ମାଲେସିୟା କାଉଣ୍ଟର ଆଟାକ କରି ପ୍ରଥମ କ୍ୱାର୍ଟରର ଗୋଟିଏ ମିନିଟ ପୂର୍ବରୁ ସ୍ଥିତି ବରାବର କରି ଦେଇଥିଲା। ଦଳ ଫିଲ୍ଡ ଗୋଲ କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ବେଳରକୁ ୧-୧ରେ ସ୍ଥିତି ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଭାରତ ଅପେକ୍ଷା ମାଲେସିୟା ବେଶୀ ଆଟାକିଂ କରିଥିଲା। ୧୮ତମ ମିନିଟରେ ଦଳକୁ ଗୋଟିଏ ପିସି ମିଳିଥିଲା। ଏହାକୁ ରାଜି ରହିମ ଗୋଲରେ ପରିଣତ କରି ମାଲେସିୟାକୁ ୨-୧ରେ ଆଗୁଆ କରି ଦେଇଥିଲେ। ଭାରତ ଆଟାକ କରିବାକୁ ଚେଷ୍ଟା କରୁଥିବା ବେଳେ ସୁଖଜିତ ସିଂହ ତ୍ରୁଟି କରି ଗ୍ରୀନ କାର୍ଡ ପାଇଥିଲେ।

ଫଳରେ ଭାରତ ୨ ମିନିଟ ପାଇଁ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ୨୧ ତମ ମିନିଟରେ ବିବେକ ସାଗରଙ୍କୁ ଗୋଲ କରିବାର ସୁଯୋଗ ମିଳିଥିଲା। ସେ ଭଲ ଶଟ ମଧ୍ୟ ମାରିଥିଲେ। କିନ୍ତୁ ଏହାକୁ ମାଲେସିୟା ଗୋଲକିପର ଓଥମାନ ଅଟକାଇ ଦେଇଥିଲେ।

୨୩ତମ ମିନିଟରେ ମାଲେସିୟାକୁ ପିସି ମିଳିଥିଲେ ମଧ୍ୟ ଦଳ ଏହାକୁ ଗୋଲ କରି ପାରି ନଥିଲା। କିନ୍ତୁ ୨୮ତମ ମିନିଟରେ ଦଳକୁ ମିଳିଥିବା ପିସିକୁ ମହମ୍ମଦ ଅମିନୁଦ୍ଦିନ ଗୋଲରେ ପରିଣତ କରିଥିଲେ। ଫଳରେ ହାଫ ଟାଇମ ସୁଦ୍ଧା ମାଲେସିୟା ସ୍ଥିତି ୩-୧ କରି ଭାରତକୁ ବ୍ୟାକଫୁଟରେ ରଖିଥିଲା। ସେହିପରି ତୃତୀୟ ଗୋଲ ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶନ ପୂରା ଚୁପ ହୋଇ ଯାଇଥିଲେ।

ହାଫ ଟାଇମ ପରେ ଅର୍ଥାତ ତୃତୀୟ କ୍ୱାର୍ଟରରେ ଭାରତ ରଣନୀତି ବଦଳାଇ ଘନଘନ ଆକ୍ରମଣ କରିଥିଲା। କିନ୍ତୁ ଦଳକୁ ସେତେଟା ସଫଳତା ମିଳି ନଥିଲା। ମାଲେସିୟା ମଧ୍ୟ କାଉଣ୍ଟର ଆଟାକ କରିବାକୁ ପଛାଇ ନଥିଲା। ଏହି ଆଟାକ ଓ କାଉଣ୍ଟର ଆଟାକ ମଧ୍ୟରେ ଭାରତକୁ ମ୍ୟାଚ୍‌ର ୩୨ତମ ମିନିଟରେ ଗୋଟିଏ ପିସି ମିଳିଥିଲା।

ଏଥର ପଡ଼ିଆରେ ହରମନପ୍ରୀତ ମଧ୍ୟ ରହିଥିଲେ। କିନ୍ତୁ ସେ ଗୋଲ ସ୍କୋର କରି ପାରି ନଥିଲେ। ସେ ମାରିଥିବା ଶଟ ଗୋଲ ପୋଷ୍ଟ ସାଇଡରେ ଚାଲିଯାଇଥିଲା। କିନ୍ତୁ ଭାରତକୁ ଲଙ୍ଗ କର୍ଣ୍ଣର ମିଳିଥିଲା। ତଥାପି ଭାରତ ଗୋଲ କରିବାକୁ ସକ୍ଷମ ହୋଇ ନଥିଲା।

ମ୍ୟାଚ୍‌ର ୩୬ତମ ମିନିଟରେ ଭାରତକୁ ପୁଣି ଗୋଟିଏ ପିସି ମିଳିଥିଲା। ଏଥର ହମନପ୍ରୀତଙ୍କ ବଦଳରେ ଯୁଗରାଜ ଶଟ ମାରିଥିଲେ। ସେ ମଧ୍ୟ ଗୋଲ କରିବାକୁ ସକ୍ଷମ ହୋଇ ନଥିଲେ। ଭାରତ କିନ୍ତୁ ତା’ର ଆଟାକ ଜାରି ରଖିଥିଲା। ଘନଘନ ଆକ୍ରମଣକୁ ମାଲେସିୟା ଗୋଲର କିପର ଓଥମାନ ବାରମ୍ବାର ବିଫଳ କରିବାକୁ ସକ୍ଷମ ହୋଇଥିଲେ। ୪୩ତମ ମିନିଟରେ ଭାରତକୁ ଗୋଲ ପାଇଁ ସୁଯୋଗ ମିଳିଥିଲେ ମଧ୍ୟ ଏହାକୂ ଆକାଶଦୀପ ଗୋଲରେ ପରିଣତ କରି ପାରି ନଥିଲା।

ଏହାପରେ ମାଲେସିୟା କାଉଣ୍ଟର ଆଟାକ କରି ପିସି ହାସଲ କରିଥିଲା। ତେବେ ଏହାକୁ ଦଳ ଗୋଲରେ ପରିଣତ କରି ପାରି ନଥିଲା। ତୃତୀୟ କ୍ୱାର୍ଟର ସରିବାକୁ ଆଉ ମାତ୍ର ୫୬ ସେକେଣ୍ଡ ଥିବା ବେଳେ ଭାରତକୁ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା।

ହରମନପ୍ରୀତ ଏହାକୁ ଗୋଲରେ ପରିଣତ କରି ସ୍ଥିତିକୁ ଭାରତ ସପକ୍ଷରେ ୨-୩କୁ ଆଣିଥିଲେ। ସେହିପରି ତୃତୀୟ କ୍ୱାର୍ଟର ଶେଷ ହେବାକୁ ୩୨ ସେକେଣ୍ଡ ଥିବା ବେଳେ ଭାରତ ଆଉ ଗୋଟିଏ ଗୋଲ ଦେଇଥିଲା। ଏଥର ଦଳ ଫିଲ୍ଡ ଗୋଲ ସ୍କୋର କରିଥିଲା। ଦଳ ପାଇଁ ଗୁରଜନ୍ତ ସିଂହ ଗୋଲ ଦେଇଥିଲେ। ହାଫ ଟାଇମ ସୁଦ୍ଧା ୩-୧ରେ ପଛରେ ଥିବା ଭାରତ ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୩-୩ କରି ଦେଇଥିଲା।

୪ର୍ଥ ତଥା ଶେଷ କ୍ୱାର୍ଟରରେ ଦମଦାର ଲଢ଼େଇ ହୋଇଥିଲା। ଆରମ୍ଭରୁ ଏଥର ମାଲେସିୟା ଆଟାକ କରିଥିଲା। କିନ୍ତୁ ଫାଉଲ ପାଇଁ ମାଲେସିୟାର ଏଫ ସାରି ଗ୍ରୀନ କାର୍ଡ ପାଇଁ ୨ ମିନିଟ ବାହାରେ ବସିଥିଲେ। ତେବେ ମ୍ୟାଚ୍‌ର ୫୧ତମ ମିନିଟରେ ମାଲେସିୟାକୁ ପିସି ମିଳିଥିଲା। ଫ୍ୟାନ୍ସଙ୍କ ଛାତି ମଧ୍ୟ ଧଡ଼ଧଡ଼ ହେବା ଆରମ୍ଭ କରିଥିଲା। ହେଲେ ଓଡ଼ିଆ ପୁଅ ଅମିତ ରୋହିଦାସ ମାଲେସିୟା ଶଟକୁ ଅଟକାଇ ବଡ଼ ବିପଦକୁ ଟାଳିଥିଲେ।

୫୪ତମ ମିନିଟରେ ଭାରତକୁ ପିସି ମିଳିଥିଲେ ମଧ୍ୟ ଓଥମାନ ଏହାକୁ ଅଟକାଇ ଦେଇଥିଲେ। ୫୫ତମ ମିନିଟରେ ମିଳିଥିବା ପିସିରୁ ବି ଭାରତ ଗୋଲ ସ୍କୋର କରିପାରି ନଥିଲା। ସମୟ ସରି ସରି ଯାଉଥିବା ବେଳେ ଭାରତ ଆଟାକ ଜାରି ରଖିଥିଲା। ଶେଷରେ ଅଭିଜ୍ଞ ଆକାଶଦୀପ ସିଂହ ସେହି ୫୫ତମ ମିନିଟରେ ଫିଲ୍ଡ ଗୋଲ ଦେଇ ପ୍ରଥମଥର ପାଇଁ ଦଳକୁ ଫାଇଲନାଲରେ ଲିଡ୍‌କୁ ଆଣିଥିଲେ। ଭାରତ ୪-୩ରେ ଲିଡ୍ କରିବା ଆରମ୍ଭ କରିଥିଲା। 

ଶେଷ ୪ ମିନିଟ ୧୮ ସେକେଣ୍ଡ ଭାରତକୁ ପାର କରିବାର ଥିଲା। ଦଳ ମଧ୍ୟ ଲଙ୍ଗ ପାସ୍‌ ଦେଇ ସମୟ ଶେଷ କରିବା ସାରିବା ଆରମ୍ଭ କରିଥିଲା। ମ୍ୟାଚ୍‌ ସରିବାକୁ ୧.୦୯ ସେକେଣ୍ଡ ଥିବା ବେଳେ ମାଲେସିୟା ତା’ର ଗୋଲ କିପରଙ୍କୁ କାଢ଼ି ଦେଇଥିଲା। ଏହା ବଦଳରେ ଜଣେ ଅତିରିକ୍ତ ଖେଳାଳିଙ୍କୁ ଖେଳାଇଥିଲା। କିନ୍ତୁ ଏହା ମ୍ୟାଚରେ କୌଣସି ପ୍ରଭାବ ପକାଇ ପାରି ନଥିଲା। ଭାରତ ମ୍ୟାଚ୍‌କୁ ୪-୩ରେ ଜିତିବା ସହ ୪ର୍ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ କବଜା କରିଥିଲା। 

Related story