ବିଜେଡି ଟିକେଟ୍‌ ବଣ୍ଟନରେ ପତିଆରା ଲଢ଼େଇ: ଜଳକା ହୋଇ ରହିଗଲେ ବବି

ବିଜେଡି ଏପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମୋଟ ୧୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏପର୍ଯ୍ୟନ୍ତ ଦଳ ମୋଟ ୨୪ଜଣ ବିଧାୟକଙ୍କ ଟିକେଟ୍ କାଟିଥିବାବେଳେ ବାକି ୮ଜଣ ବିଧାୟକଙ୍କ ପତ୍ନୀଙ୍କୁ ଓ ୨ଜଣ ବିଧାୟକଙ୍କ ପୁଅଙ୍କୁ ଟିକେଟ୍ ଧରାଇଛି ।

ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ

  • Published: Saturday, 27 April 2024
  • , Updated: 27 April 2024, 09:11 PM IST

କେବଳ ୩ଟି ବିଧାନସଭା ଆସନକୁ ବାଦ୍ ଦେଇ ବିଜେଡି ୧୪୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡିର ଏହି ଟିକେଟ୍ ବଂଟନ ପ୍ରକ୍ରିୟାରେ ପତିଆରା ଲଢ଼େଇରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ବାଜି ମାରି ନେଇଥିବାବେଳେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି) ଜଳକା ହୋଇ ରହିଯାଇଛନ୍ତି। ସାମ୍ବାଦିକରୁ ନେତା ଗୌତମବୁଦ୍ଧ ଦାସ ଓ ଦଳଡ଼ିଆଁ ପ୍ରଦୀପ ସାହୁଙ୍କୁ ବିଜେଡି ଟିକେଟ୍ ଦେଇ ମାନସ ନିଜର ପତିଆରା ଦେଖାଇବାରେ ସକ୍ଷମ ହୋଇଛନ୍ତି । ଏପଟେ ବବି ନିଜର ଜଣେ ବି ସମର୍ଥକଙ୍କୁ ଟିକେଟ୍ ଦେବାରେ ସକ୍ଷମ ହୋଇନାହାନ୍ତି ଓ ଯେଉଁ କାରଣରୁ ତାଙ୍କ ଭିଣୋଇ ଅରିନ୍ଦମ ରାୟ ଗତମାସରେ ବିଜେଡିକୁ ବାଏବାଏ କହିବାକୁ ବାଧ୍ୟ ହୋଇଥିଲେ । ମାନସ ନିଜର ଗଡ଼ଫାଦରଙ୍କ ମାଧ୍ୟମରେ ଏହି ଟିକେଟ୍ ବାଣ୍ଟିଥିବା ବିଜେଡି ମହଲରେ ଚର୍ଚ୍ଚା ।

ସୂଚନା ଅନୁସାରେ, ବିଜେଡି ଏପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମୋଟ ୧୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏପର୍ଯ୍ୟନ୍ତ ଦଳ ମୋଟ ୨୪ଜଣ ବିଧାୟକଙ୍କ ଟିକେଟ୍ କାଟିଥିବାବେଳେ ବାକି ୮ଜଣ ବିଧାୟକଙ୍କ ପତ୍ନୀଙ୍କୁ ଓ ୨ଜଣ ବିଧାୟକଙ୍କ ପୁଅଙ୍କୁ ଟିକେଟ୍ ଧରାଇଛି ।  ଅର୍ଥାତ୍ ଦଳ ଏବେସୁଦ୍ଧା ମୋଟ୍ ୩୪ଜଣ ବିଧାୟକଙ୍କ ଟିକେଟ୍ କାଟିଛି । ତେବେ ବିଜେଡିର ଏହି ଟିକେଟ୍ ବଂଟନ ପ୍ରକ୍ରିୟାରେ ମାପଦଣ୍ଡ କ’ଣ ରହିଛି ଓ କେଉଁ ଆଧାରରେ ଦଳୀୟ ଟିକେଟରୁ ନେତାଙ୍କୁ ବଂଚିତ କରାଯାଇଛି ତାହା ଏପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି । ଯଦିଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତାରେ ଏହି ଦଳୀୟ ଟିକେଟ୍ ଘୋଷଣା ହେଉଛି ମାତ୍ର ଏହି ଟିକେଟ୍ ଚୂଡ଼ାନ୍ତ କିଏ କରୁଛି ଓ କାହା ସମ୍ମତିରେ ଏସବୁ ପ୍ରାର୍ଥୀଙ୍କୁ ଦଳ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ତାହା କେହି ଜାଣନ୍ତି ନାହିଁ । ଅନ୍ୟ ରାଜନୀତିକ ଦଳଗୁଡ଼ିକ ଭଳି ବିଜେଡିରେ ଟିକେଟ୍ ଚୂଡ଼ାନ୍ତ ପାଇଁ ନିର୍ବାଚନ କମିଟି ନଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି ।

ଏପଟେ ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ବିଜେଡିରେ ନମ୍ବର-୩ ଭାବେ ପରିଚିତ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଦଳ ସମ୍ବଲପୁରରେ ସାଂସଦ ପ୍ରାର୍ଥୀ କରି ରାଜ୍ୟ ରାଜନୀତିରୁ ଦୂରେଇ ରଖିବାର ସୁଚିନ୍ତିତ ଷଡ଼ଯନ୍ତ୍ର କରିଛି । ଦଳର ଟିକେଟ୍ ଚୟନ ପ୍ରକ୍ରିୟାରେ ବବିଙ୍କ କ୍ଷମତା ମଧ୍ୟ ବେଶ୍ ସୀମିତ ରହିଛି । ବବି ଚାହିଁଲେ ବି ନିଜର ରକ୍ତ ସମ୍ପର୍କୀୟଙ୍କୁ ଟିକେଟ୍ ଦେବାରେ ସକ୍ଷମ ହୋଇପାରିନାହାନ୍ତି । ଯେଉଁଥିପାଇଁ ତାଙ୍କର ନିଜ ଭିଣୋଇ ଅରିନ୍ଦମ ରାୟ ବାଧ୍ୟ ହୋଇ ବିଜେଡି ଛାଡି଼ ବିଜେପିରେ ମିଶିଲେ । ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ କହି ବବିଙ୍କ ଭିଣୋଇଙ୍କୁ ଟିକେଟ୍ ଦେଇନଥିବା ବିଜେଡି କିନ୍ତୁ ସୁଦାମ ମାର୍ଣ୍ଡି ଓ ସୁଧିର ସାମଲଙ୍କ ପରିବାରକୁ ୨ଟି ଲେଖାଏଁ ଟିକେଟ୍ ଧରାଇଛି । ଏହି ଟିକେଟ୍ ବଂଟନ ପ୍ରକ୍ରିୟାରେ ବବିଙ୍କୁ କେବଳ ମୋହରା ଭାବେ ଉପଯୋଗ କରାଯାଇଥିଲା ଓ ବ୍ୟବସାୟିକ କାରଣକୁ ଦୃଷ୍ଟିରେ ରଖି ଉକ୍ତ ଦୁଇ ପରିବାରକୁ ଟିକେଟ୍ ଦିଆଯାଇଛି ଓ ଏହି ଟିକେଟ୍ ବଂଟନରେ ବିଜେଡି ବ୍ୟାପାର ବୁଝୁଥିବା ଅଫିସରଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି ।

ଏପଟେ ବିଜେଡି ପାଖରେ କଟକ-ବାରବାଟୀ ଆସନ ପାଇଁ କୌଣସି ଯୋଗ୍ୟ ପ୍ରାର୍ଥୀ ନଥିଲେ ମଧ୍ୟ ଅରିନ୍ଦମଙ୍କ ଟିକେଟ୍ ଦାବିଦାରୀକୁ ବବି ସଫଳ କରାଇ ପାରିନଥିଲେ । ବିଜେଡି ସେଠାରେ ଦଳଡ଼ିଆଁ ପ୍ରକାଶ ବେହେରା (ନିର୍ବାଚନମଣ୍ଡଳୀରେ ନୂଆ)ଙ୍କୁ ଟିକେଟ୍ ଦେଇଛି । ଅରିନ୍ଦମଙ୍କୁ ବିଜେପି ଉପଯୁକ୍ତ ସମ୍ମାନ ଦେଇ ସାଲେପୁରରୁ ଟିକେଟ୍ ଧରାଇଛି । ଏପଟେ ବବି ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବାପରେ ତାଙ୍କ ବିଧାନସଭା ଆସନ ଯାଜପୁରରୁ ନିଜର ଜଣେ ଅନୁଗତଙ୍କୁ ବିଜେଡି ଟିକେଟ୍ ମିଳିଛି, ମାତ୍ର ସେଠାରେ ସମ୍ପୃକ୍ତ ମହିଳା ପ୍ରାର୍ଥୀଙ୍କୁ ବିଜୟୀ କରିବାର ଉତ୍ତରଦାୟିତ୍ୱ ବି ବବିଙ୍କ ଉପରେ ରହିଛି । ସେହିପରି ବଡ଼ଚଣାରୁ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ପାଇଁ ବବି ପ୍ରସ୍ତାବ ଦେଇଥିଲେ ମଧ୍ୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ସେଠାରେ ଲଦି ଦେଇଥିବା ଜଣାପଡ଼ିଛି । ଏହି ଟିକେଟ୍ ବଂଟନ ପ୍ରକ୍ରିୟାରେ ବବିଙ୍କ ପତିଆରା କ୍ଷୂଣ୍ଣ ହୋଇଥିଲେ ମଧ୍ୟ ସେ ନିରବ ରହିବାକୁ ଏକରକମ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି ।

ଦଳରେ ବଢ଼ୁଥିବା ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ପାଇଁ ବବିଙ୍କୁ ଉପଯୋଗ କରାଯାଉଥିଲେ ମଧ୍ୟ ଦଳର ଟିକେଟ ବଂଟନ ପ୍ରକ୍ରିୟାରେ ତାଙ୍କର ଭୂମିକା ବେଶ୍ ନଗଣ୍ୟ ରହିବା ପରୋକ୍ଷ ବବିଙ୍କ ସମର୍ଥକମାନଙ୍କୁ ନିରାଶ କରିଛି । ଏପଟେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନିଜର ଦୁଇ ଅନୁଗତ ପ୍ରଦୀପ ସାହୁ ଓ ଗୌତମବୁଦ୍ଧ ଦାସଙ୍କୁ ଦଳୀୟ ଟିକେଟ୍ ଧରାଇ ତାଙ୍କର ପତିଆରା ବିଜେଡିରେ ବବିଙ୍କଠୁ ଯେ ଢ଼େର ଅଧିକ ତା’ର ସନ୍ଦେଶ ଦେବାକୁ ପଛାଇ ନାହାନ୍ତି । ବେଗୁନିଆରେ ପ୍ରଦୀପଙ୍କୁ ବିଜେଡିର ପୁରୁଣା କର୍ମୀ ଓ ନେତାମାନେ ଏବେବି ସ୍ୱୀକାର କରୁନଥିବାବେଳେ ଭୋଗରାଇରେ ଅନନ୍ତ ଦାସଙ୍କ ଭଳି ପୁରୁଖା ନେତାଙ୍କ ଟିକେଟ୍ କାଟି ଗୌତମବୁଦ୍ଧଙ୍କୁ ବିଜେଡି ଟିକେଟ୍ ଦେଇଛି । ଯଦିଓ ଏହି ଦୁଇ ଆସନରେ ବିଜେଡିର ତୀବ୍ର ଗୋଷ୍ଠୀକନ୍ଦଳ ଲାଗିରହିଛି । ତଥାପି ମାନସ ନିଜର ଗଡ଼ଫାଦରଙ୍କ ମାଧ୍ୟମରେ ସେମାନଙ୍କୁ ଟିକେଟ୍ ଧରାଇଛନ୍ତି । ଆଉ ନିଜେ ଖଣ୍ଡପଡ଼ାରେ ଛିଡ଼ା ହେବା ପାଇଁ ଏବେବି ପ୍ରୟାସ ଚଳାଇଥିବା ଚର୍ଚ୍ଚା ହେଉଛି ।

ବବିଙ୍କ ନିକଟତମ ସୂତ୍ର ଅନୁସାରେ, ଦଳ ସହ ଦୀର୍ଘବର୍ଷ ଧରି ଜଡ଼ିତ ନେତାଙ୍କୁ ଅଣଦେଖା କରି ଦଳଡ଼ିଆଁ ଓ ସଂଗଠନ ନଥିବା ଲୋକଙ୍କୁ ଟିକେଟ୍ ଦିଆଯାଉଥିବାରୁ  ଦଳର ଟିକେଟ୍ ବଂଟନ ପ୍ରକ୍ରିୟାକୁ ନେଇ ବବି କ୍ଷୁବ୍ଧ ଅଛନ୍ତି । ଏବେ ବବି କୋରେଇରେ ନିଜ ପରିବାରର ଜଣେ ସଦସ୍ୟଙ୍କୁ ଟିକେଟ୍ ଦେବାକୁ ଜିଦ୍ ଧରି ବସିଥିବା ଚର୍ଚ୍ଚା ହେଉଛି । କୋରେଇ ବିଜେଡି ବିଧାୟକ ଅଶୋକ ବଳଙ୍କୁ ନବୀନ ନିବାସ ଡକାଯାଇ ତାଙ୍କୁ ଏଥର ଟିକେଟ୍ ମିଳିବ ନାହିଁ ବୋଲି ଦଳ ପକ୍ଷରୁ ଶୁଣାଇ ଦିଆଯାଇଛି । ବବିଙ୍କ ଜିଦ୍ ସତ୍ତ୍ୱେ କୋରେଇରୁ ତାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ୍ ଦେବାକୁ ଦଳର ସାଂଗଠନିକ ବ୍ୟାପାରରେ ନିଷ୍ପତ୍ତି ନେଉଥିବା ଏକ ଗୋଷ୍ଠୀର ବିରୋଧ ଯୋଗୁ ଏହି ଟିକେଟ୍ ଚୂଡ଼ାନ୍ତ ହୋଇପାରୁନଥିବା ଜଣାପଡ଼ିଛି ।

ତେବେ ବିଜେଡିରେ ଟିକେଟ ବଂଟନରେ ସ୍ଥାନୀୟ ଭାବାବେଗ,ସମୀକରଣ ଓ ସଂଗଠନକୁ ଗୁରୁତ୍ୱ ନଦେଇ ପତିଆରା ଦେଖାଇବାକୁ ଯାଇ ଦଳଡ଼ିଆଁ, ସଂଗଠନ ନଥିବା ଓ ବିବାଦୀୟଙ୍କୁ ଟିକେଟ୍ ଧରାଇବାର ରଣନୀତି ବିଜେଡିକୁ ମହଙ୍ଗା ପଡ଼ିପାରେ ବୋଲି ଏବେଠୁ ଜଳଜଳ ହୋଇ ଦିଶିଲାଣି ବୋଲି ସାଧାରଣରେ ଚର୍ଚ୍ଚା ।

Related story