ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଛନ୍ଦିଲେ ସାଂସଦ ଅପରାଜିତା

ପଦ୍ମପୁର (ଓଡ଼ିଶା ରିପୋର୍ଟର): ୨୨ ବର୍ଷ ଶାସନ ଭିତରେ କାହିଁକି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କଲେନି? କାହିଁକି ଏଠାରେ ରେଳ ଲାଇନ୍ କରିବାକୁ ପଦକ୍ଷେପ ନେଲେନି ? କାହିଁକି ଘୋଷଣା ମୁତାବକ ୩୫ ପ୍ରତିଶତ ଜମିକୁ ଏଠାରେ ଜଳସେଚିତ କରିପାରିନାହାନ୍ତି ? ଗଙ୍ଗାଧର ମେହର ଜଳସେଚନ ପ୍ରକଳ୍ପ କୁଆଡ଼େ ଗଲା ? କାହିଁକି ସମସ୍ତ ଝାଟିମାଟି ଘରେ ରହୁଥିବା ଲୋକଙ୍କୁ ପକ୍କାଘର ଦେଲେନି ? କାହିଁକି ସମସ୍ତଙ୍କୁ ପାଇପ୍ ପାନୀୟଜଳ ସୁବିଧା ଦେଉନାହାନ୍ତି ? କାହିଁକି […]

aparajita-1

  • Published: Friday, 02 December 2022
  • , Updated: 02 December 2022, 08:02 PM IST

ପଦ୍ମପୁର (ଓଡ଼ିଶା ରିପୋର୍ଟର): ୨୨ ବର୍ଷ ଶାସନ ଭିତରେ କାହିଁକି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କଲେନି? କାହିଁକି ଏଠାରେ ରେଳ ଲାଇନ୍ କରିବାକୁ ପଦକ୍ଷେପ ନେଲେନି ? କାହିଁକି ଘୋଷଣା ମୁତାବକ ୩୫ ପ୍ରତିଶତ ଜମିକୁ ଏଠାରେ ଜଳସେଚିତ କରିପାରିନାହାନ୍ତି ? ଗଙ୍ଗାଧର ମେହର ଜଳସେଚନ ପ୍ରକଳ୍ପ କୁଆଡ଼େ ଗଲା ? କାହିଁକି ସମସ୍ତ ଝାଟିମାଟି ଘରେ ରହୁଥିବା ଲୋକଙ୍କୁ ପକ୍କାଘର ଦେଲେନି ? କାହିଁକି ସମସ୍ତଙ୍କୁ ପାଇପ୍ ପାନୀୟଜଳ ସୁବିଧା ଦେଉନାହାନ୍ତି ? କାହିଁକି ସମସ୍ତଙ୍କୁ ଶୌଚାଚଳ ସୁବିଧା ଦେଲେନି ? ଏଠାରେ କାହିଁକି ଶିଳ୍ପ ପ୍ରତିଷ୍ଠା କରାଯାଉନି ? ଲୋକେ ଅନ୍ୟ ରାଜ୍ୟକୁ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି? ଏଭଳି ଗୋଟିଏ ପରେ ଗୋଟିଏ ପ୍ରଶ୍ନତୀର ସିଧା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ୍‌ ନବୀନ ପଟ୍ଟନାୟକଙ୍କୁ ମାରିଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ପଦ୍ମପୁର ଠାରେ ଦଳୀୟ ନିର୍ବାଚନୀ ସଭାରେ ଏଭଳି ଅନେକ ପ୍ରଶ୍ନବାଣରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଛନ୍ଦିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବରଗଡ଼ ଷ୍ଟେସନରୁ ପଦ୍ମପୁର ପ୍ରାୟ ୮୦ କିଲୋମିଟର ରାସ୍ତା ଆସିବାକୁ ଦେଢ ଘଣ୍ଟା ଲାଗି ଯାଉଛି। ପାଇକମାଳ ଓ ଝାରବନ୍ଧ ଯିବାକୁ ହେଲେ ୨ରୁ ୩ଘଣ୍ଟା ଲାଗୁଛି। ଏହି ସ୍ଥାନକୁ ବରଗଡ଼ରୁ ରେଳ ଲାଇନ୍ ପକାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ୨୨ ବର୍ଷ ଶାସନରେ ରହିବା ସତ୍ତ୍ୱେ ମଧ୍ୟ ଉଦ୍ୟମ କଲେନି। ମୁଁ ଜିଲ୍ଲାପାଳ ଥିଲା ବେଳେ ପଦ୍ମପୁରକୁ ଜିଲ୍ଲା ଦାବି ଯଥାର୍ଥ ଥିବା ଅନୁଭବ କରିଥିଲି। ୨୨ ବର୍ଷ ବିତିଗଲାଣି, ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଲେ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ପଦ୍ମପୁରର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ସ୍ୱତନ୍ତ୍ର ଜିଲ୍ଲା କରାଯିବା ନେଇ ମିଛ ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ ଜିଲ୍ଲା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୌଣସି ଯୋଜନା ନ ଥିବା ଗତକାଲି ତାଙ୍କ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାରେ କହିଛନ୍ତି। ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ କୌଣସି ଯୋଜନା ନ ଥିବା କୁହାଯାଇଛି। ଖାଲି ପଦ୍ମପୁରବାସୀଙ୍କୁ ନୁହେଁ, ପୂରା ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭୂତେଇ ଚାଲିଛନ୍ତି।

ଦେଶର ବିକାଶଶୀଳ ୨୮ଟି ରାଜ୍ୟ ମଧ୍ୟରୁ ଶେଷ ଆଡୁ ୫ ନମ୍ବରରେ ଓଡ଼ିଶା ରହିଛି। ୨୨ ବର୍ଷ ଜଣେ ବ୍ୟକ୍ତି ଓ ଗୋଟିଏ ସରକାର ଶାସନରେ ଥାଇ ମଧ୍ୟ ଓଡ଼ିଶା ଯେଉଁ ଗରିବ ଥିଲା ଓ ଏଠାର ଲୋକେ ଯେଉଁଭଳି ଗରିବ ଥିଲେ, ଏବେବି ରହିଛନ୍ତି। ଏହା ଓଡ଼ିଆଙ୍କ ଆତ୍ମସମ୍ମାନର ପ୍ରଶ୍ନ। ଆଉ କେତେଦିନ ଏଭଳି ସରକାରକୁ ଶାସନ ଦେବେ। ଓଡ଼ିଶା ଖୁବ୍ ଧନୀ। ଏଠାରେ ଖଣି, ଖାଦାନ ଭରି ହୋଇ ରହିଛି। ଓଡ଼ିଶାର ମାଟି ତଳେ ୩୫ ପ୍ରତିଶତ ଲୁହା, ୭୦ ପ୍ରତିଶତ ବକ୍ସସାଇଟ୍, ୨୫ ପ୍ରତିଶତ କୋଇଲା ରହିଛି।

ବିଜେପି ନେତାମାନେ ଟ୍ରେନ୍‌ରେ ଆସି ଜନସମ୍ପର୍କ ପଦଯାତ୍ରା କରୁଥିବା ବେଳେ ଓଡ଼ିଆ ଜାଣି ନ ଥିବା ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରେ ଆସି କାଗଜକଲମରେ ଲିଖିତ ଚିରାଚରିତ ଭାଷଣ ପଢ଼ି ଫେରିଯାଇ ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି। ୨୦୧୯ ବିଜେପୁର ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଶେଷ ଥର ଏହି ଅଞ୍ଚଳକୁ ଆସିଥିବା ବେଳେ ଏବେ କେବଳ ଲୋକଙ୍କ ଭୋଟ ମାଗି ଭୂତାଇବାକୁ ଆସିଛନ୍ତି। ଅନ୍ୟ ସମୟରେ ଲୋକଙ୍କ କଥା ବୁଝିବାକୁ ଓ ଲୋକଙ୍କ ସହ ସମ୍ପର୍କ ରଖିବାକୁ ତାଙ୍କର ସମୟ ନାହିଁ। ଆବଶ୍ୟକ ହେଲେ ଭିଡିଓ କନ୍ଫରେନ୍ସିରେ କଥା ହେଉଛନ୍ତି। ଏଭଳି ନେତା ଲୋକେ କ’ଣ ଚାହାନ୍ତି ବୋଲି ଅପରାଜିତା ଲୋକଙ୍କ ପ୍ରଶ୍ନ କରିଛନ୍ତି।

ସେହିପରି ବିଜେଡିର ପ୍ରାର୍ଥୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ପଦ୍ମପୁରର ଝିଅ ଏବେ ଅନ୍ୟ ଜିଲ୍ଲାର ବୋହୂ। ତାଙ୍କ ଦରଦ ଆଉ ପଦ୍ମପୁର ଲୋକଙ୍କ ପାଇଁ ନାହିଁ। ତାଙ୍କର ଗୋଟାଏ ଗୋଡ଼ ସେପଟେ, ଅନ୍ୟ ଗୋଡ଼ ଏପଟେ। ତେଣୁ ଲୋକଙ୍କୁ ବୁଦ୍ଧିବିଚାରି ଭୋଟ ଦେବାକୁ ହେବ। ନିଜ ମାଟିର ପୁଅ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାକୁ ହେବ।

ସେ ୪ ବର୍ଷ ଧରି ମିଶନଶକ୍ତି ନିର୍ଦ୍ଦେଶିକା ଥିବା ବେଳେ ଠିକ୍ ନିର୍ବାଚନ ସମୟରେ ଭୋଟ କିଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମହିଳାମାନଙ୍କୁ ୫୦୦ ଟଙ୍କା ଲେଖାଏଁ ପଠାଇ ଦିଆଯାଉଥିଲା। ଏକ ସୀମା ଭିତରେ ଥିବାରୁ ସେ ଏବାବଦରେ ମୁହଁ ଖୋଲି ପାରୁ ନ ଥିଲେ। ରାଜ୍ୟର ଅଢେଇ କୋଟି ମହିଳାଙ୍କୁ ସଶକ୍ତ ହେବା ନିମନ୍ତେ ଆବଶ୍ୟକ କାମ ଦେବା ନିମନ୍ତେ ଉଦ୍ୟମ ନ କରି ହାତପାତି ମାଗିବାକୁ ଛାଡ଼ି ଦିଆଯାଇଛି। କେନ୍ଦ୍ରରୁ ନରେନ୍ଦ୍ର ମୋଦି ଟଙ୍କା ଦେଉଥିବା ବେଳେ ଏହାର ଉପଯୁକ୍ତ ସୁଯୋଗ ଉଠାଇ ସମସ୍ତ ଲୋକଙ୍କୁ ଆବାସ, ପାଣି, ଗ୍ୟାସ୍, ବିଜୁଳି, ଶୌଚାଳୟ ପ୍ରମୁଖ ୫ ମୌଳିକା ସୁବିଧା ଦେବାରେ ମୁଖ୍ୟମନ୍ତ୍ରୀ ଫେଲ ମାରିଥିବା ଅପରାଜିତା କହିଛନ୍ତି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

Related story