/odisha-reporter/media/post_attachments/uploads/2016/05/Prasanna-Acharya-Bishnu-Charan-Das-N-Bhaskar-Rao-to-Rajya-Sabha-300x251.jpg)
Prasanna-Bishnu-Bhaskar
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ରାଜ୍ୟସଭା ପାଇଁ ୩ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ନବୀନ ନିବାସରେ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ କହିଛନ୍ତି ଯେ, ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ୍. ଭାସ୍କର ରାଓ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବେ।
ଏନ୍. ଭାସ୍କର ରାଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଥିବା ବେଳେ ବିଷ୍ଣୁ ଦାସ ଜଗତସିଂହପୁର ଜିଲା ବିଜେଡି ସଭାପତି ଅଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ ଲୋକସଭାର ସଦସ୍ୟ ଓ ମନ୍ତ୍ରୀ ରହି ସାରିଛନ୍ତି।
ଏନ୍.ଭାସ୍କର ରାଓ କହିଛନ୍ତି, “୪୦ ବର୍ଷ ହେଲା ବିଜୁ ପରିବାର ସହ ରହି କାମ କରି ଆସିଛି। ଆଜି ନବୀନ ବାବୁ ମୋତେ ଡାକି ରାଜ୍ୟସଭା ପାଇଁ ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିବାକୁ କହିଛନ୍ତି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଦଳ ପକ୍ଷରୁ ମୋତେ ଯେତେବେଳେ ଯାହା ଦାୟିତ୍ୱ ଦିଆ ଯାଇଛି ନିଷ୍ଠାର ସହ କରିଛି, ଆଗକୁ ମଧ୍ୟ କରିବି।”
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ମୋତେ ମନୋନୀତ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ବିଜୁ ପରିବାର ସହ ଛାତ୍ର ଜୀବନରୁ କାମ କରି ଆସିଛି। ମୁଁ ଦଳର ଜଣେ ସାଧାରଣ କର୍ମୀ। ମୁଖ୍ୟମନ୍ତ୍ରୀ ମୋତେ ଦେଇଥିବା ଦାୟିତ୍ୱ ସୂଚାରୁ ରୂପେ ତୁଲାଇବି। ରାଜ୍ୟର ବିକାଶ ଆମ ଦଳର ଲକ୍ଷ୍ୟ, ଏହାକୁ ଆଗେଇ ନେବି।”
ବିଷ୍ଣୁ ଦାସ କହିଛନ୍ତି, “୪୦ ବର୍ଷର ପରିଶ୍ରମର ଫଳ ମିଳିଛି। ମୁଖ୍ୟମନ୍ତ୍ରୀ ମୋତେ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି।”
ରାଜ୍ୟସଭା ନିର୍ବାଚନ ପାଇଁ ମେ’ ୩୧ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ବିଜେଡି ପକ୍ଷରୁ କେଉଁମାନଙ୍କୁ ପ୍ରାର୍ଥୀ କରାଯିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦଳର ବିଭିନ୍ନ ନେତାଙ୍କ ନାଁ ରାଜ୍ୟସଭା ପାଇଁ ଶୁଣିବାକୁ ମିଳୁଥିଲା।
ଆଜି ସକାଳେ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂ ନବୀନ ନିବାସ ଯାଇ ଦଳୀୟ ସୁପ୍ରିମୋଙ୍କୁ ଭେଟିଥିଲେ। ତାଙ୍କର ଦୁଇ ବର୍ଷର ରାଜ୍ୟସଭା କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେଉଛି। ସେ ପୁଣି ଥରେ ରେସ୍ରେ ଥିବା କଥା ଆଲୋଚନା ହେଉଥିଲା। ହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦ୍ୱିତୀୟ ଥର ଲାଗି ରାଜ୍ୟସଭାକୁ ପଠାଇ ନାହାନ୍ତି।
ରାଜ୍ୟର ତିନିଟି ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବ। ଏ ସମସ୍ତ ଆସନ ହାତେଇବା ପାଇଁ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ରହିଛି।
ଭୂପିନ୍ଦରଙ୍କ ସହିତ ରାଜ୍ୟସଭା ସାଂସଦ ପ୍ୟାରୀ ମୋହନ ମହାପାତ୍ର ଓ ବୈଷ୍ଣବ ପରିଡ଼ାଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧ତାରିଖରେ ଶେଷ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
