ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶର ମାଳ ମାଳ ଚିତ୍ର ଦେଖାଉଛନ୍ତି ରାଜ୍ୟ ସରକାର। ତଥାପି ଗୁମୁରୀ କାନ୍ଦୁଛି ରୁମ୍ବେଲ ଗାଁ। ହେଲେ କ’ଣ ପାଇଁ? ଏହାର ଉତ୍ତର ହୁଏତ ପ୍ରଶାସନ ପାଖରେ ନଥିବ। ହେଲେ ଗାଁ ଲୋକେ ବଖାଣିଛନ୍ତି ଦୁଃଖ ଓ ଯନ୍ତ୍ରଣାର ଗୋଟି ଗୋଟି କଥା। ଏ ସମ୍ପର୍କରେ ଜାଣିଲା ପରେ ଆପଣ ମଧ୍ୟ ଭାବିବେ ସତରେ କ’ଣ ଏମିତି ଗାଁ ରହିଛି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ଆସିଛି ବିକାଶର ବିକଳ ଚିତ୍ର।
ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ର ରୁମ୍ବେଲ ଗାଁ। ଏହି ଗାଁର ଲୋକ ସଂଖ୍ୟା ୬୦୦ରୁ ଅଧିକ ହେବ। ବ୍ଲକ ସଦର ମହକୁମାଠାରୁ ୪୦ କିମି ଦୂରରେ ଏହି ଗାଁଟି ରହିଛି। ସମସ୍ତେ ଚାଷ ଉପରେ ନିର୍ଭର କରି ଚଳନ୍ତି। କିନ୍ତୁ ଦୁଃଖର ବିଷୟ ଗାଁକୁ ଆଜିଯାଏଁ ଭଲ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ରାଜନେତାମାନେ ମାଳ ମାଳ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଯିବା ଆସିବା ପାଇଁ ରାସ୍ତା ଖଣ୍ଡିଏ ଦେଇପାରିଲେ ନାହିଁ। ଯେଉଁଥିପାଇଁ ଗାଁ ଲୋକ ଜମ ଯନ୍ତ୍ରଣା ଭୋଗୁଛନ୍ତି। ଏବେ ଯେଉଁ ରାସ୍ତା ରହିଛି, ସେଥିରେ ଚାଲି ଚାଲି ଯିବା କଷ୍ଟକର। ଗାଡ଼ି କଥା ଛାଡ଼ନ୍ତୁ। ଗାଁର କୌଣସି ଲୋକ ଯଦି ଗୁରୁତର ରୋଗରେ ପୀଡ଼ିତ ହେଲେ, ତାହାହେଲେ କଥା ସରିଲା। ଗାଁଠାରୁ ୭ କିମି ଦୂର ଭାରରେ ବୋହିବାକୁ ପଡ଼ୁଛି। ତା’ପରେ ସେଠାରୁ ଲକ୍ଷ୍ମୀପୁର ମେଡ଼ିକାଲ୍ ନେବାକୁ ପଡ଼ୁଛି।
ଗାଁରେ ଆଜି ପର୍ଯ୍ୟନ୍ତ ପହଞ୍ଚିପାରିଲାନି ପାନୀୟ ଜଳ ପ୍ରକଳ୍ପ। ତେଣୁ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। କିଛି ଉପାୟ ନପାଇ ଗାଁଠାରୁ ଦେଢ଼ କିମି ଦୂରରେ ବୋହି ଯାଇଥିବା ନଦୀ ଉପରେ ନିର୍ଭର କରିବାକୁ ପଡ଼ୁଛି। ସକାଳ ହେଲେ ଗାଁର ମହିଳା ଓ ପୁରୁଷମାନେ ପାଣି ପାଇଁ ଗରା ବାଲ୍ତି ଧରି ନଦୀକୁ ଯାଉଥିବା ଦେଖିବାକୁ ମିଳୁଛି। ଇଏ ଚିତ୍ର ହେଉଛି ନିତି ଦିନିଆ। ଗାଁରେ ପହଞ୍ଚି ପାରିଲା ନାହିଁ ବିଜୁଳି।
ନାଲ୍କୋ ପକ୍ଷରୁ ସିଏସ୍ଆର୍ ଫଣ୍ଡରେ ଗାଁରେ ଶୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଥିଲା। ଘରକୁ ଘର ବିଜୁଳି ଯାଇଥିଲା। ହେଲେ ତାହା ପୁଣି କ୍ଷଣସ୍ଥାୟୀ ପାଇଁ। ଏବେ ଶୋଲାର ଲାଇଟ୍ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। ରାତି ହେଲେ ସବୁଆଡେ ଅନ୍ଧକାର ରାଜୁତି କରୁଛି। ସବୁଠାରୁ ମଜାଦାର କଥା ହେଉଛି ଉକ୍ତ ଗାଁରେ ରହିଛି ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର। ହେଲେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଗୃହ ନାହିଁ। ଆଜି ଆ’ ଘରେ ତ କାଲି ତା’ପରେ ବସି ପାଠ ପଢ଼ା ଯାଉଛି। ପ୍ରତିଦିନ ଅଙ୍ଗନବାଡ଼ି ଦିଦି ଆସୁନାହାନ୍ତି। ଯେଉଁଦିନ ମନେ ପଡ଼ୁଛି, ସେହି ଦିନ ଆସୁଛନ୍ତି। ସପ୍ତାହକୁ ଥରେ ଅଧେ ଦିନ ଦିଦି ଆସୁଥିବା ଗାଁ ଲୋକେ କହିଛନ୍ତି।
ଗାଁର ନବୀନ ଜାନୀ କହିଛନ୍ତି, ସରକାର ଆମକୁ ଅଣଦେଖା କରୁଛନ୍ତି। ଆମ ଗାଁରେ କିଛି ନାହିଁ। ଗାଁକୁ ରାସ୍ତା ନାହିଁ। ଚାଲି ଚାଲି ଯିବା ଆସିବା କରୁଛୁ। ପାଣିର ବ୍ୟବସ୍ଥା ନାହିଁ। କାହାକୁ ଜ୍ୱର ହେଲେ ବୋହିକି ମେଡ଼ିକାଲ୍ ନେବାକୁ ପଡ଼ୁଛୁ। ରାସ୍ତା ନଥିବା ଆମ୍ୱୁଲାନ୍ସ ଆସିପାରୁ ନାହିଁ। ଏନେଇ ବହୁବାର ବିଡିଓ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ପରେ ବିଡିଓ ଆସି ଦେଖି ଯାଇଥିଲେ। ହେଲେ ଆଜି ଯାଏଁ ରାସ୍ତା ହେଲାନାହିଁ ବୋଲି ନବୀନ କହିଛନ୍ତି।
ଗାଁ ସମସ୍ୟା ନେଇ ଲୋକମାନେ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପାଖରେ କେତେ ଗୁହାରୀ କରିଛନ୍ତି। ହେଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସବୁଆଡୁ ନିରାଶ ହୋଇ ଗାଁ ଲୋକେ ଚୁପ୍ ହୋଇ ବସିଛନ୍ତି। ତେବେ ଏନେଇ ପ୍ରଶାସନର ମତାମତ ମିଳିପାରି ନାହିଁ।
ରିପୋର୍ଟ-ଲକ୍ଷ୍ମୀପୁରରୁ ଗିରିଧର ଖରା
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।