/odisha-reporter/media/post_attachments/uploads/2016/05/narashingha-1.jpg)
narashingha
ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ବହିଷ୍କୃତ ଡାକ୍ତର ମୋତିଲାଲ୍ ଗୌଡ଼ଙ୍କ ଜାଲ୍ ବିଜ୍ଞପ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଟାର୍ଗେଟ୍ କରିଛନ୍ତି। ନରସିଂହ ମିଶ୍ର କହିଛନ୍ତି, “ମୋତିଲାଲ୍ ଗୌଡଙ୍କ ମାମଲା ପ୍ରମାଣ କରିଛି ନବୀନ ପଟ୍ଟନାୟକ ସରକାର କେତେ ଦୁର୍ନୀତିଗ୍ରସ୍ତ। ଦୁର୍ନୀତିଗ୍ରସ୍ତ ଲୋକ ଓ ଅପରାଧୀଙ୍କୁ କିଭଳି ଭାବରେ ସରକାରୀ ସାହାଯ୍ୟ ଦିଆଯାଏ ଗଣମାଧ୍ୟମ ତାହାର ପର୍ଦ୍ଦାଫାଶ କରିଛି। ଏହି ଦୁର୍ନୀତିରେ ମନ୍ତ୍ରୀ ଓ ସରକାରୀ ଦଳର ବିଧାୟକ ଜଡ଼ିତ ଅଛନ୍ତି। କିନ୍ତୁ କ୍ରାଇମବ୍ରାଞ୍ଚ ଏ ଦିଗରେ ଅନୁସନ୍ଧାନ କରୁ ନାହିଁ। ସରକାରୀ ଚାକିରି କରି ଗୋଟିଏ ବିଭାଗରେ ନିଖୋଜ ଥିବା ବେଳେ ଅନ୍ୟ ଏକ ବିଭାଗରେ କିଭଳି ତାଙ୍କୁ ନିଯୁକ୍ତି ଦିଆଗଲା? ସେହି ଚାକିରି ପାଇବା ପାଇଁ କିଏ ସୁପାରିଶ କରିଥିଲା? କାହାର ସହଯୋଗରେ ସେ ଶ୍ରମ ବିଭାଗରେ ଚାକିରି ପାଇଲେ? ଏସବୁ ଅନୁସନ୍ଧାନ କଲେ ପ୍ରମାଣିତ ହେବ ସରକାରୀ ଦଳ ଓ ସରକାର ଏ ଦୁର୍ନୀତିରେ କେତେ ସଂପୃକ୍ତ।”
ସେ କହିଛନ୍ତି, “କ୍ରାଇମବ୍ରାଞ୍ଚ ଯେହେତୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ରାଜନୈତିକ ନେତାଙ୍କ ସଂପୃକ୍ତି ସମ୍ପର୍କରେ ଅନୁସନ୍ଧାନ କରି ନାହିଁ ମୁଁ’ ଭାବୁଛି କ୍ରାଇମବ୍ରାଞ୍ଚ ଏହାର ନିରପେକ୍ଷ ତଦନ୍ତ କରିପାରିବ ନାହିଁ। ସରକାର ଅପରାଧୀ ମାନଙ୍କୁ ସହଯୋଗ କରୁଥିବାରୁ ନିରପେକ୍ଷ ତଦନ୍ତର ଏକାନ୍ତ ଆବଶ୍ୟକତା ରହିଛି। ବର୍ତ୍ତମାନ ଆମ ଦେଶରେ ନିରପକ୍ଷ ତଦନ୍ତ ସଂସ୍ଥାର ଅଭାବ ଦେଖା ଦେଇଛି। ସିବିଆଇ କିମ୍ୱା ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ ଗଠନ କରି ଏହି ମାମଲାର ତଦନ୍ତ କରାଯାଉ।”
ବିଜେପି ମଧ୍ୟ ପ୍ରସଙ୍ଗରେ ସରକାର ଓ ଶାସକ ଦଳକୁ ତୀବ୍ର ସମାଲୋଚନା କରିଛି।
ବିଜେପିର ବରିଷ୍ଠ ନେତା ରାଧାରାଣୀ ପଣ୍ଡା କହିଛନ୍ତି, “ମୋତିଲାଲ୍ ଡାକ୍ତରୀ ପେଷାରେ ଥାଇ ନିଲମ୍ୱିତ ହୋଇଥିବା ସରକାର ଜାଣିଛନ୍ତି। ତଥାପି ତାଙ୍କୁ ଶ୍ରମ ବିଭାଗରେ ଚାକିରି ଦିଆଯାଇଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଏହି ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ବ୍ୟୋମକେଶ ରାୟ ମଧ୍ୟ ସଂପୃକ୍ତ ଅଛନ୍ତି। ସରକାରୀ ଦଳର ପ୍ରୋତ୍ସାହନ ନ ଥିଲେ ମୋତିଲାଲ୍ ଦୁର୍ନୀତି କରିପାରି ନ ଥାଆନ୍ତେ।”
ଶାସକ ବିଜୁ ଜନତା ଦଳ (ବିଜେଡି) ଏ ମାମଲାରେ ଦଳୀୟ ନେତାଙ୍କ ସଂପୃକ୍ତିକୁ ସ୍ପଷ୍ଟ ଭାବେ ଖଣ୍ଡନ ନ କରି ତଦନ୍ତର ଫଳାଫଳକୁ ଅପେକ୍ଷା କରାଯିବା ସପକ୍ଷରେ ଯୁକ୍ତି ବାଢ଼ିଛି।
ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୋତିଲାଲ୍ ଗୌଡଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ତଦନ୍ତ ପରେ ଜଣାପଡ଼ିବ। ତଦନ୍ତ ରିପୋର୍ଟ ଆସିବା ପରେ ଯଦି ଦଳର କୌଣସି ସଦସ୍ୟ ସଂପୃକ୍ତ ଥାଆନ୍ତି ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
