Advertisment

‘ଆଜି ରାତି ଖୁବ୍‌ ଚ୍ୟାଲେଞ୍ଜିଂ; ମୁଣ୍ଡଳୀରେ ଆସିବ ପିକ୍ ଫ୍ଲଡ୍’

ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ପାଣି ପ୍ରବାହିତ ହେବ ।

author-image
Niharika Rout
Mundali

Mundali

ଆଜି ସନ୍ଧ୍ୟା ସୁଦ୍ଧା ମହାନଦୀରେ ଆସିବ ପିକ୍ ଫ୍ଲଡ୍। ଏହା ପିକ୍ ସମୟ ହୋଇଥିବାରୁ ଆଜି ରାତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ।

Advertisment

କାରଣ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ପାଣି ପ୍ରବାହିତ ହେବ । ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଏହି ବନ୍ୟା ଜଳ ପଶିବା ଦ୍ୱାରା ବହୁ ଗାଁ ଜଳମଗ୍ନ ହେବା ସହ ଜଳବନ୍ଦୀ ହେବାର ଆଶଙ୍କା ରହିଛି। ତେଣୁ ଉକ୍ତ ଜିଲ୍ଲାମାନଙ୍କୁ ବରିଷ୍ଠ ଅଧିକାରୀଙ୍କୁ ପଠାଯିବା ସହ ଏନଡିଆରଏଫ, ଓଡ୍ରାଫ ଆଦି ରେସକ୍ୟୁ ଟିମ୍‌କୁ ମୁତୟନ କରାଯାଇଛି।

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି, ମୁଣ୍ଡଳିରେ ଏବେ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ ୫୦ ହଜାର କ୍ୟୁସେକ ପ୍ରବାହିତ ହେବ । ଏହାପରେ ସନ୍ଧ୍ୟା ସୁଦ୍ଧା ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ମୁଣ୍ଡଳୀ ଅତିକ୍ରମ କରିବ। ତେଣୁ ସେତେବେଳେ ଆସିବ ପିକ୍ ଫ୍ଲଡ୍ । ଏହାଯୋଗୁ ମହାନଦୀ ବେସିନରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଥିବା ସେ କହିଛନ୍ତି । ଏହାର ମୁକାବିଲା ନିମନ୍ତେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ରେସକ୍ୟୁ ଟିମ୍ ପ୍ରସ୍ତୁତ ଥିବା ଜଣାଯାଇଛି।

Advertisment

ଏହି ବନ୍ୟା ଜଳ ମୁଖ୍ୟତଃ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ପ୍ରବେଶ କରିବ। ତେଣୁ ଏହି ୩ ଜିଲ୍ଲାର ତଳିଆ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହାବାଦ ନୟାଗଡ଼ ଓ କଟକର କିଛି ତଳି ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ହୋଇଛି । ବନ୍ୟାକୁ ଆଖି ଆଗରେ ରଖି ନୟାଗଡ଼, ଅନୁଗୁଳଜ ଜିଲ୍ଲାର ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। 

ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ୭ ଜିଲ୍ଲା ପାଇଁ ୬୨ ରେସକ୍ୟୁ ଟିମ୍ ଗଠନ କରାଯାଇଥିବା SRC ସୂଚନା ଦେଇଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡ଼ାରେ ୧୦, କଟକ ସଦରରେ ୧୦, ଆଠଗଡ଼ ପାଇଁ ୮ ଟିମ୍ ନିୟୋଜିତ ହୋଇଛନ୍ତି । ଏହାବାଦ ଜଗତସିଂହପୁରକୁ ୯, ଖୋର୍ଦ୍ଧାକୁ ୫, ନୟାଗଡ଼କୁ ୮, ପୁରୀକୁ ୧୨ଟି ଟିମ୍ ପଠାଯାଇଛି। 

ବନ୍ୟା ପରିସ୍ଥିତି ଉପୁଜିଲେ ବିଭିନ୍ନ ଗାଁରେ ପାଣି ପଶିବ । ତେଣୁ ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଏନଡିଆରଏଫ ଓ ଓଡ୍ରାଫ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବା ସହ ସେମାନଙ୍କ ନିମନ୍ତେ ରନ୍ଧାଖାଦ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଯାବତ ବିଭିନ୍ନ ଅଞ୍ଚଳରୁ ୩ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମାତ୍ର ଆଜି ପିକ୍‌ ଫ୍ଲଡ ଯୋଗୁ ବନ୍ୟା ପାଣି ବିଭିନ୍ନ ଗାଁରେ ପଶିବାର ସମ୍ଭାବନା ଥିବାରୁ ଏହି ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି।

ଆଜି ପିକ୍ ଫ୍ଲଡ୍ ଆସିବ ବୋଲି ପୂର୍ବାନୁମାନ ହୋଇଥିବା ବେଳେ ହୀରାକୁଦର କୌଣସି ବି ଗେଟ୍‌ ଖୋଲାଯିବନି ବୋଲି SRC ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

Cuttack Flood Situation